Live Odisha Tv

ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ ବଙ୍ଗପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ଉପକୂଳ ଜିଲ୍ଲାର ତଳିଆ ଅଞ୍ଚଳକୁ ବିପଦ ଥିବା ନେଇ ସୂଚନା ଦିଆଯାଇଛି । ଅବପାତ ଉତ୍ତର ଦିଗରେ ଗତି କରି ଉତ୍ତର-ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଗତି କରିବ ।

ଏହାର ପ୍ରଭାବରେ  ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଏବଂ ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେସବୁ ଜିଲ୍ଲାଗୁଡ଼ିକ ମଧ୍ୟରେ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳକୁ ପ୍ରବଳ ବର୍ଷା ନେଇ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କୋରାପୁଟ, କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର, ବରଗଡ଼, ଯାଜପୁର, ସମ୍ବଲପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ବନ୍ଦରଗୁଡ଼ିକୁ ବିପଦ ସଙ୍କେତ ଜାରି କରାଯାଇଛି । ଗୋପାଳପୁର ଏବଂ ପୁରୀକୁ ୩ ନମ୍ବର, ଧାମରା ଓ ପାରାଦୀପକୁ ୧ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ସେହିପରି, ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ରହିବା ସମ୍ଭାବନା ରହିଛି।  ୭ ରୁ ୨୦ ସେଣ୍ଟିମିଟର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ନବାନୁମାନ କରାଯାଇଛି ।

ପ୍ରବଳ ବର୍ଷାର ସମ୍ଭାବନା  ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ପ୍ରବଳ ବର୍ଷା ଯୋଗୁଁ ଉପକୂଳ ଜିଲ୍ଲାର ତଳି ଅଞ୍ଚଳରେ ପାଣି ପଶିବାର ସମ୍ଭାବନା ରହିଛି । ତେବେ ଆସନ୍ତାକାଲି ପାଇଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Digital Griot