Live Odisha Tv

ପୁଣି ଥରେ ହେବ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର: ରାଜ୍ୟରେ ନୂତନ ସରକାର ଆସିବା ପରଠାରୁ ଅନେକ କିଛି ପରିବର୍ତ୍ତନ ହୋଇଛି । କାହିଁ କେବେଠାରୁ ଚାଲି ଆସୁଥିବା ସମସ୍ତ ପରମ୍ପରାକୁ ଗତ ସରକାର ବନ୍ଦ କରିଥିବା ବେଳେ ବିଜେପି ସରକାର ପୁନଃ କାର୍ଯ୍ୟକ୍ଷମ କରିଛି । ଶ୍ରୀମନ୍ଦିର ଚାରି ଦ୍ୱାର ଫିଟାଠାରୁ ଆରମ୍ଭ କରି ରତ୍ନ ଭଣ୍ଡାର ଖୋଲିବା ଯାଏଁ ବଡ଼ ବଡ଼ ନିଷ୍ପତି ନେଇଛନ୍ତି ମୋହନ ମାଝୀ ସରକାର । ଏହାରି ମଧ୍ୟରେ ରାଜ୍ୟରେ ଗଲା ୭ ବର୍ଷ ହେବ ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ବାଟ ଫିଟିଛି । ଆସନ୍ତାବର୍ଷଠାରୁ କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ଚଳିତ ବର୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି ହୋଇ ନାହିଁ । ଆସନ୍ତାବର୍ଷଠାରୁ ସମସ୍ତ କଲେଜକୁ ନିର୍ବାଚନ ପାଇଁ ପ୍ରସ୍ତୁତ କରାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ପୂର୍ବରୁ ମଧ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କଲେଜ ଇଲେକ୍ସନ ପୁଣି ଥରେ ହେବା ନେଇ ପ୍ରତିକ୍ରିୟା ଦେଇଥିଲେ । ଆସନ୍ତାବର୍ଷ ଠାରୁ ନିର୍ବାଚନ ପାଇଁ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି । ସରକାର ଏ ନିଷ୍ପତ୍ତିକୁ ମଧ୍ୟ ସ୍ୱାଗତ କରାଯାଇଛି ।

୨୦୧୭ ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, କିନ୍ତୁ ଉତ୍କଳ ଏବଂ ରେଭେନ୍ସା ସମେତ ପାଞ୍ଚଟି ବିଶ୍ୱବିଦ୍ୟାଳୟ ସହ ୮ଟି କଲେଜରେ ଛାତ୍ର ଅଶାନ୍ତି କାରଣରୁ ମତଦାନ ହୋଇ ପାରି ନଥିଲା । ୨୦୧୮ରେ ବାତ୍ୟା ତିତିଲି କାରଣରୁ  କଲେଜ ନିର୍ବାଚନ ବନ୍ଦ ହୋଇଯାଇଥିଲା । ୨୦୧୯ ରେ କ୍ୟାମ୍ପସ ହିଂସା ହେତୁ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା ।  ତତ୍କାଳୀନ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏଭଳି ନିର୍ବାଚନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍-୧୯ ମହାମାରୀ ହେତୁ ୨୦୨୦ ଏବଂ ୨୦୨୧ରେ ଛାତ୍ର ସଂଗଠନ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇ ପାରି ନଥିଲା । ଏହା ପରଠାରୁ ବିଜେଡ଼ି ସରକାର ଛାତ୍ର ସଂସଦ ନିର୍ବାଚନ ପାଇଁ ଆଉ ସବୁଜ ସଂକେତ ଦେଇ ନଥିଲେ

Digital Griot