ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ। ଏହାର ଗୋଟିଏ ଦିନ ପୂର୍ବରୁ ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଯିବ। ଏହି ଅବସରରେ ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ସରକାରଙ୍କୁ ଟାର୍ଗେଟ କରିବେ। ଏଥି ପାଇଁ ବିରୋଧୀ ଦଳର ନେତାମାନେ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ଅନ୍ୟପଟରେ ମୌସୁମୀ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା, କଂଗ୍ରେସ ନେତା ଗୌରବ ଗୋଗୋଇ, କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ସାମିଲ ହୋଇଥିଲେ।
ସଂସଦର ମୌସୁମୀ ଅଧିବେଶନରେ ବିପର୍ଯ୍ୟୟ ପରିଚାଳନା ଆଇନ୍ ସଂଶୋଧନ ସମେତ ୬ଟି ନୂଆ ବିଲ୍ ଉପସ୍ଥାପନ କରାଯିବ। ଲୋକସଭା ସଚିବାଳୟ ଦ୍ବାରା ଗତ ୧୮ ତାରିଖ ସନ୍ଧ୍ୟାରେ ଏହି ବିଲ୍ ନେଇ ତାଲିକା ପ୍ରକାଶ ପାଇଛି। ମୌସୁମୀ ଅଧିବେଶନ ଆସନ୍ତା ଅଗଷ୍ଟ ୧୨ ତାରିଖ ଯାଏଁ ଜାରି ରହିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ। ଅର୍ଥ ବିଲ୍ ସହିତ ଭାରତୀୟ ବାୟୁସେନା ବିଲ୍-୨୦୨୪, କଫି ବିଲ୍ ଓ ରବର ବିଲ୍ ସାମିଲ ଅଛି। ଏହା ମଧ୍ୟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦୀୟ ଏଜେଣ୍ଡା ନିର୍ଦ୍ଧାରଣ କରିଥିବା କାର୍ଯ୍ୟମନ୍ତ୍ରଣା କମିଟି ମଧ୍ୟ ଗଠନ କରିଛନ୍ତି।