କେରଳର ୱାୟନାଡରେ ଘଟିଥିବା ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ଶୋକ ସନ୍ତପ୍ତ ପରିବାରକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସମବେଦନା ଜଣାଇଛନ୍ତି । ଏଥି ସହିତ ସେ ସଂସଦରେ କହିଛନ୍ତି ଯେ ଜୁଲାଇ ୨୩ରେ ସମ୍ଭାବ୍ୟ ଭୂସ୍ଖଳନ ବିଷୟରେ କେରଳ ସରକାରଙ୍କୁ ପୂର୍ବରୁ ଚେତାବନୀ ଦିଆଯାଇଥିଲା । ଏନଡିଆରଏଫର ୯ଟି ଟିମକୁ ପୂର୍ବରୁ କେରଳକୁ ପଠାଯାଇଥିଲା । ଜୁଲାଇ ୨୬ରେ ସେଠାରେ ୨୦ ସେଣ୍ଟି ମିଟରରୁ ଅଧିକ ବର୍ଷା ହେବ ଏବଂ ପ୍ରବଳ ବର୍ଷା ହେବ, ଭୂସ୍ଖଳନ ହେବାର ସମ୍ଭାବନା ଅଛି ବୋଲି କୁହାଯାଇଥିଲା । ସାତ ଦିନ ପୂର୍ବରୁ ଏହି ଚେତାବନୀ ଦିଆଯିବା ପରେ ବି ପିନ୍ନରାଇ ବିଜୟନଙ୍କ ନେତୃତ୍ୱାଧୀନ କେରଳ ସରକାର ଲୋକଙ୍କୁ ଠିକ ସମୟରେ ସ୍ଥାନାନ୍ତର କରିନଥିଲେ ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଅତୀତରେ ଏଭଳି ପ୍ରାରମ୍ଭିକ ଚେତାବନୀ ଉପରେ କିଛି ରାଜ୍ୟ ସରକାର କାର୍ଯ୍ୟ କରିଛନ୍ତି । ଓଡିଶାର ପୂର୍ବତନ ନବୀନ ପଟ୍ଟନାୟକ ସରକାରଙ୍କୁ ଦିଆଯାଇଥିବା ଚେତାବନୀକୁ ସେ ଉଦାହରଣ ଦେଇ ସେ କହିଛନ୍ତି ସାତ ଦିନ ପୂର୍ବରୁ ଘୂର୍ଣ୍ଣିବଳୟ ବିଷୟରେ ଓଡିଶାର ପୂର୍ବତନ ନବୀନ ପଟ୍ଟନାୟକ ସରକାରଙ୍କୁ ବି ଚେତାବନୀ ଦିଆଯାଇଥିଲା । ସେହି ଘୂର୍ଣ୍ଣିବଳୟରେ କେବଳ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି ଏବଂ ସେ ପୁଣି ନିଜର ଭୁଲ ପାଇଁ । ସେହିପରି ଗୁଜୁରାଟକୁ ତିନି ଦିନ ପୂର୍ବରୁ ଘୂର୍ଣ୍ଣିବଳୟ ବିଷୟରେ ଚେତାବନୀ ଦିଆଯାଇଥିଲା ଏବଂ ସେଠାରେ ବି କେହି ମରି ନଥିଲେ। ୨୦୧୪ ମସିହାରୁ ଭାରତ ସରକାର ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ପାଇଁ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ସାତ ଦିନ ପୂର୍ବରୁ ରାଜ୍ୟମାନଙ୍କୁ ଚେତାବନୀ ଦିଆଯାଉଛି ।