ଆଜି ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି । ଆଜିର ଦିନରେ ବିଘ୍ନ ବିନାଶନ ଗଜାନନଙ୍କୁ ପୂଜା କରାଯାଏ । ପ୍ରଭୁ ଗଣେଶ ବିଦ୍ୟାର ଦେବତା। ଆଦିଦେବଙ୍କ ପୂଜା ପାଇଁ ଉତ୍ସବମୁଖରିତ ଗାଁଠୁ ସହର। ସୁସଜ୍ଜିତ ପୂଜା ପେଣ୍ଡାଲରେ ପୂଜା ପାଇବେ ବିଘ୍ନହର୍ତ୍ତା। ଗଜାନନଙ୍କ ଆରାଧନାରେ ବିଭୋର ହେବେ ଭକ୍ତ। ବିଭିନ୍ନ ମନ୍ଦିର, ଶିକ୍ଷାନୁଷ୍ଠାନ ଓ ସରକାରୀ ଘରୋଇ ଅନୁଷ୍ଠାନ ଗୁଡିକରେ ପ୍ରାତଃ କାଳରୁ ଗଜାନନଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ମଣ୍ଡପ ଗୁଡ଼ିକରେ ଆଉ କିଛ ସମୟ ଅପେକ୍ଷା । ବେଦ ଧ୍ବନୀରେ ପ୍ରକମ୍ପିତ ହେବ ଗଗନ ପବନ । ଧୂପ ଦୀପ ଝୁଣା ଓ ନୈବେଦ୍ୟର ମହକ ଭିତରେ ଆର୍ବିଭୂତ ହେବେ ବିଘ୍ନ ବିନାଶନ ଶ୍ରୀ ଗଣେଶ ।
ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରାଯାଇଥାଏ । ଗଣେଶଙ୍କ ଧ୍ୟାନ, ଜପ ଓ ଆରାଧନା କରିବା ଦ୍ୱାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ତ ସେ ବିଘ୍ନହର୍ତ୍ତା। ଶୁଭକାର୍ଯ୍ୟରେ କୌଣସି ବାଧାବିଘ୍ନ ନ ଆସୁ, ସେଥିପାଇଁ ପ୍ରଥମେ ଗଣେଶ ପୂଜା କରାଯାଇଥାଏ । କଳା, ବିଜ୍ଞାନ ଓ ବୁଦ୍ଧିମତ୍ତାର ଦେବତା ରୂପେ ସେ ପରିଚିତ । କୌଣସି ଘର ପ୍ରତିଷ୍ଠା ହେଉ କିମ୍ବା ବିଦ୍ୟାରମ୍ଭ ହେଉ,ସବୁଥିରେ ଗଣେଶଙ୍କ ଆବାହନ କରାଯାଏ। କୌଣସି ଶୁଭ କାର୍ଯ୍ୟ, ଧାର୍ମିକ କାର୍ଯ୍ୟ ବା ମଙ୍ଗଳ କାର୍ଯ୍ୟରେ ପ୍ରଭୁ ଗଣେଶଙ୍କୁ ପ୍ରଥମେ ପୂଜା କରାଯାଏ। ବିଘ୍ନ ନାଶକ ରୂପେ ସର୍ବତ୍ର ପୂଜିତ ପ୍ରଭୁ ଗଣେଶ କଳା, ବିଜ୍ଞାନର ଓ ବୁଦ୍ଧିମତ୍ତାର ଦେବତା ରୂପେ ପରିଚିତ ।