କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ସେପ୍ଟେମ୍ବର ୨୭ ରେ ଭାରତ ବନ୍ଦ

SHARE NOW :
ଭୁବନେଶ୍ୱର(ଲାଇଭ୍ ଓଡିଶା ନ୍ୟୁଜ୍) : କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ଚାଷୀମାନେ ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ତେବେ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଦେଶବ୍ୟାପୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭାରତ ବନ୍ଦରେ ଦିନ ସାରା ଦେଶରେ ଟ୍ରେନ ଏବଂ ବସ ସେବା ବନ୍ଦ ରହିବା ସହ ବ୍ୟାଙ୍କ ସେବା ବନ୍ଦ ରହିବା ନେଇ ଘୋଷଣା କରାଯାଇଛି। ବିଭିନ୍ନ ଟ୍ରେଡ ୟୁନିୟନ, କୃଷକ, ଶିକ୍ଷକ, ଯୁବ, ଶ୍ରମିକ ଦଳ ଇତ୍ୟାଦି ପ୍ରାୟ ୧୦୦ଟି ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି।
ଆନ୍ଦୋଳନକାରୀ କୃଷକ ନେତାମାନଙ୍କ କହିବା ଅନୁସାରେ ଯଦି ସରକାର ସେମାନଙ୍କ ଦାବିକୁ ଗ୍ରହଣ ନ କରନ୍ତି ତେବେ ୨୦୨୨ରେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସେମାନେ ଶାସକ ବିଜେପି ବିରୋଧରେ ପ୍ରଚାର କରିବେ। ଖାଲି ସେତିକି ନୁହେଁ, ୨୦୨୪ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି।
କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଉତ୍ତରପ୍ରଦେଶର ମୁଜାଫରନଗରଠାରେ ଏକ କିଶାନ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା। ସେଥିରେ କୃଷକ ଏକତାର ଶକ୍ତି ପ୍ରଦର୍ଶନ କରିବା ପାଇଁ ୧୫ଟି ରାଜ୍ୟର ୩୦୦ରୁ ଅଧିକ କୃଷକ ସଙ୍ଗଠନର ହଜାର ହଜାର ନେତା ଓ କର୍ମୀ ଅଂଶଗ୍ରହଣ କରି ସେମାନଙ୍କର ସଂକଳ୍ପକୁ ଦୋହରାଇବା ସହ ଆନ୍ଦୋଳନ ଜାରି ରଖିବାକୁ ଶପଥ ନେଇଥିଲେ। ଏହି ଅବସରରେ ବିବାଦୀୟ କୃଷି ଆଇନକୁ ବିରୋଧ କରି କୃଷକମାନେ ସେପ୍ଟେମ୍ବର ୨୭ରେ ସମ୍ପୂର୍ଣ୍ଣ ଭାରତ ବନ୍ଦ ପାଇଁ ଆହ୍ଵାନ ଦେଇଛନ୍ତି।