Live Odisha Tv

୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ ଏକାଦଶ ଘୋଷଣା

ଭୁବନେଶ୍ୱର : ୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ ଦଳର ଘୋଷଣା ହୋଇଛି । ଦଳରେ ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସ ଓ ବିସ୍ଫୋରକ ବ୍ୟାଟର ଟ୍ରେଭିସ ହେଡଙ୍କୁ ସ୍ଥାନ ମିଳିନି । ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ଟେଷ୍ଟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଏହି ଟିମ୍ କ୍ରିକେଟ୍ ଅଷ୍ଟ୍ରେଲିଆ ଚୟନ କରିଛି । ଉଲ୍ଲେଖନୀୟ ପ୍ରତି ବର୍ଷ ଶେଷ ଆଡକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ପ୍ରତିଟି ଫର୍ମାଟ ପାଇଁ ଶ୍ରେଷ୍ଠ ଦଳ ଚୟନ କରିଥାଏ । ଏଥିରେ ସମଗ୍ର ଦୁନିଆରେ ଚମତ୍କାର ପ୍ରଦର୍ଶନ କରିଥିବା ୧୧ ଖେଳାଳିଙ୍କୁ ଚୟନ କରାଯାଏ । କିନ୍ତୁ ଆଜି ଯେଉଁ ଦଳ ଘୋଷଣା ହୋଇଛି, ତାହା ଆଇସିସି ନୁହେଁ ବରଂ କ୍ରିକେଟ୍ ଅଷ୍ଟ୍ରେଲିଆ ନିଜର ସର୍ବଶ୍ରେଷ୍ଠ ଟେଷ୍ଟ ଦଳ ଚୟନ କରିଛି ।

ଅଷ୍ଟ୍ରେଲିଆର ଏହି ସର୍ବଶ୍ରେଷ୍ଠ ଦଳରେ ଭାରତର ଯଶସ୍ୱୀ ଜୟସ୍ୱାଲ ଓ ଇଂଲଣ୍ଡର ବେନ ଡକେଟଙ୍କୁ ଓପନ ଭାବେ ଚୟନ କରିଛି । ତିନି ନମ୍ବରରେ ଇଂଲଣ୍ଡର ଜୋ ରୁଟ୍ ରହିଛନ୍ତି । ଚାରି ନମ୍ବର ପାଇଁ ରଚିନ ରବୀନ୍ଦ୍ର ଓ ପାଞ୍ଚ ନମ୍ବରରେ ଇଂଲଣ୍ଡର ହ୍ୟାରି ବ୍ରୁକ ରହିଛନ୍ତି । ଛଅ ନମ୍ବରରେ ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସ ଏବଂ ୱିକେଟ୍ କିପର  ବ୍ୟାଟର ଭାବେ ଅଷ୍ଟ୍ରେଲିଆର ଆଲେକ୍ସ କେରିଙ୍କୁ ଚୟନ କରାଯାଇଛି । ଦ୍ରୁତ ବୋଲର ଭାବେ ନ୍ୟୁଜିଲାଣ୍ଡର ମ୍ୟାଟ ହେନରୀ, ଭାରତର ଯଶପ୍ରୀତ ବୁମରା ଓ ଅଷ୍ଟ୍ରେଲିଆର ଜୋଶ ହେଜେଲଉଡ ରହିଛନ୍ତି । ସ୍ପିନ ବୋଲର ଭାବେ ଦକ୍ଷିଣ ଆଫ୍ରିକାର କେଶବ ମହାରାଜଙ୍କୁ ନିଜର ସର୍ବଶ୍ରେଷ୍ଠ ଏକାଦଶରେ ସ୍ଥାନ ଦେଇଛି କ୍ରିକେଟ୍ ଅଷ୍ଟ୍ରେଲିଆ ।

ଏହି ସବୁ ଖେଳାଳି ୨୦୨୪ରେ ଟେଷ୍ଟ କ୍ରିକେଟର ଦମଦାର ପ୍ରଦର୍ଶନ କରିଛନ୍ତି । ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସ ମଧ୍ୟ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି । କିନ୍ତୁ ତାଙ୍କୁ ଦଳରେ ଚୟନ କରାଯାଇ ନାହିଁ । କ୍ରିକେଟ୍ ଅଷ୍ଟ୍ରେଲିଆର ୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ ଏକାଦଶ ଯଶସ୍ୱୀ ଜୟସ୍ୱାଲ, ବେନ ଡକେଟ୍‌, ଜୋ ରୁଟ୍‌, ରଚିନ ରବୀନ୍ଦ୍ର, ହ୍ୟାରି ବ୍ରୁକ, କାମିନ୍ଦୁ ମେଣ୍ଡିସ, ଆଲେକ୍ସ କେରି(ୱିକେଟ୍ କିପର), ମ୍ୟାଟ୍ ହେନରୀ, ଯଶପ୍ରୀତ ବୁମରା(ଅଧିନାୟକ), ଜୋଶ ହେଜେଲଉଡ ଓ କେଶବ ମହାରାଜ ।

Digital Griot