Live Odisha Tv

କିଟ୍‍ ଓ କେପିଆଇଟି ଟେକ୍ନୋଲୋଜି ମଧ୍ୟରେ ବୁଝାମଣା

ଭୁବନେଶ୍ୱର : କୋ-ବ୍ରାଣ୍ଡେଡ୍‍ ଏମ୍‍-ଟେକ୍‍ ପ୍ରୋଗ୍ରାମ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଭାରତର ଅଟୋମୋଟିଭ୍‍ ସଫ୍‍ଟୱେର କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ କେପିଆଇଟି ଟେକ୍ନୋଲୋଜି ଲିମିଟେଡ୍‍ ଓ କିଟ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି । ପରବର୍ତ୍ତୀ ପିଢ଼ିର ପ୍ରାଦ୍ୟୋଗିକି ବିଶେଷଜ୍ଞ ତିଆରି କରିବା ପାଇଁ ଅଟୋମୋଟିଭ୍‍ ଇଲେକ୍ଟ୍ରୋନିକ୍‍ସ ଓ ସଫ୍‍ଟୱେର ଦିଗରେ ଉଭୟ ଅନୁଷ୍ଠାନର ଏହା ଏକ ଅନନ୍ୟ ପ୍ରୟାସ । ଏହି ସହଯୋଗ ଯୋଗୁଁ କେପିଆଇଟିର ଅଟୋମୋଟିଭ ଟେକ୍ନୋଲୋଜିରେ ଶିଳ୍ପ-ଅଗ୍ରଣୀ କ୍ଷମତା ଓ କିଟ୍‍ର ଅତ୍ୟାଧୁନିକ ଶିକ୍ଷା ଢ଼ାଞ୍ଚା ମିଶ୍ରଣରେ ପରବର୍ତ୍ତୀ ବିଶେଷଜ୍ଞ ତିଆରି ହୋଇପାରିବେ। ଏହି ପ୍ରୟାସକୁ ଶୁଭେଚ୍ଛା ଜଣାଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ପ୍ରତିଭା ବ୍ୟବଧାନ ଦୂରକରିବା ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଥିବା ଡିଜିଟାଲ୍‍ ବୃତ୍ତିଧାରୀଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବା ଦିଗରେ ଶିଳ୍ପ ସହିତ ସହଭାଗୀ ହେବା ପାଇଁ ଆମ ନିକଟରେ ଯଥେଷ୍ଟ ବୌଦ୍ଧିକ ପୁଞ୍ଜି ଓ ପ୍ରତିଭା ରହିଛି।କେପିଆଇଟି ଟେକ୍ନୋଲୋଜି ଲିମିଟେଡ୍‍ର ସହ-ପ୍ରତିଷ୍ଠାତା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ କିଶୋର ପାଟିଲ ଏହି ବୁଝାମଣାର ବିଭିନ୍ନ ସକାରାତ୍ମକ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ । ଭାରତରେ କିଟ୍‍ ଭଳି ଅଗ୍ରଣୀ ବିଶ୍ୱବିଦ୍ୟାଳୟ ସହ ବୁଝାମଣା କରିବା କେପିଆଇଟି ପକ୍ଷରେ ଅନନ୍ୟ। ଆମେ କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ତାଲିମ ପ୍ରଦାନ କରି ଭବିଷ୍ୟତ ପିଢ଼ିର ଅଟୋମୋଟିଭ ଟେକ୍ନୋଲୋଜି ବୃତ୍ତିଧାରୀ ତିଆରି କରିବା ନେଇ ବେଶ ଉତ୍ସାହିତ ବୋଲି ଶ୍ରୀ ପାଟିଲ କହିଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଏଭଳି ଶିଳ୍ପ-ଶିକ୍ଷାନୁଷ୍ଠାନ ସହଯୋଗିତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି କହିଲେ, ସଂପ୍ରତି ଅଟୋମୋଟିଭ୍‍ ଶିଳ୍ପ ଓ ସଫ୍‍ଟୱେର ଟେକ୍ନୋଲୋଜି ବିଶ୍ୱର ରୂପ ପରିବର୍ତ୍ତନ କରିଦେଇଛି । ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମିଳିତ ଭାବେ ଏହି କାର୍ଯ୍ୟ କଲେ ଉତ୍ତମ ପ୍ରତିଭା ସୃଷ୍ଟି ହୋଇପାରିବେ ବୋଲି ସେ କହିଥିଲେ।

 

Digital Griot