Live Odisha Tv

ଜିଏସଟି ହଟାଇବାକୁ ମମତା ବାନାର୍ଜୀଙ୍କ ଦାବି

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଗୁରୁବାର ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରେ ଜିଏସଟି ହଟାଇବାକୁ ଦାବି କରିଛନ୍ତି। ଏହି ନୀତିର ସମୀକ୍ଷା କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଏହାକୁ ଲୋକ ବିରୋଧୀ ନୀତି ବୋଲି ସେ କହିଛନ୍ତି | ଏକ୍ସରେ ଏକ ପୋଷ୍ଟ କରି ମମତା ଲେଖିଛନ୍ତି ଯେ ଭାରତ ସରକାରଙ୍କ ନିକଟରେ ଆମେ ଏହି ଦାବି କରୁଛୁ ଯେ ଲୋକଙ୍କ ସ୍ୱାସ୍ଥ୍ୟ ଆବଶ୍ୟକତା ଆଧାରରେ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମାର ପ୍ରିମିୟମ ଉପରୁ ଜିଏସଟି ହଟାଇ ଦିଆଯାଉ | ମମତା ବାନାର୍ଜୀ କହିଛନ୍ତି, “ଜିଏସଟି ଖରାପ କାରଣ ଏହା ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ କରିବାର କ୍ଷମତା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ବୀମା ପ୍ରିମିୟମ ଉପରେ ଜିଏସ୍ଟି ଲାଗୁ କରିବା ସାଧାରଣ ଲୋକଙ୍କ ଉପରେ ଆର୍ଥିକ ବୋଝ ବଢାଇବ ।

ସେ ଚେତାବନୀ ଦେଇଛନ୍ତି ଯେ ଯଦି ଭାରତ ସରକାର ଲୋକ ବିରୋଧୀ ଜିଏସ୍ଟି ପ୍ରତ୍ୟାହାର ନକରନ୍ତି ତେବେ ଆମେ ରାସ୍ତାରେ ଓହ୍ଲାଇବାକୁ ବାଧ୍ୟ ହେବୁ। ଟିକସ ସମ୍ବନ୍ଧୀୟ ଜିଏସଟି ପରିଷଦ ବୈଠକ ଚଳିତ ମାସ ଅଗଷ୍ଟରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ବନ୍ଧରେ ଶେଷ ବୈଠକ ୨୨ ଜୁନ୍ ୨୦୨୪ ରେ ଅନୁଷ୍ଠିତ ହୋଇଥିଲା। ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ପୂର୍ବରୁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଜୀବନ ବୀମା ଏବଂ ଚିକିତ୍ସା ବୀମା ପ୍ରିମିୟମ ଉପରେ ୧୮ ପ୍ରତିଶତ ଜିଏସଟି ହଟାଇବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଥିଲେ । ଶୁକ୍ରବାର ଲୋକସଭାରେ ତୃଣମୂଳ କଂଗ୍ରେସ ସାଂସଦମାନେ ଜୀବନ ବୀମା ପ୍ରିମିୟମ ଏବଂ କିଛି ଔଷଧ ଉପରେ ୧୮ ପ୍ରତିଶତ ଜିଏସ୍ଟି ଲାଗୁ କରିବାକୁ ଦୃଢ ବିରୋଧ କରିଥିଲେ ଏବଂ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।

Digital Griot