- Home
- »
- Breaking News
- »
- ଆସନ୍ତା ୧୬ରେ ନୂଆ ଅଧ୍ୟକ୍ଷ ନିଯୁକ୍ତି ନେଇ କଂଗ୍ରେସର ବୈଠକ
ଆସନ୍ତା ୧୬ରେ ନୂଆ ଅଧ୍ୟକ୍ଷ ନିଯୁକ୍ତି ନେଇ କଂଗ୍ରେସର ବୈଠକ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ । ଆସନ୍ତା ୧୬ ତାରିଖରେ ଏନେଇ ବସିବ ବୈଠକ । ଅଧ୍ୟକ୍ଷ ବିହୀନ କଂଗ୍ରେସର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଦଳୀୟ କନ୍ଦଳ ନୀତି ଯୋଗୁ ଏବେ ଅଡୁଆ ପରିସ୍ଥିତିରେ ଛନ୍ଦି ହୋଇଯାଉଛି କଂଗ୍ରେସ । ଏନେଇ ଅନେକ ବରିଷ୍ଠ ନେତା ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ଦାବି କରୁଛନ୍ତି । ନୂଆ ମୁଖିଆଙ୍କ ବ୍ୟତୀତ ଏହି ବୈଠକରେ ବର୍ତ୍ତମାନର ରାଜନୀତିକ ସ୍ଥିତି ଓ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମାନସମନ୍ଥନ ହେବ। ଏ ସମ୍ପର୍କରେ ବରିଷ୍ଠ ନେତା କେସି ଭେନୁଗୋପାଲ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି, “କଂଗ୍ରେସର ୱାର୍କିଂ କମିଟିର ବୈଠକ ଆସନ୍ତା ୧୬ ତାରିଖ ଦିନ ୧୦ଟା ବେଳେ ଦିଲ୍ଲୀ ମୁଖ୍ୟାଳୟରେ ଅନୁଷ୍ଠିତ ହେବ। ଏହି ବୈଠକରେ ବର୍ତ୍ତମାନର ରାଜନୀତିକ ସ୍ଥିତି, ଆସନ୍ତାବର୍ଷ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଓ ସାଂଗଠନିକ ନିର୍ବାଚନ ବିଷୟରେ ଆଲୋଚନା ହେବ।”ଗତ ମାସରେ ପଞ୍ଜାବ କଂଗ୍ରେସରେ କନ୍ଦଳ ଯୋଗୁ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ହଟାଇ ଦଳ ଚରଣଜିତ ସିଂହ ଚନ୍ନିଙ୍କୁ ଏହି ପଦରେ ନିଯୁକ୍ତି ଦେଇଛି। ଏହି ଘଟଣା ପରେ ଖୁବଶୀଘ୍ର କଂଗ୍ରେସର ସିଡବ୍ଲ୍ୟୁସି ବୈଠକ ବସିବ ବୋଲି ମୁଖ୍ୟପାତ୍ର ରଣଦୀପ ସୂର୍ୟ୍ୟେୱାଲା ସୂଚନା ଦେଇଥିଲେ।ଏବେ ବିଧିବଦ୍ଧ ଭାବେ ୧୬ ତାରିଖରେ ବୈଠକ ହେବ ବୋଲି ଘୋଷଣା କରାଯାଇଛି।