FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. କିସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜୟ ଉତ୍ସବ

କିସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜୟ ଉତ୍ସବ

କିସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜୟ ଉତ୍ସବ
SHARE NOW :

ଭୁବନେଶ୍ୱର : ଦେଶର ପଞ୍ଚଦଶ ରାଷ୍ଟପ୍ରତି ଭାବେ ଓଡ଼ିଶା ମାଟିର ଗର୍ବ ଓ ଗୌରବ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ବିଶ୍ୱର ସର୍ବବୃହତ ଜନଜାତି ଶିକ୍ଷାନୁଷ୍ଠାନ କିସ୍‍ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ସୋମବାର ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ କିସ୍‍ର ୩୦ ହଜାର ଛାତ୍ରଛାତ୍ରୀ ଶ୍ରୀମତୀ ମୁର୍ମୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

ସଂପ୍ରତି ସମଗ୍ର ଭାରତ ସ୍ୱଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ଜଣେ ଜନଜାତି ମହିଳାଙ୍କୁ ରାଷ୍ଟ୍ରପତି ଭାବେ ପାଇଥିବାରୁ କିସ୍‍ର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତିଙ୍କ ବିଜୟ ଉତ୍ସବ ପାଳନ ଉପଲକ୍ଷେ ଦୁଇ ଦିନ ଧରି କିସ୍‍ରେ ୩୦ ହଜାରରୁ ଊର୍ଦ୍ଧ୍ୱ ଲଡ଼ୁ ପ୍ରସ୍ତୁତ କରାଯାଇଥିଲା । ଏହି ଲଡ଼ୁ ପ୍ରସ୍ତୁତିରେ ଶ୍ରୀମତୀ ମୁର୍ମୁଙ୍କ ଗ୍ରାମର ପିଲାମାନେ ସହଯୋଗ କରିଥିଲେ ।

ଗୌରବର ବିଷୟ ହେଉଛି ବିଶ୍ୱର ଏହି ସର୍ବବୃହତ ଶିକ୍ଷାନୁଷ୍ଠାନ କିସ୍‍ରେ ରାଷ୍ଟ୍ରପତିଙ୍କ ଜ୍ୱାଇଁ ଗଣେଶ ଚନ୍ଦ୍ର ହେମ୍ବ୍ରମ୍‍ ଦୀର୍ଘ ୧୫ବର୍ଷ ଧରି ଶିକ୍ଷା ଗ୍ରହଣ କରିଥିଲେ । ଗଣେଶ କେବଳ କିସ୍‍ର ଛାତ୍ର ନ ଥିଲେ, ସେ ଜଣେ ଉତ୍ତମ ରଗ୍‍ବୀ ଖେଳାଳି ମଧ୍ୟ ଥିଲେ । ସେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ରଗ୍‍ବୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କିସ୍‍ ତଥା ରାଜ୍ୟକୁ ସଫଳତା ଆଣି ଦେଇଛନ୍ତି । ଇଂଲଣ୍ଡରେ ପ୍ରଥମ କରି ୨୦୦୭ରେ ଅନୁଷ୍ଠିତ ହୋଇଥିବା କନିଷ୍ଠ ବିଶ୍ୱ କପ୍‍ ରଗ୍‍ବୀ ଖେଳି ଚାମ୍ପିଅନ୍‍ ହେବା ସହ ଭାରତ ପାଇଁ ଗୌରବ ଆଣିଥିଲେ ଗଣେଶ । କିସ୍‍ ପକ୍ଷରୁ ଗଣେଶ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଦକ୍ଷିଣ କୋରିଆ ଆଦି ଦେଶ ଗସ୍ତ କରି ବିଭିନ୍ନ ଅନ୍ତର୍ଜାତୀୟ ରଗ୍‍ବୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଶ୍ରୀମତୀ ମୁର୍ମୁଙ୍କ ସୁପୁତ୍ର ମଧ୍ୟ କିଟ୍‍ରେ ୨୦୦୩ରୁ ୨୦୦୬ ପର‌୍ୟ୍ୟନ୍ତ ଶିକ୍ଷା ଲାଭ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଅକାଳ ବିୟୋଗ ଘଟିଥିଲା ।

ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ କରି କିସ୍‍ର ୩୦ ହଜାର ଛାତ୍ରଛାତ୍ରୀ ଗର୍ବ ଓ ଆନନ୍ଦ ଅନୁଭବ କରୁଛନ୍ତି । ଏହା ଦ୍ୱାରା ଆମମାନଙ୍କ ମନୋବଳ ବୃଦ୍ଧି ପାଇବା ସହ ଭବିଷ୍ୟତରେ ଆମେମାନେ ମଧ୍ୟ କିଛି ନା କିଛି କରିପାରିବୁ ବୋଲ ଆମେ ଆଶାବାଦୀ ହୋଇପାରୁଛୁ ବୋଲି କିସ୍‍ର ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି । ବହୁ ସଂଘର୍ଷ କରି ଶ୍ରୀମତୀ ମୁର୍ମୁ ନିଜେ ଶିକ୍ଷା ଗ୍ରହଣ କରିବା ସହ ଶିକ୍ଷାର ଗୁରୁତ୍ୱ ଭଲ ଭାବେ ବୁଝିଛନ୍ତି । ସେଥିପାଇଁ ନିଜ ପରିବାର ଓ ନିଜ ଅଞ୍ଚଳରୁ ବହୁ ଗରିବ ଛାତ୍ରଛାତ୍ରୀଙ୍କୁ କିସ୍‍କୁ ପଠାଇ ନାମ ଲେଖାଇଥିଲେ । ସେହି ପିଲାମାନେ ଆଜି ଉଚ୍ଚ ଶିକ୍ଷିତ ହେବା ସହ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶାର ଜଣେ ଜନଜାତି ମହିଳାଙ୍କୁ ଦେଶର ସର୍ବୋଚ୍ଚ ଆସନରେ ଅଭିଷିକ୍ତ କରାଇବା କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିଛନ୍ତି ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ଏହା ସହ ଏ ଦିଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହଯୋଗ କରିଥିବାରୁ ଛାତ୍ରଛାତ୍ରୀମାନେ ଶ୍ରୀ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଦ୍ରୌପଦୀ ମୁର୍ମୁ ଜନଜାତିଙ୍କ ବିକାଶ ପାଇଁ ଅନେକ କାର୍ଯ୍ୟ କରିଯାଇଛନ୍ତି । ଭବିଷ୍ୟତରେ ମଧ୍ୟ ଜନଜାତି ବିକାଶ କ୍ଷେତ୍ରରେ ତାଙ୍କ ଦ୍ୱାରା ଅନେକ କାର୍ଯ୍ୟ ହେବ ବୋଲି ଛାତ୍ରଛାତ୍ରୀମାନେ ଆଶା ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published.

Related Posts