ରାଜ୍ୟରେ କ୍ଷମତାସୀନ ବିଜେପି ସରକାରର ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ଉପଲକ୍ଷେ ଆସନ୍ତା ୧୭ତାରିଖ ମଙ୍ଗଳବାର ଦିନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ୍, ମାଜିଷ୍ଟ୍ରେଟ୍ କୋର୍ଟ ଛୁଟି ରହିବ । ତେବେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ଶିକ୍ଷାନୁଷ୍ଠାନ ମଙ୍ଗଳବାର ସମ୍ପୂର୍ଣ୍ଣ ଛୁଟି ରହିବ । ଆଜି ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା ‘ସୁଭଦ୍ରା’ ଯୋଜନା ଉପଲକ୍ଷେ ରାଜ୍ୟ ସରକାର ଆସନ୍ତା ୧୭ତାରିଖ(ମଙ୍ଗଳବାର) ଦିନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ ଓ ରାଜସ୍ୱ ଏବଂ ମାଜିଷ୍ଟେରିଆଲ କୋର୍ଟ(କାର୍ଯ୍ୟନିର୍ବାହୀ)କୁ ଛୁଟି ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ । ଏଥିପାଇଁ ଭୁବନେଶ୍ୱରର ସମସ୍ତ ସ୍କୁଲ ଓ କଲେଜଗୁଡ଼ିକୁ ସମ୍ପୂର୍ଣ୍ଣ ଛୁଟି ଘୋଷଣା କରାଯାଇଛି । ସରକାରୀ ଅଫିସଗୁଡ଼ିକ ମଙ୍ଗଳବାର ପ୍ରଥମାର୍ଦ୍ଧ ଛୁଟି ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ।
ପ୍ରଧାନମନ୍ତ୍ରୀ ମୋଦି ନିଜ ଜନ୍ମଦିନରେ ଅର୍ଥାତ୍ ଆସନ୍ତା ୧୭ତାରିଖରେ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ବିଜେପି ସରକାରଙ୍କ ‘ସୁଭଦ୍ରା’ ଯୋଜନା ସହ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର ୧୦ଲକ୍ଷ ହିତାଧିକାରୀଙ୍କୁ ‘ଘର ମଞ୍ଜୁରୀ ପତ୍ର’, ୨୬ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବଂଟନ ସହ ‘ଆବାସ+ ୨୦୨୪’ର ଆପ୍ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାରେ ଦିନ ୧୧ଟା ୩୫ମିନିଟରେ ପହଂଚି ପ୍ରାୟ ସାଢ଼େ ୩ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି । ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ଜନତା ମଇଦାନରେ ବିଶାଳ ମହିଳା ସମାବେଶର ଆୟୋଜନ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ।