FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଅତ୍ୟଧିକ ମୋବାଇଲ ଫୋନ ବ୍ୟବହାର ମସ୍ତିଷ୍କ ଟ୍ୟୁମରର କାରଣ ହୋଇପାରେ: କିମ୍‍ସ ବିଶେଷଜ୍ଞ

ଅତ୍ୟଧିକ ମୋବାଇଲ ଫୋନ ବ୍ୟବହାର ମସ୍ତିଷ୍କ ଟ୍ୟୁମରର କାରଣ ହୋଇପାରେ: କିମ୍‍ସ ବିଶେଷଜ୍ଞ

ଅତ୍ୟଧିକ ମୋବାଇଲ ଫୋନ ବ୍ୟବହାର ମସ୍ତିଷ୍କ ଟ୍ୟୁମରର କାରଣ ହୋଇପାରେ: କିମ୍‍ସ ବିଶେଷଜ୍ଞ
SHARE NOW :

ଭୁବନେଶ୍ୱର (ଲାଇଭ ଓଡ଼ିଶା): ଦୀର୍ଘ ସମୟ ଧରି ମୋବାଇଲ୍‍ ଫୋନ୍‍ ବ୍ୟବହାର କରୁଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଦୀର୍ଘ ସମୟ ଧରି ମୋବାଇଲ ଫୋନ୍‍ ବ୍ୟବହାର ଦ୍ୱାରା ମସ୍ତିଷ୍କ ଟ୍ୟୁମର ହୋଇପାରେ ବୋଲି କିମ୍‍ସ-ଭୁବନେଶ୍ୱରର ସ୍ନାୟୁ ସର୍ଜନ ଡା. ନରେନ୍ଦ୍ର କୁମାର ଦାସ ସତର୍କ କରାଇଛନ୍ତି। ଜୁନ ୮ ତାରିଖ ଅନ୍ତର୍ଜାତୀୟ ମସ୍ତିଷ୍କ ଟ୍ୟୁମର ଦିବସ ପାଳନ ଅବସରରେ ଡା ଦାସ ସୂଚନା ଦେଇ କହିଛନ୍ତି, ମସ୍ତିଷ୍କ ଟ୍ୟୁମର ଯେ କୌଣସି ବର୍ଗ ଏବଂ ବୟସର ବ୍ୟକ୍ତିଙ୍କୁ ହୋଇପାରେ। କିଏ କେତେବେଳେ ଏହାର ଶିକାର ହେବ କହିହେବ ନାହିଁ। ସମସ୍ତ ମସ୍ତିଷ୍କ ଟ୍ୟୁମର କର୍କଟ ରୋଗ ନୁହେଁ, କିନ୍ତୁ ଠିକ ସମୟରେ ରୋଗ ନିରୂପଣ ଏବଂ ଚିକିତ୍ସା ଦ୍ୱାରା ଏହି ରୋଗ ଉପଶମ ହୋଇପାରିବ ବୋଲି ଡା. ଦାସ କହିଛନ୍ତି। ଏହି ରୋଗର ନିର୍ଦ୍ଦିଷ୍ଟ କାରଣ ନ ଥିଲେ ସୁଦ୍ଧା ଏହା ସାଧାରଣତଃ ବଂଶଗତ ଏବଂ ଅତ୍ୟଧିକ ମୋବାଇଲ ଫୋନର ବ୍ୟବହାର ଯୋଗୁଁ ହୋଇଥାଏ ବୋଲି ଡା. ଦାସ କହିଛନ୍ତି। ଏହାର ପ୍ରକୃତ କାରଣ ଖୋଜିବା ନେଇ ଅଧୟନ ଚାଲିଛି। ଡା. ଦାସ କହିଛନ୍ତି ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ହେଲେ ମଧ୍ୟ ଲଗାତାର ଏହି ସମସ୍ୟା ଲାଗି ରହିଲେ ମସ୍ତିଷ୍କ ଟ୍ୟୁମର ଶିକାର ହେବାର ଅଶଙ୍କା ଥାଏ। ତେଣୁ ଦୀର୍ଘ କାଳୀନ ମୁଣ୍ଡବିନ୍ଧା ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଅନେକଙ୍କ ଧାରଣା, ମସ୍ତିଷ୍କ ଟ୍ୟୁମର କର୍କଟ ରୋଗ ନୁହେଁ; କିନ୍ତୁ ୩୦ ରୁ ୪୦ ପ୍ରତିଶତ ମସ୍ତିଷ୍କ ଟ୍ୟୁମର କର୍କଟ ରୋଗର କାରଣ ହୋଇପାରେ।

ଲକ୍ଷଣ:

ମୁଣ୍ଡବିନ୍ଧା, ବାନ୍ତି, ବାତମାରିବା, ପାଶ୍ୱର୍ ପକ୍ଷାଘାତ, ଦୃଷ୍ଟି ଓ ଶ୍ରବଣ ଶକ୍ତି ହ୍ରାସ, ଚାଲିବାରେ ଅସୁବିଧା, କଥା କହିବା ବେଳେ ଥଙ୍ଗେଇବା, ଶରୀରରେ ହଠାତ ମାଂସପେଶୀ ବୃଦ୍ଧି ପାଇବା ଏବଂ ଗଳାରେ ସମସ୍ୟା ଦେଖାଦେବା ଆଦି ମସ୍ତିଷ୍କ ଟ୍ୟୁମରର ପ୍ରାଥମିକ ଲକ୍ଷଣ ଅଟେ। ଏଗୁଡ଼ିକ ମଧ୍ୟରୁ ଶରୀରରେ କୌଣସି ଲକ୍ଷଣ ଦେଖାଦେଲେ ଯଥାଶୀଘ୍ର ସ୍ନାୟୁ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଦରକାର। ସିଟି ସ୍କାନ ଏବଂ ମସ୍ତିଷ୍କ ଏମ୍‌ଆରଆଇ ସ୍କାନ ଦ୍ୱାରା ମସ୍ତିଷ୍କ ଟ୍ୟୁମରର ଆକାର, ଅବସ୍ଥାନ ଏବଂ ପ୍ରକାର ନିର୍ଣ୍ଣୟ କରାଯାଇ ଚିକିତ୍ସା କରିବା ସହଜ ହୋଇଥାଏ।

ପ୍ରକାର:

ବିଭିନ୍ନ ପ୍ରକାରର ମସ୍ତିଷ୍କ ଟ୍ୟୁମର ରହିଛି, ଯଥା- ଆଷ୍ଟ୍ରୋସାଇଟୋମା, ଗ୍ଲୋବ୍ଲାଷ୍ଟୋମା, ମେନିଙ୍ଗିଓମା, ମେଟାଷ୍ଠାଟିକ୍ ଟ୍ୟୁମର, ସ୍କାନୋମାସ୍ ଟ୍ୟୁମର, ପିଟୁଇଟାରୀ ଟ୍ୟୁମର, ଏବଂ ମେଡୁଲୋବ୍ଲାଷ୍ଟୋମା ଇତ୍ୟାଦି।

ଚିକିତ୍ସା:

ମସ୍ତିଷ୍କ ଟ୍ୟୁମର ଆତ୍ମଘାତୀ ହୋଇଥିଲେ ମଧ୍ୟ ଉପଯୁକ୍ତ ଚିକିତ୍ସା କରାଗଲେ ସମୟ ପୂର୍ବରୁ ଏହାକୁ ଏଡ଼ାଇ ଯାଇପାରିବ। ଅସ୍ତ୍ରୋପଚାର ହେଉଛି ଏହି ରୋଗର ସାଧାରଣ ଚିକିତ୍ସା। ସୁସ୍ଥ ମସ୍ତିଷ୍କ ଟିସ୍ୟୁକୁ ନଷ୍ଟ ନ କରି ସର୍ଜନମାନେ ଟ୍ୟୁମର କୋଷଗୁଡ଼ିକ ଅସ୍ତ୍ରୋପଚାର କରି ବାହାର କରିଥାନ୍ତି। ଏବେ ମସ୍ତିଷ୍କ ଟିସ୍ୟୁରେ ସର୍ବନିମ୍ନ କ୍ଷତରେ ପ୍ରଭାବଶାଳୀ ଅସ୍ତ୍ରୋପଚାର ହୋଇପାରୁଛି। ମାଇକ୍ରୋସ୍କୋପ୍‌, ନ୍ୟୁରୋ ନେଭିଗେସନ୍ ସିଷ୍ଟମ୍‌, ଇଣ୍ଟ୍ରାଅପରେଟିଭ୍ ମନିଟରିଂ ସିଷ୍ଟମ୍‌, ଇଣ୍ଟ୍ରା ଅପରେଟିଭ୍ ସିଟି ସ୍କାନ ଏବଂ ନ୍ୟୁରୋ ଏଣ୍ଡୋସ୍କୋପିକ୍ ସିଷ୍ଟମ୍ ଆଦି ଅତ୍ୟାଧୁନିକ ଅସ୍ତ୍ରୋପଚାର ମସ୍ତିଷ୍କ ଟ୍ୟୁମର ଚିକିତ୍ସାର ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଆୱେକ୍ କ୍ରାନିଓଟୋମି:

ରୋଗୀ ଜାଗ୍ରତ ବା ସଚେତନ ଥିବା ସମୟରେ ‘ଆୱେକ୍ କ୍ରାନିଓଟୋମି’ ବା ଜାଗ୍ରତ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥାଏ। ଏହି ଅସ୍ତ୍ରୋପଚାର ଦ୍ୱାରା ରୋଗୀର ବାକଶକ୍ତି, ଦୃଷ୍ଟି ଓ ଗତିବିଧିରେ କିଭଳି ପ୍ରଭାବ ପକାଉଛି ତାହା ଜାଣିବା ପାଇଁ ଡାକ୍ତରଙ୍କୁ ସୁବିଧା ହୋଇଥାଏ। ଯଦି ଜଣେ ଗାୟକ ଟ୍ୟୁମର ପ୍ରଭାବିତ ହୋଇଥାନ୍ତି, ତାଙ୍କୁ ଗୀତ ଗାଇବା/ ଜପ କରିବାକୁ କୁହାଯାଇଥାଏ। ଗୀତ ଗାଇବା ସମୟରେ ମସ୍ତିଷ୍କ କାର୍ଯ୍ୟକ୍ଷମ ଥିବାରୁ ଡାକ୍ତର ଅସ୍ତ୍ରୋପଚାରର ପ୍ରଭାବ ଆକଳନ କରିଥାନ୍ତି। ମସ୍ତିଷ୍କ ଟ୍ୟୁମର ଅସ୍ତ୍ରୋପଚାର ପରେ ଅଧିକାଂଶ ରୋଗୀ ସାଧାରଣତଃ ଶୀଘ୍ର ସୁସ୍ଥ ହୁଅନ୍ତି। ତେବେ ରୋଗୀମାନେ କେଉଁ ଅବସ୍ଥାରେ ଡାକ୍ତରଖାନାକୁ ଆସିଥାନ୍ତି, ସେମାନଙ୍କ ଆରୋଗ୍ୟ ତାହା ଉପରେ ନିର୍ଭର କରେ। ରୋଗୀ ବହୁ ବିଳମ୍ବରେ ଡାକ୍ତରଙ୍କ ନିକଟରେ ପହଞ୍ଚିଲେ ଚିକିତ୍ସା ଜଟିଳ ହୋଇଥାଏ। 

Leave a Reply

Your email address will not be published.

Related Posts