Live Odisha Tv

୨୩ରେ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦ ବୈଠକ

୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ଚିଠା ବଜେଟକୁ ଆସନ୍ତା ୨୩ତାରିଖରେ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତରୁ ଫେରିବା ପରେ ୨୩ତାରିଖ ଅପରାହ୍ନରେ ରାଜ୍ୟ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଅତିରିକ୍ତ ଚିଠା ବଜେଟକୁ ଅନୁମୋଦନ ମିଳିବ ବୋଲି ଜଣାପଡ଼ିଛି। ମୋହନ ମାଝୀ ସରକାରଙ୍କ ଏହି ପ୍ରଥମ ଅତିରିକ୍ତ ଚିଠା ବଜେଟଟି ବାସ୍ତବ ଆବଶ୍ୟକତା ଓ ଖର୍ଚ୍ଚ କ୍ଷମତା ଉପରେ ଆଧାରିତ ରହିଛି ତଥା ବଜେଟର ପୁନଃପ୍ରାଥମିକତା ପାଇଁ ପ୍ରୟାସ କରାଯାଇଛି ।

ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୬ତାରିଖରେ ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସିଙ୍ଗାପୁର ଗସ୍ତରୁ ଫେରିବା ପରେ ଏହି ଚିଠା ବଜେଟକୁ ଉଭୟ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦର ଅନୁମୋଦନ ମିଳିବ। ୨୩ତାରିଖ ଅପରାହ୍ନରେ ମନ୍ତ୍ରିମଣ୍ଡଳ ବୈଠକ ପାଇଁ ଦିନଧାର୍ଯ୍ୟ ହୋଇଛି । ଅତିରିକ୍ତ ଚିଠା ବଜେଟ ଅନୁମୋଦନ ସହ ୪ଟି ଗୁରୁତ୍ୱପୂର୍ଣ୍ଣ ବିଲକୁ ମଧ୍ୟ ଗୃହରେ ଉପସ୍ଥାପନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋହନ ସରକାର ୨.୬୫ଲକ୍ଷ କୋଟି ଟଙ୍କାର ବଜେଟ୍ ଗତ ଜୁଲାଇ ୨୫ତାରିଖରେ ଉପସ୍ଥାପନ କରିଥିଲେ, ଯାହାକି ସେପ୍ଟେମ୍ବର ୧୧ତାରିଖରେ ଅନୁମୋଦନ ଲାଭ କରିଛି । ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ନିଜ ଦମରେ ସରକାର ଗଠନ କରିଥିବା ଯୋଗୁ ପ୍ରଶାସନିକ ବ୍ୟୟ ଅପେକ୍ଷାକୃତ ଗତିଶୀଳ ହୋଇପାରିନି । ତେଣୁ ରାଜ୍ୟ ସରକାର ଏଥର ଅତିରିକ୍ତ ବଜେଟକୁ ଚିରାଚରିତ ଢଙ୍ଗରେ ନକରି ବିଭାଗଗୁଡ଼ିକୁ ବାସ୍ତବ ଆବଶ୍ୟକତା ଓ ଖର୍ଚ୍ଚ କ୍ଷମତା ଉପରେ ଆଧାରିତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା।

Digital Griot