Live Odisha Tv

ଅଚ୍ୟୁତ ସାମନ୍ତଙ୍କୁ ଏଫ୍‍ଆଇଭିବି ଗ୍ରାଣ୍ଡ କ୍ରସ୍‍ ସମ୍ମାନ

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅନ୍ତର୍ଜାତୀୟ ଭଲିବଲ୍‍ ଫେଡେରେସନ୍‍ (ଏଫ୍‍ଆଇଭିବି)ର ସର୍ବୋଚ୍ଚ ସମ୍ମାନ ଗ୍ରାଣ୍ଡ କ୍ରସ୍‍ ସମ୍ମାନ’ ପ୍ରଦାନ କରାଯାଇଛି । ନଭେମ୍ବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ପର୍ତ୍ତୁଗାଲର ପର୍ତ୍ତୋଠାରେ ଚାଲିଥିବା ୩୯ତମ ଏଫ୍‍ଆଇଭିବି ବିଶ୍ୱ କଂଗ୍ରେସ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କ୍ରୀଡ଼ା ବିଶେଷ କରି ଭଲିବଲ୍‍ର ବିକାଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଏଫ୍‍ଆଇଭିବି ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସମ୍ମାନ ପ୍ରଦାନ ସମାରୋହରେ ୨୨୨ଟି ଦେଶରୁ ଆସିଥିବା ଭଲିବଲ୍‍ ସଂଘର ସଭାପତି ତଥା ଅନ୍ୟାନ୍ୟ ପ୍ରତିନିଧିଙ୍କ ଉପସ୍ଥିତିରେ ଏଫ୍‍ଆଇଭିବି ସଭାପତି ଡ. ଆରି ଗ୍ରାସା ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ ।

ନିକଟରେ ଗ୍ରାସା କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିବା ବେଳେ ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ସାମନ୍ତଙ୍କୁ ଏଫ୍‍ଆଇଭିବି ଗ୍ରାଣ୍ଡ କ୍ରସ ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ପରେ ୩୯ତମ ଏଫ୍‍ଆଇଭିବି ବିଶ୍ୱ କଂଗ୍ରେସ ଚାଲିଥିବା ବେଳେ ଶ୍ରୀ ସାମନ୍ତଙ୍କୁ ଏଫ୍‍ଆଇଭିବି ପକ୍ଷରୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇ ସମ୍ମାନୀତ କରାଯାଇଥିଲା । ସୂଚନାଯୋଗ୍ୟ ଗ୍ରାଣ୍ଡ କ୍ରସ୍‍ ସମ୍ମାନ ହେଉଛି ଏଫ୍‍ଆଇଭିବିର ସର୍ବୋଚ୍ଚ ସମ୍ମାନ । ଭଲିବଲ୍‍ ତଥା କ୍ରୀଡ଼ାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଶ୍ରୀ ସାମନ୍ତଙ୍କୁ୍‍ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ଉପସ୍ଥିତ ୨୨୨ଟି ଦେଶର ଭଲିବଲ୍‍ ସଂଘର ମୁଖ୍ୟମାନେ ଶ୍ରୀ ସାମନ୍ତଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ ।

ନିଜ ପ୍ରତିକ୍ରିୟାରେ ଶ୍ରୀ ସାମନ୍ତ କହିଛନ୍ତି୨୨୨ଟି ଦେଶର ପ୍ରତିନିଧିଙ୍କ ମଧ୍ୟରୁ ମୋତେ ଚିହ୍ନଟ କରି ଏଫ୍‍ଆଇଭିବିର ଅନୁମୋଦନ ପରେ ଏହାର ସର୍ବୋଚ୍ଚ ସମ୍ମାନ ମୋତେ ଅତି ସ୍ନେହରେ ପ୍ରଦାନ କରାଯାଇଥିବାରୁ ଏହି ସମ୍ମାନ ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଁ ଋଣୀ । ଏହାର ଶ୍ରେୟ ସେ ଭଗବାନଙ୍କୁ ଦେଇଛନ୍ତି । ଏହା ସହିତ ଏହି ସମ୍ମାନକୁ ସେ ଭାରତର ସମସ୍ତ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ ଓ ବିଶେଷ କରି ଓଡ଼ିଶାର କ୍ରୀଡ଼ା ଓ କ୍ରୀଡ଼ାବିତ୍‍ ତଥା କିଟ୍‍ ଓ କିସ୍‍କୁ ଉତ୍ସର୍ଗ କରିଛନ୍ତି । 

Digital Griot