ଆସନ୍ତାକାଲିଠୁ ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରବିବାର ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଗୃହର କାର୍ଯ କିପରି ସୂଚାରୁ ରୂପେ ଚାଲିବ ସେ ନେଇ ଆଲୋଚନା ହୋଇଥିଲା ।
ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡ଼ାଙ୍କ ସମେତ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ । ସେହିପରି ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହିତ ଦଳର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ଥିଲେ । କିନ୍ତୁ ବୈଠକରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ଓ ସିପିଆଇ ଦଳ ଅନୁପସ୍ଥିତ ରହିଥିଲେ
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ଆଜି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ । ଏହା ସହ ଗୃହରେ ଉପସ୍ଥିତ ରହି ତାଙ୍କର ଗଠନମୂଳକ ପ୍ରସ୍ତାବ ଦେବାକୁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ । ତେବେ ନବୀନ ସର୍ବଦଳୀୟ ବୈଠକରେ ଯୋଗଦେଇ ନଥିଲେ ।