କେରଳ ୱାୟନାଡରେ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶହେ ପାର୍ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ୧୦୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ୧୨୮ ଜଣ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏବେ ମଧ୍ୟ ଶତାଧିକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ନିଖୋଜ ଲୋକଙ୍କ ସନ୍ଧାନରେ ଏନଡିଆରଏଫ ଠାରୁ ଆରମ୍ଭ କରି ଆର୍ମି ମୁତୟନ ହୋଇଛନ୍ତି।
ପ୍ରବଳ ବର୍ଷା ପରେ କେରଳର ୱାୟନାଡରେ ତାଣ୍ଡବ ରଚିଛି ପ୍ରକୃତି। ଗୋଟିଏ ପରେ ଗୋଟିଏ ତିନୋଟି ଭୂସ୍ଖଳନ ହେବା ପରେ ଜଳପ୍ରଳୟ ସବୁ କିଛି ଛାରଖାର କରି ଦେଇଛି। ରାସ୍ତା-ଘାଟ, ଘର-ଦ୍ୱାର ଧୋଇ ହୋଇଯାଇଛି। ମୋପ୍ପାଡି, ମୁବାଡକାଇ ଏବଂ ଚୁରାଲ ମାଲା ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇଯାଇଛି। ସୂଚନା ଅନୁସାରେ, ଗତକାଲି ରାତିରୁ ଓ୍ୱାୟନାଡରେ ପ୍ରବଳ ବର୍ଷା ପରେ ତିନୋଟି ଭୂସ୍ଖଳନ ହୋଇଥିଲା। ଫଳରେ ନଦୀ ଜଳସ୍ତର ବୃଦ୍ଧି ପାଇ ପୋଲ ଭାସି ଯାଇ ଗାଁ ମଧ୍ୟକୁ ବନ୍ୟା ପାଣି ପଶି ଯାଇଥିଲା।
ଏହି ତିନି ଗାଁର ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ପରିବାର ମାଟି ତଳେ ଚାପି ହୋଇ ଯାଇଥିବା କୁହାଯାଉଛି। ଏସବୁ ଭିତରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କହିଛନ୍ତି, ଭୂସ୍ଖଳ ଯୋଗୁ ଚାଲିୟାର ନଦୀର ଜଳ ଗାଁ ଭିତରକୁ ପଶି ଯାଇଥିଲା। ଫଳରେ ଗୋଟିଏ ଅଞ୍ଚଳରେ ଥିବା ସମସ୍ତ ଘର ଓ ଏଠାରେ ରହୁଥିବା ଲୋକମାନେ ଅଚାନକ ବନ୍ୟା ଜଳରେ ଭାସିଯାଇଛନ୍ତି। ପୂରା ଅଞ୍ଚଳ ମାଟିରେ ମିଶି ଯାଇଛି। ସେଠାରେ ପୂର୍ବରୁ ଘର ଥିଲା ଓ ଲୋକମାନେ ଚଳପ୍ରଚଳ କରୁଥିବାର ଚିହ୍ନବର୍ଣ୍ଣ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।
ଘଟଣାକୁ ମୁଖ୍ୟମନ୍ତ୍ରୀ ବିଜୟନ ହୃଦୟବିଦାରକ ବିପର୍ଯ୍ୟୟ ଭାବେ ଅବିହିତ କରି ରାଜ୍ୟରେ ୨ ଦିନିଆ ଶୋକ ଘୋଷଣା କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନାର ମେଡିକାଲ ଟିମ ସହ ୨୨୫ ଜଣ ଯବାନ ନିୟୋଜିତ ହୋଇଛନ୍ତି। ବାୟୁସେନାର ୨ଟି ହେଲିକପ୍ଟର, ଗୋଟିଏ ଏମଆଇ-୧୭ ଓ ଆଡଭାନ୍ସ ଲାଇଟ ହେଲିକପ୍ଟର ମଧ୍ୟ ସେବାରେ ନିୟୋଜିତ ହୋଇଛି । ଆର୍ମି ପକ୍ଷରୁ ଆକଶ ପଥରୁ ଭୂସ୍ଖଳନ ଓ ଜଳବନ୍ଦୀ ହୋଇଥିବା ସ୍ଥାନ ଗୁଡ଼ିକର ଫଟୋ ଛଡ଼ା ଯାଇଛି। ପାରା ରେଜିମେଣ୍ଟ ପକ୍ଷରୁ କଲିକଟ ଠାରେ ଗୋଟିଏ ନିୟନ୍ତ୍ରଣ ରୁମ ଗଠନ କରାଯାଇଛି।
ଚୋରାଲମାଲା ପାଖରେ ଥିବା ସହରକୁ ସଂଯୋଗ କରୁଥିବା ଗୋଟିଏ ବ୍ରିଜ ସଂପୂର୍ଣ୍ଣ ଭାବେ ପାଣିରେ ଭାସି ଯାଇଛି। ଏଥିଯୋଗୁ ୧୦୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ବିଜୟନଙ୍କ ସହ କଥା ହୋଇଛନ୍ତି ଓ କେନ୍ଦ୍ର ପକ୍ଷରୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କ ପ୍ରତି ୨ ଲକ୍ଷ ଓ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି।