Live Odisha Tv

ଗଠନ ହେବ ଉତ୍ତର ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ

ରାଜ୍ୟରେ କ୍ଷେତ୍ରୀୟ ଅସାମଞ୍ଜସ୍ୟ ଦୂର କରିବା ପାଇଁ ଉତ୍ତର ଓଡ଼ିଶା ବିକାଶ ପରିଷଦ ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏହାସହିତ ସ୍ୱତନ୍ତ୍ର ପ୍ୟାକେଜ ତୁଳନାରେ ଓଡ଼ିଶାକୁ ଚଳିତ କେନ୍ଦ୍ରୀୟ ବଜେଟରେ ଅଧିକ ପରିମାଣର ଅର୍ଥ ବରାଦ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ବିରୋଧୀ ଦଳ ସଦସ୍ୟମାନଙ୍କୁ କଡ଼ା ଜବାବ ଦେଇଛନ୍ତି ।

ବିଧାନସଭାରେ ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ୯୫ହଜାର କୋଟି ଟଙ୍କାର ଲେଖାନୁଦାନ ବ୍ୟୟମଞ୍ଜୁରୀ ବିଲ୍ ଆଲୋଚନାରେ ଭାଗ ନେଇ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ରାଜ୍ୟର ସବୁ ଅଂଚଳର ବିକାଶ ହେବ ଓ କୌଣସି ଅଂଚଳ ଅବହେଳିତ ରହିବ ନାହିଁ । କ୍ଷେତ୍ରୀୟ ଅସାମଞ୍ଜସ୍ୟ ଦୂର କରିବା ପାଇଁ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରାଯିବ । ଏଥିପାଇଁ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ସେହିପରି ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରୀୟ ବଜେଟରେ ବିହାର ଓ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପ୍ୟାକେଜ୍ ମିଳିଲା କିନ୍ତୁ ଓଡ଼ିଶାକୁ କିଛି ମିଳିଲା ନାହିଁ ବୋଲି ବିରୋଧୀ ଦଳ ସଦସ୍ୟମାନେ କହୁଛନ୍ତି । ମାତ୍ର ବଜେଟକୁ ଠିକ୍ ଭାବେ ଅନୁଶୀଳନ କଲେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ୟାକେଜ ଠୁ ବି ଅଧିକ ମିଳିଛି ବୋଲି ଶ୍ରୀ ମାଝୀ କହିଛନ୍ତି । ରେଳ ବଜେଟରେ ଓଡ଼ିଶାକୁ ୧୦୫୦୦କୋଟି ଟଙ୍କା ମିଳିଛି । ୨୦୧୪ ପୂର୍ବର ବଜେଟ୍ ତୁଳନାରେ ୧୨.୫ଗୁଣ ଅଧିକ । ଭୁବନେଶ୍ୱର ଚତୁପାଶ୍ୱର୍ରେ ୧୧୧.୨ କିମି ରିଂ ରୋଡ୍ ପାଇଁ କେନ୍ଦ୍ର ସରକାର ୫୨୦୦ କୋଟି ବ୍ୟୟ ଅଟକଳ କରିଛନ୍ତି । ଏହା ଯେକୌଣସି ସ୍ୱତନ୍ତ୍ର ଅନୁଦାନଠାରୁ ଯଥେଷ୍ଟ ଅଧିକ । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ୨୦୨୩-୨୪ରେ ୯.୫୭ ଲକ୍ଷ ଘର ମିଳିଛି । ପୂର୍ବବର୍ଷ ତୁଳନାରେ ଏହା ଦୁଇ/ତିନି ଗୁଣ ଅଧିକ ।

କୋଷ୍ଟାଲ ହାଇୱେର  ଫୋରଲେନିଂ ପାଇଁ ମଧ୍ୟ ପ୍ରସ୍ତାବ ଚୂଡ଼ାନ୍ତ ହେବାକୁ ଯାଉଛି । ଏହା ସହିତ ଓଡ଼ିଶାରେ ଇକୋନୋମିକ କରିଡର, ଶିଳ୍ପ ପ୍ରତିଷ୍ଠା, ବଡ଼ବିଲରୁ ପାରାଦୀପ ପର୍ଯ୍ୟନ୍ତ ରାସ୍ତାର ଆଠଥାକିଆ ଆଦି ଅନେକ ପ୍ରକଳ୍ପ ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି । ପୂର୍ବ ସରକାର ତୁଳନାରେ ଆମେ କେନ୍ଦ୍ର ସରକାରଙ୍କ ଯୋଜନା ତଥା ରାଜ୍ୟସ୍ତରୀୟ ଯୋଜନାଗୁଡ଼ିକର ସଂଯୋଜନ ମାଧ୍ୟମରେ ରାଜ୍ୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛୁ । ଏହି ବଜେଟ୍ ରାଜ୍ୟର ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ ଓ ଆର୍ଥିକ ସୁପରିଚାଳନା ମଧ୍ୟରେ ସମନ୍ୱୟ ରକ୍ଷା କରିବାର ଏକ ସୁଚିନ୍ତିତ ପ୍ରୟାସ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

Digital Griot