|

ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କିଟ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ଦ୍ୱାଦଶରେ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତ୍ରିଶା ରଥ କଳାରେ ସର୍ବାଧିକ ୯୯.୪ ପ୍ରତିଶତ ନମ୍ବର ରଖି ସ୍କୁଲ୍‍ ଟପ୍‍ପର ହେବା ସହ ଆଞ୍ଚଳିକ ଟପ୍‍ପର ହୋଇଛନ୍ତି। ସେହିପରି  ହଂସ ଦାରୁକା ବିଜ୍ଞାନରେ ସର୍ବାଧିକ ୯୮.୮ ପ୍ରତିଶତ ନମ୍ବର ରଖି ସ୍କୁଲ୍‍ ଟପ୍‍ପର ହୋଇଥିବା ବେଳେ ବାଣିଜ୍ୟରେ ଦୀପ୍ତି ସାହୁ ସର୍ବାଧିକ ୯୮.୬ ନମ୍ବର ରଖି ସ୍କୁଲ୍‍ ଟପ୍‍ପର ହୋଇଛନ୍ତି। ଚଳିତବର୍ଷ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ୪୦ ପ୍ରତିଶତ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ଦ୍ୱାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ସିବିଏସ୍‍ଇ ଦଶମ ବୋର୍ଡ ପରୀକ୍ଷାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଉତ୍କର୍ଷ ବଜାୟ ରଖିଛନ୍ତି । ଦଶମରେ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖିଛନ୍ତି। ସ୍କୁଲ୍‍ର ଉଶ୍ୱସ୍ତି ଉବିକା ପାଟଶାଣୀ ସର୍ବାଧିକ ୯୯ ପ୍ରତିଶତ ନମ୍ବର ରଖି ସ୍କୁଲ୍‍ ଟପ୍‍ପର ହୋଇଛନ୍ତି ।

ସେନ୍‍ ଗ୍ଲୋବ୍‍ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ : କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ରେ ସ୍ପେଶିଆଲ୍‍ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସେନ୍‍ ଗ୍ଲୋବ୍‍ ରେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନେ ମଧ୍ୟ ଏକ ପ୍ରଭାବଶାଳୀ ଫଳାଫଳ ରେକର୍ଡ କରିଛନ୍ତି । ସେନ୍‍ ଗ୍ଲୋବର ଚାରି ଜଣ ଛାତ୍ର ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ଜଣେ ଛାତ୍ର ୯୫ ପ୍ରତିଶତ ନମ୍ବର ରଖିଛନ୍ତି । ସେହିପରି ସେନ୍‍ ଗ୍ଲୋବର ଛାତ୍ରଛାତ୍ରୀ ସିବିଏସ୍‍ଇ ଦଶମ ବୋର୍ଡ ପରୀକ୍ଷାରେ ସ୍କୁଲ୍‍ ପାଇଁ ଗୌରବ ଆଣିପାରିଛନ୍ତି । ଏଥିରେ ୭ଜଣ ଛାତ୍ରଛାତ୍ରୀ ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ବେଳେ ଜଣେ ୮୭ ପ୍ରତିଶତ ନମ୍ବର ରଖିବାରେ ସମର୍ଥ ହୋଇଛନ୍ତି ।

ସ୍କୁଲ୍‍ର ଏହି ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତିକିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଗୁଣାତ୍ମକ ଶିକ୍ଷା ପ୍ରଣାଳୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଷ୍ଠା ଏବଂ ଛାତ୍ରଛାତ୍ରୀଙ୍କୁ ସମୟ ଉପଯୋଗୀ ପରାମର୍ଶ ଯୋଗୁଁ ଦୀର୍ଘ ୧୭ବର୍ଷ ହେଲା ଏହି ସଫଳତା ସମ୍ଭବ ହୋଇଆସୁଛି । ଏଥିପାଇଁ ସେ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନା ଲିସା ବଳ ଏବଂ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ତଥା ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷ କରି ସେନ୍‍ ଗ୍ଲୋବର ଛାତ୍ରଛାତ୍ରୀମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଇପାରୁଥିବାରୁ ସେମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଛନ୍ତି । ମାନସିକସ୍ତରରେ ସେମାନେ ଦୁର୍ବଳ ଥିଲେ ମଧ୍ୟ ବହୁ କଷ୍ଟକରି ସେମାନେ ସଫଳତା ପାଇବା ସ୍କୁଲ୍‍ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

Similar Posts

Leave a Reply

Your email address will not be published. Required fields are marked *