Live Odisha Tv

ହରିୟାଣା ନିର୍ବାଚନ ପରେ କଂଗ୍ରେସକୁ ଝଟକା ଦେଲେ ଅଖିଲେଶ

ହରିୟାଣାରେ ନିଶ୍ଚିତ ବିଜୟକୁ ହାତ ଛଡ଼ା କରିଥିବା କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଇଣ୍ଡିଆ ମେଣ୍ଟ ଝଟକା ଦେବାରେ ଲାଗିଛନ୍ତି। କଂଗ୍ରେସ ହରିୟାଣାରେ ୩୭ ଆସନ ଜିତିଥିବା ବେଳେ ବିଜେପି ହ୍ୟାଟ୍ରିକ ବିଜୟ ହାସଲ କରିଛି।ଏପରି ପରାଜୟ ପରେ ପ୍ରଥମେ ଆପ ପରେ ଉଦ୍ଧବ ଠାକରେଙ୍କ ଶିବସେନା ସହଯୋଗୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ଏବେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ମଧ୍ୟ କଂଗ୍ରେସକୁ ଉତ୍ତର ପ୍ରଦେଶ ଉପ ନିର୍ବାଚନ ପୂର୍ବରୁ ଝଟକା ଦେଇଛି।

କଂଗ୍ରେସ ଓ ସପା ଇଣ୍ଡିଆ ମେଣ୍ଟର ସଦସ୍ୟ। ତଥାପି କଂଗ୍ରେସ ସହ ବିନା ଆଲୋଚନାରେ ସପା ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେବାକୁ ଥିବା ୧୦ ବିଧାନସଭା ଆସନର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଦେଇଛି।ସପା ପକ୍ଷରୁ ୧୦ଟି ଆସନ ମଧ୍ୟରୁ ୬ଟି ପାଇଁ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। କଂଗ୍ରେସ ଏହି ୧୦ ଆସନରୁ ୫ଟିରେ ଲଢ଼ିବାକୁ ଚାହୁଁଥିଲା। ହେଲେ ସପା ଲୋକସଭାରେ ଭଲ ପ୍ରଦର୍ଶନ କରିଥିବାରୁ ଦଳ ପକ୍ଷରୁ ୬ଟି ଆସନ ପାଇଁ ପ୍ରାର୍ଥୀ ଦିଆଯାଇଛି।

ଲୋକସଭାରେ ସପା ଉତ୍ତର ପ୍ରଦେଶର ୬୨ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୩୭ଟିରେ ଜିତିଥିଲା। କଂଗ୍ରେସ ୧୭ଟି ଆସନରେ ପ୍ରାର୍ଥୀ ଦେଇ ୬ଟିରେ ବାଜିମାତ କରିଥିଲା। ଏହି ସଂଖ୍ୟା ଆଧାରରେ ସପା ମାତ୍ର ୩ଟି ଆସନ କଂଗ୍ରେସକୁ ଅଫର କରିଥିଲା। ଏହାକୁ ନେଇ ଟଣାଓଟରା ଚାଲିଥିବା ବେଳେ ଆଜି ସପା ୬ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଏହାକୁ ନେଇ କଂଗ୍ରେସ ଚକିତ ହୋଇଛି।

ଦଳର ରାଜ୍ୟ ଇନଚାର୍ଜ ଅବିନାଶ ପାଣ୍ଡେ କହିଛନ୍ତି, “ଏହା ସତ ଯେ ଆମକୁ କୌଣସି ସୂଚନା ଦିଅଯାଇ ନାହିଁ। ଇଣ୍ଡିଆ ମେଣ୍ଟ ସଂଯୋଜକ କମିଟି ମଧ୍ୟ ଆଲୋଚନା କରିନି। କିନ୍ତୁ ସିଟ ଘୋଷଣା ଓ ନିର୍ବାଚନ ଲଢ଼ିବା ନେଇ କମିଟି ଯାହା ବି ନିଷ୍ପତ୍ତି ନେବ ଆମେ ତା’କୁ ମାନିବୁ। ଉତ୍ତର ପ୍ରଦେଶରେ ଆମେ ଆଦୌ ଅତ୍ୟଧିକ ଆତ୍ମବିଶ୍ୱାସ ଦେଖାଇ ନାହୁଁ। ସଂଗଠନକୁ ସଶକ୍ତ କରିବାକୁ ଆମେ କାମ କରୁଛୁ। ଉପ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି।”

Digital Griot