ସମୁଦ୍ର ଗର୍ଭରେ ଜଳୁଛି ନିଆଁ

SHARE NOW :
ଦିଲ୍ଲୀ (ଲାଇଭ୍ ଓଡ଼ିଶା ନ୍ୟୁଜ୍): ଆମେରିକା ମେକ୍ସିକୋ ନିକଟବର୍ତ୍ତୀ ସମୁଦ୍ରରେ ହଠାତ ନିଆଁ ଲାଗିଯାଇଛି । ତେଲ ପାଇପଲାଇନ୍ ଫାଟିଯିବାରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁର ପ୍ରକୋପ ଏତେ ଅଧିକ ଯେ ସମୁଦ୍ର ବି ଅଗ୍ନିପିଣ୍ଡୁଳାର ଭ୍ରମ ସୃଷ୍ଟି କରୁଛି । ଆହୁରି ମଧ୍ୟ ନିଆଁ ଯେଉଁଠି ଲାଗିଛି ସେପାଖରେ ଏକ ଅଏଲ୍ ରିଙ୍ଗ୍ ରହିଛି ଯେଉଁଠାରୁ ତେଲ ନିଷ୍କାସନ କରିବା ପାଇଁ ଉଦ୍ୟମ କରାଯାଉଛି । ନିଆଁର ଭୟଙ୍କର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଦେଖି କିଛି ଏହାକୁ ଆଇ ଅଫ୍ ଫାୟାର କହୁଛନ୍ତି ।
ଜାତୀୟ ଗଣମାଧ୍ୟମ ଅନୁସାରେ, ୟୁକାତନ ପ୍ରାୟଦ୍ୱୀପ ନିକଟରେ ଥିବା ସମୁଦ୍ର ମଧ୍ୟରେ ଏହି ଘଟଣା ଘଟିଛି । ଏହି ଦୃଶ୍ୟ ଏତେ ଭୟଙ୍କର ଯେ, ସମୁଦ୍ରରୁ ଲାଭା ନିର୍ଗତ ହେଉଥିବା ଭଳି ଲାଗୁଛି । ଯେଉଁ ପାଇପଲାଇନରେ ନିଆଁ ଲାଗିଛି ତାହା ମେକ୍ସିକୋ ସରକାରୀ ତୈଳ କମ୍ପାନୀ ପେମେକ୍ସର ଅଟେ । ତେବେ ୫ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କରାଯାଇଥିବା କୁହାଯାଉଛି ।
ଏହାପୂର୍ବରୁ ମଧ୍ୟ ପେମେକ୍ସର ଅନେକ ପ୍ରକଳ୍ପରେ ଭୀଷଣ ଦୁର୍ଘଟଣା ସାମ୍ନାକୁ ଆସିଛି । ତେବେ ଏହି ଅଘଟଣରେ କେହି ଆହତ ହୋଇନଥିବା କମ୍ପାନୀ କହିଛି । ନିଆଁକୁ ଆୟତ୍ତ କରିବାକୁ ନାଇଟ୍ରୋଜେନ୍ ଗ୍ୟାସକୁ ବ୍ୟବହାର କରାଯାଇଥିଲା ।
ଯେଉଁ ପାଇପଲାଇନ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି ତାହା ଡ୍ରିଲିଂ ପ୍ଲାଟଫର୍ମରୁ ମାତ୍ର ୧୫୦ କିମି ଦୂରରେ ଅବସ୍ଥିତ । ଏଠାରୁ ପ୍ରତିଦିନ ୭ ଲକ୍ଷ ବ୍ୟାରେଲ୍ ତୈଳ ଉତ୍ପାଦନ କରାଯାଏ । ଯାହା ପେମେକ୍ସ କମ୍ପାନୀର ମୋଟ୍ ତୈଳ ଉତ୍ପାଦନର ୪୦ ପ୍ରତିଶତ ଅଟେ ।