ଆଜି ପାଳିତ ହେଉଛି ଭାରତୀୟ ବାୟୁସେନାର ୮୯ତମ ପ୍ରତିଷ୍ଠା ଦିବସ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଆଜି ହେଉଛି, ଭାରତୀୟ ବାୟୁସେନାର ୮୯ ତମ ପ୍ରତିଷ୍ଠା ଦିବସ । ଭାରତୀୟ ବାୟୁସେନା ୮ ଅକ୍ଟୋବର, ୧୯୩୨ ମସିହାରେ ବ୍ରିଟିଶ ସାମ୍ରାଜ୍ୟ ଦ୍ୱାରା ଦେଶରେ ପ୍ରତିଷ୍ଠିତ ହୋଇଥିଲା। ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୮ ତାରିଖକୁ ବାୟୁସେନା ଦିବସ ଭାବେ ପାଳନ କରାଯାଉଛି । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଅଂଶଗ୍ରହଣ ପରେ ହିଁ ଭାରତର ବାୟୁସେନା ରୟାଲ୍ ଇଣ୍ଡିଆନ୍ ବାୟୁସେନା ଭାବରେ ପରିଚିତ ହେଲା। ସ୍ୱାଧୀନତା ପରେ, ୧୯୫୦ମସିହାରେ ଏହାର ନାମ ଭାରତୀୟ ବାୟୁସେନାରେ ପରିବର୍ତ୍ତିତ ହେଲା।
ଚଳିତ ବର୍ଷ ଭାରତୀୟ ବାୟୁସେନା ଆଜିର ଦିନକୁ ବିଜୟ ବର୍ଷ ଭାବେ ପାଳନ କରୁଛି । ଏହି ଦିବସକୁ ଧୁମଧାମରେ ପାଳନ କରିବାକୁ ଭାରତୀୟ ବାୟୁସେନା ସମସ୍ତ ପ୍ରକାରର ପ୍ରସ୍ତୁତି କରିଛି। ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସରେ ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧର ବିଜୟ ଗାଥା ପ୍ରଦର୍ଶିତ ହେବ । ଚଳିତ ବର୍ଷ ଭାରତ-ପାକିସ୍ତାନ ଯୁଦ୍ଧକୁ ୫୦ ବର୍ଷ ପୂରଣ ହେଉଥିବାରୁ ଏପରି ଆୟୋଜନ କରିଛି ଭାରତୀୟ ବାୟୁସେନା ।
ବାୟୁସେନାର ଏହି ଉତ୍ସବରେ ଫାଈଇଟର୍ ଜେଟ୍ ରାଫେଲ୍ ପ୍ରମୁଖ ଆକର୍ଷଣ ସାଜିବ। ପରେଡଗ୍ରାଉଣ୍ଡରେ ରାଫେଲ ସମେତ ସୁଖୋଇ, ମିରାଜ୍ ଓ ତେଜସ ଭାଗନେବେ। ଆକାଶମାର୍ଗରେ ବାୟୁସେନା କର୍ମଚାରୀ ନିଜର କଳାକୌଶଳ ପ୍ରଦର୍ଶନ କରିବେ। ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ବାୟୁସେନା ଭାବେ ପରିଚିତ ଭାରତୀୟ ବାୟୁସେନାର ଇତିହାସ ବେଶ୍ ଗୌରବମୟ ହୋଇ ରହିଛି । ରାଫାଲ, ତେଜସ୍, ସୁଖୋଇ ଏବଂ ମିରାଜ୍ ଭଳି ଅତ୍ୟାଧୁନିକ ବିମାନ ସହିତ ସଜ୍ଜିତ ଆମର ବାୟୁସେନା ଶତ୍ରୁମାନଙ୍କ ହୃଦୟରେ ଆତଙ୍କ ସୃଷ୍ଟି କରେ । ନିଜ ଜିବନକୁ ବାଜି ଲଗାଇ , ଦେଶ ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିବା ଆମ ଭାରତୀୟ ବାୟୁସେନାକୁ ସଲାମ୍ ।