ବିବାହ ବିଚ୍ଛେଦକୁ ନେଇ ଭୋଜି ଦେଲେ ମହିଳା

SHARE NOW :
ନୂଆଦିଲ୍ଲୀ,୨୪.୯( ଲାଇଭ୍ ଓଡିଶା ନ୍ୟୁଜ୍): ସାଧାରଣତ ବୈବାହିକ ସମ୍ପର୍କରେ ବିଚ୍ଛେଦ ଘଟିଲେ ଅନେକ ଗଭୀର ଦୁଃଖ ପ୍ରକାଶ କରିଥାନ୍ତି। କିନ୍ତୁ ଜଣେ ମହିଳା ନିଜର ୧୭ ବର୍ଷର ବିବାହ ବନ୍ଧନକୁ ତୁଟାଇବା ପରେ ଏତେ ଖୁସି ହୋଇଯାଇଥିଲେ ଯେ ସେଥିପାଇଁ ଏକ ଭୋଜିର ଆୟୋଜନ କରିଥିଲେ। କେବଳ ସେତିକି ନୁହେଁ, ସେ ଏବେ ବନ୍ଧନମୁକ୍ତ ବୋଲି ମଧ୍ୟ ଗର୍ବର ସହିତ ଘୋଷଣା କରିଥିଲେ।
ମହିଳା ଜଣକ ହେଉଛନ୍ତି ୪୫ ବର୍ଷ ବୟସ୍କା ସୋନିଆ ଗୁପ୍ତା। ସେ ୨୦୦୩ରେ ବିବାହ କରିବା ପରେ ସ୍ୱାମୀଙ୍କ ସହିତ ବ୍ରିଟେନ ଚାଲିଯାଇଥିଲେ। କିନ୍ତୁ ବିବାହ ପରେ ସେ ଖୁସି ନଥିବା ତାଙ୍କ ପରିବାରକୁ ଜଣାଇଥିଲେ ।
ହେଲେ ଯେତେବେଳେ ପୃଥକ ହେବା କଥା କହିଲେ ତାଙ୍କୁ କେହି ସମର୍ଥନ କରିନଥିଲେ କିମ୍ବା ମାନସିକ ସ୍ତରରେ ସାନ୍ତ୍ୱନା ମଧ୍ୟ ଦେଇନଥିଲେ। ତେବେ ତାଙ୍କର ସାଙ୍ଗସାଥୀ ଏବଂ ଦୁଇପୁଅ ମିଖାଲ ଓ ଶୟ ତାଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ଶେଷରେ ଦୀର୍ଘବର୍ଷ ଅସନ୍ତୋଷ ବୈବାହିକ ସର୍ମ୍ପକ କୁ ବିଚ୍ଛେଦ ପାଇଁ ସେ ଆବେଦନ କରିଥିଲେ।
ଦୀର୍ଘ ତିନିବର୍ଷ କାଳ ଏହି ବିବାଦ ଚାଲିବା ପରେ ଶେଷରେ ଅଦାଲତରେ ତାଙ୍କର ବିଚ୍ଛେଦ ଘଟିଛି। ଅଦାଲତ ରାୟ ଶୁଣାଇବା ପରେ ଖୁବ୍ ଖୁସି ହୋଇଯାଇଥିଲେ ସୋନିଆ । ଏଥିସହ ନିଜ ସାଙ୍ଗସାଥୀ ଓ ସଂପର୍କୀୟଙ୍କ ପାଇଁ ଏକ ଭବ୍ୟ ଭୋଜିର ଆୟୋଜନ କରିଥିଲେ।
ସୋନିଆ କହିଛନ୍ତି, ଅନେକ ଭାବନ୍ତି ଯେ ବିବାହ ବିଚ୍ଛେଦ ଘଟିବା ପରେ ଜୀବନ ସେଇଠି ସରିଗଲା। କିନ୍ତୁ ତାଙ୍କ ପାଇଁ ଜୀବନ ଏବେଠାରୁ ଆରମ୍ଭ ହେଲା। ସେ ଜୀବନରେ ଅନେକ କିଛି ଶିଖିଛନ୍ତି ଏବଂ ଜଣେ ମଜଭୁତ ମଣିଷର ପରିଣତ ହୋଇଛନ୍ତି। ଏବେ ସେ ନିଜ ଜୀବନକୁ ସର୍ବୋତ୍ତମ ଭାବରେ ବଞ୍ଚିବାର ଚେଷ୍ଟା କରିବେ।