ବିଚିତ୍ର ଦୁନିଆଁ ! ଯେଉଁଠି ଜନ୍ମ କଲା ପୁଅ ପର କରିଦିଏ ତ ପର ପୁଅ ଆପଣାର ହୋଇଯାଏ । ଯେଉଁଠି କିଏ ଆଖି ଥାଇ ଅନ୍ଧ ହୋଇଯାଏ ତ ଆଉ କିଏ ଅନ୍ଧ ହୋଇ ସବୁ ଦେଖି ପାରେ । ବ୍ୟସ୍ତତା ବହୁଳ ବସ୍ତୁବାଦୀ ବିଶ୍ୱରେ ନିଜ ସ୍ବାର୍ଥ ଥିବା ମଣିଷର ଅନ୍ୟ ପାଇଁ ସମୟ ନ ଥାଏ । ହେଲେ ଏ ଭଳି ସ୍ୱାର୍ଥପର ଦୁନିଆଁରେ ମଧ୍ୟ ଅଛନ୍ତି ଭଲ ମଣିଷମାନେ । ଏମିତି ଜଣେ ଭଲ ମଣିଷ ବିଷୟରେ ସୁଶାନ୍ତ ପଣ୍ଡାଙ୍କ ସ୍ଵତନ୍ତ୍ର ଉପସ୍ଥାପନା ।
ସମଗ୍ର ଓଡ଼ିଶାର ଚର୍ଚ୍ଚିତ ବ୍ୟକ୍ତିତ୍ଵ । ପ୍ରଖର ବକ୍ତା,ସଂଗଠକ, ସାହିତିକ ତଥା ଶିକ୍ଷାବିଦ । ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ତାଲପଦର ଗ୍ରାମରେ ୧୯୭୬ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି । ବାପା ଟଙ୍କଧର ମିଶ୍ର ଓ ମାତା କୁନ୍ତିଲତା ମିଶ୍ରଙ୍କ କୋଳମଣ୍ଡନ କରି ପିତା ମାତାଙ୍କୁ ଯଶସ୍ପୀ ଓ ଭାଗ୍ୟବାନ କରି ପାରିଛନ୍ତି । ତାଙ୍କୁ ମାତ୍ର ଦଶ ବର୍ଷ ବୟସ ହେଉଥିବା ସମୟରେ ବାପାଙ୍କ ପରଲୋକ ହେଲା । ପରିବାର ବୋଝ , ଅଭାବ,ଅନାଟନ ସହିତ ପିଲାବେଳୁ ସଂଘର୍ଷ କରି ଆସିଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ବୁଦ୍ଧଦେବ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ ଇଂରାଜୀ ଅଧ୍ୟାପକ ଭାବରେ ସେ କାର୍ଯ୍ୟରତ । ଏହା ବ୍ୟତୀତ ୬୬୨ କଲେଜ ସଂଘର ବରଗଡ଼ ଜିଲ୍ଲା ସମ୍ପାଦକ, ତାଲପଦର ସରସ୍ଵତୀ ଶିଶୁ ମନ୍ଦିରର ସଭାପତି,ସମ୍ବଲପୁର ବିଶ୍ଵବିଦ୍ୟାଳୟର ପୂର୍ବତନ ସିନେଟ ସଦସ୍ୟ ଭଳି ବିଭିନ୍ନ ଶିକ୍ଷ୍ୟା ସଂଗଠନ ସହିତ ସଂପୃକ୍ତ ରହି ଜଣେ ଶିକ୍ଷାବିଦର ପରିଚୟ ହାସଲ କରିଛନ୍ତି । ଜଣେ ଚର୍ଚ୍ଚିତ ସ୍ତମ୍ଭକାର,ପ୍ରାବନ୍ଧିକ,ନାଟ୍ୟକାର,ସାହିତିକ ଭାବରେ ତାଙ୍କର ଖ୍ୟାତି ରହିଛି । ଦୀର୍ଘ ଦୁଇ ଦଶନ୍ଧି ହେଲାଣି ନିଜ ଗାଁରେ ଉତାଲଗଡ ଉଛବ ନାମରେ ଏକ ସଫଳ ନାଟକ ମହୋତ୍ସବ ଆୟୋଜନ ତାଙ୍କ ସାଂଗଠନିକ ଦକ୍ଷତାର ପରିଚୟ ଦିଅ । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ,ଲୋକ କବି ପଦ୍ମଶ୍ରୀ ହଲଧର ନାଗ,ସହିଦ ପୀଠ ଘେଁସ ଭଳି ବହୁ ପ୍ରତିଷ୍ଠିତ ଅନୁଷ୍ଠାନ ସହିତ ସଂପୃକ୍ତ ରହି ଆସିଛନ୍ତି ଶ୍ରୀମାନ ମିଶ୍ର । ତାଙ୍କର ଅନେକ ଗୁଡ଼ିଏ ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ ପ୍ରାୟ ବହୁ ସଂଖ୍ୟାରେ ନାଟକ,ପ୍ରବନ୍ଧ,ଗବେଷଣାତ୍ମକ ପୁସ୍ତକ ଆଦି ପ୍ରକାଶନ ପାଇଁ ପ୍ରସ୍ତୁତି ଚାଲିଥିବାର ଜଣାଯାଇଛି । ଶିକ୍ଷା ଓ ସାହିତ୍ୟ ସହିତ ସେବା ଓ ସମର୍ପଣ ମାନସିକତା ହିଁ ସୁଶାନ୍ତ ମିଶ୍ରଙ୍କ ମହାନତା ଅଟେ । ଖୁବ କମ ବୟସରୁ ମାଗଣା ଚକ୍ଷ୍ୟୁଚିକିତ୍ସା ଶିବିର,କୁଷ୍ଠରୋଗ ନିରାକରଣ ଶିବିର,ରକ୍ତଦାନ ଶିବିର ଆଦି ଆୟୋଜନରେ ସଂପୃକ୍ତ ରହି ଆସିଛନ୍ତି । ସଦା ସର୍ବଦା ଗରିବ,ନିରୀହ ଓ ନିରଶ୍ରୟଙ୍କ ଅଗ୍ରାଧିକାର ଦେଉଥିବା ଶ୍ରୀମାନ ମିଶ୍ର ଅନେକ ସମୟରେ ଗରିବ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ସାହାଯ୍ୟ କରିଆସୁଛନ୍ତି । ବିଭିନ୍ନ ସମୟରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରି ଡାକ୍ତର ଖାନାରେ ଚିକିତ୍ସିତ କରାଇବା ଘଟଣା ପାଇଁ ଲୋକଙ୍କ ପ୍ରଶଂସା ଭାଜନ ହୋଇପାରିଛନ୍ତି । ମାଆଁ,ପିଉସୀ,ଚାରିଭାଇ ଓ ପତ୍ନୀ ଏବଂ ପୁଅ ଝିଅଙ୍କୁ ନେଇ ତାଙ୍କ ଏକ ବଡ଼ ପରିବାର । ବ୍ୟସ୍ତତା ଭିତରେ ମଧ୍ୟ ସମସ୍ତଙ୍କ ମୁହଁରେ ହସ ଫୁଟାଇବା ପାଇଁ ସବୁବେଳେ ପ୍ରୟାସ କରିଥାନ୍ତି । ପରିବାରର ପ୍ରୋତ୍ସାହନ ତାଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି ।ଜନ୍ମଦିନ କିମ୍ବା ଯେକୌଣସି ପାରିବାରିକ ଉତ୍ସବରେ ବୃକ୍ଷରୋପଣ,ରକ୍ତଦାନ,ନିରୀହ ନିରାଶ୍ରୟ କି ଭିକାରୀଙ୍କ ସେବା ହିଁ ମାଧ୍ୟମ ହୋଇଥାଏ । ୨୦୧୨ ମସିହାରୁ ନିଜ ଗାଁରେ ଚାଲିଥିବା ନିଶା ନିବାରଣ ଅଭିଯାନରେ ସକ୍ରିୟ ଭୂମିକା ନେଇ ଯୁବକ ମାନଙ୍କୁ ସଚେତନ କରି ଆସୁଛନ୍ତି ଶ୍ରୀମାନ ମିଶ୍ର । ଜଣେ ଦକ୍ଷ ସଂଗଠକ,ପ୍ରଖର ବକ୍ତା,ଆଦର୍ଶ ଶିକ୍ଷକ, ସାହିତିକ,ସମର୍ପିତ ସମାଜସେବୀ ଭାବରେ ସେ ସବୁଠି ଚର୍ଚ୍ଚିତ । ତାଙ୍କ ସୃଜନ ହେଉ କିମ୍ବା ବକ୍ତବ୍ୟ ସ୍ଵତନ୍ତ୍ର ଓ ନିଆରା ଉପସ୍ଥାପନା ଶୈଳୀ ପାଇଁ ଯଥେଷ୍ଟ ଲୋକଙ୍କ ଆଦୃତି ଲାଭ କରିଆସୁଅଛି । ତାଙ୍କ ପ୍ରେରଣାଦାୟୀ ବକ୍ତବ୍ୟ ଜନମାନସକୁ ପ୍ରଭାବିତ କରିଥାଏ । ବହୁ ଯୁବ ପାଢୀଙ୍କ ସେ ପସନ୍ଦ ହୋଇଥିବା ବେଳେ ବିଭିନ୍ନ ପିଢ଼ିର ଲୋକେ ମନ ଭରି ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେଇଥାନ୍ତି । ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶତାଧିକ ସମ୍ମାନ ଓ ସମ୍ବର୍ଦ୍ଧନା ସେ ଭୂଷିତ ହୋଇ ଆସୁଛନ୍ତି । ସର୍ବଦା ଅନ୍ୟକୁ ପ୍ରଭାବିତ କରିବା ଭଳି କାମ କରି କେବଳ ଚର୍ଚ୍ଚିତ ନୁହନ୍ତି,ଅନ୍ୟମାନଙ୍କ ପାଇଁ ଉଦାହରଣ ଅଟନ୍ତି ।