- Home
- »
- Breaking News
- »
- ସ୍ମୃତିରେ ‘ମିସାଇଲ ମ୍ୟାନ’; ୯୦ତମ ଜନ୍ମ ଜୟନ୍ତୀରେ ମନେପକାଉଛି ସାରା ଦେଶ
ସ୍ମୃତିରେ ‘ମିସାଇଲ ମ୍ୟାନ’; ୯୦ତମ ଜନ୍ମ ଜୟନ୍ତୀରେ ମନେପକାଉଛି ସାରା ଦେଶ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ମନରେ ଉଚ୍ଚ ଅଭିଳାଶ । ଆଖିରେ ଆଖିଏ ସ୍ୱପ୍ନ । ଶୈଶବରୁ କିଛି ଭିନ୍ନ କରିବାର ଉଦବେଗ । ମନରେ ଅନନ୍ତ ବିଚାର । ତୁଳସୀ ଦୁଇପତ୍ରରୁ ବାସିଲା ପରି ପିଲାଟିଦିନରୁ ବାରି ହେଇଯାଉଥିଲା ତାଙ୍କ ପ୍ରତିଭା । ଏ ମାଟିରେ ବିତିଯାଇଥିବା ତାଙ୍କର ପ୍ରତିଟି ମୂହୁର୍ତ୍ତ । ଓ ଆଗାମୀ ପୀଢିଙ୍କ ପାଲଟୁଥିଲା ପ୍ରେରଣାର ଉତ୍ସ । ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁ ରାମେଶ୍ୱରମରେ ଏକ ସାଧାରଣ ଗରିବୀ ମୁସଲିମ ପରିବାରରେ ତାଙ୍କ ଜନ୍ମ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ପ୍ରତ୍ୟେକଟି କାମ ଜିତିନେଇଥିଲା ସାରା ଦେଶବାସୀଙ୍କ ମନ । ଖାଲି ଏତିକି ନୁହେଁ ସେ ସମସ୍ତଙ୍କ ପାଇଁ ପାଲଟିଯାଇଥିଲେ ପ୍ରେରଣାର ସ୍ରୋତ । ସେ ବଳିଷ୍ଠ ବ୍ୟକ୍ତିତ୍ୱ ଜଣକ ହେଉଛନ୍ତି ଭାରତର ମିସାଇଲ ମ୍ୟାନ ଏପିଜେ ଅବଦୁଲ କାଲାମ । ଆଜି ଏହି ମହାନ ବ୍ୟକ୍ତିତ୍ୱଙ୍କ ଜନ୍ମବାର୍ଷିକୀ । ଅନେକ ମାର ସନ୍ତାନ ଏ ଦେଶକୁ ଗର୍ବୀତ କରିଛନ୍ତି । କିନ୍ତୁ ନିଜର କର୍ତ୍ତବ୍ୟନିଷ୍ଠା, କଠିନ ପରିଶ୍ରମରେ କାଲାମ ରଚିଯାଇଛନ୍ତି ଇଚ୍ଛିହାସର ସ୍ୱର୍ଣ୍ଣିମ ପୃଷ୍ଠା ।କଲାମ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ବେଳେ ପରିବାରର ୫ସନ୍ତାନଙ୍କ ମଦ୍ୟରେ ସେ ଥିଲେ ସବୁଠୁ ସାନ । ବାପା ଡଙ୍ଗା ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । ସେଥିପାଇଁ କଲାମ ଖୁବ କମ ବୟସରୁ ଡଙ୍ଗା ଚଳାଇବା ସହ ଖବର କାଗଜ ବିକ୍ରି ଆରମ୍ଭ କରିଦେଇଥିଲେ । ହେେଏ ଏସବୁ ପ୍ରତିବନ୍ଧକ ତାଙ୍କ ସଫଳ ରାସ୍ତାକୁ ପ୍ରତିରୋଧ କରିପାରିନଥିଲା । କଲାମ ସବୁବେଳେ ଉଚ୍ଚ ସ୍ୱପ୍ନ ଦେଖୁଥିଲେ ଓ ତାକୁ ସାକାର କରିବା ପାଇଁ ବହୁ ପ୍ରଚେଷ୍ଟା କରୁଥିଲେ । କଲାମ ସବୁବେଳେ ସମସ୍ତଙ୍କୁ କହୁଥିଲେ ସ୍ୱପ୍ନ ଏପରି ଦେଖନି ଯାହା ଶୋଇ କରି ଦେଖାଯାଏ ବରଂ ଏପରି ସ୍ୱପ୍ନ ଦେଖ ଯାହାପାଇଁ ନିଦ ହଜିଯିବ । ତାଙ୍କର ଏହି କଥା ପଦକରେ କେତେ ଯେ ସତ୍ୟତା ଅଛି ତାହା ତାଙ୍କର ଜୀବନୀରୁ ସ୍ପଷ୍ଟ ଭାବରେ ବାରୀ ହୋଇପଡୁଛି ।ରାମନାଥପୁରରେ ମାଟ୍ରିକ ଶିକ୍ଷା ଶେଷ କରିବା ପରେ ସେ ତିରୁଚିରାପଲ୍ଲୀ ସ୍ଥିତ ସେଣ୍ଟ ଯୋଶେଫ କଲେଜରେ ନାମ ଲେଖାଇଥିଲେ। ଏଠାର ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ୧୯୫୫ରେ ମାଡ୍ରାସ ଚାଲିଗଲେ ଏରୋସ୍ପେସ୍ ଇଂଜିନିୟରିଂ ପଢ଼ିବା ପାଇଁ । ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ୧୯୬୦ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ । ଏହି କ୍ରମରେ ୧୯୬୯ରେ ଯୋଡି ହୋଇଥିଲେ ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର ଇସ୍ରୋ ସହ । ସେବେଠୁ ରଚି ଚାଲିଲେ ଗୋଟିଏ ପରେ ଗୋଟିଏ ମାଇଲ ଖୁଣ୍ଟ ।୧୯୯୮ ଐତିହାସିକ ପୋଖରାନ୍ ଆଣବିକ ବୋମା ପରୀକ୍ଷଣର ସେଥିଲେ ମୁଖ୍ୟ ପୁରୋଧା । ତାଙ୍କ ତତ୍ତବଧାନରେ ନିର୍ମାଣ ହେଲା ଭାରତର ପ୍ରଥମ ମହାକାଶଯାନ ଏସଏଲଭି -୩ ସ୍ପେସ୍ ଭେଇକିଲ । ଦେଶକୁ ଭେଟିଦେଲେ ଅଗ୍ନି, ତ୍ରିଶୂଳ, ପୃଥ୍ୱୀ, ବ୍ରହ୍ମୋସ୍ ପରି କ୍ଷେପଣାସ୍ତ୍ର । ସେ ହୋଇଗଲେ ଭାରତର ମିସାଇଲ ମ୍ୟାନ୍ । ଏହା ପରେ ୨୦୦୨ରୁ ୨୦୦୭ରୁ ସେ ହେଲେ ଭାରତର ୧୧ତମ ରାଷ୍ଟ୍ରପତି । ସବୁଠୁ ବଡ କଥା ହେଲେ କ୍ଷମତା ତାଙ୍କ ସରଳ ଜୀବନକୁ ପ୍ରଭାବିତ କରିପାରିନଥିଲା ।କାର୍ୟ୍ୟକାଳ ଶେଷ ପରେ ରାଷ୍ଟ୍ରପତି ଭବନ ଛାଡିବା ବେଳକୁ ତାଙ୍କ ସାଙ୍ଗରେ ବଡ ଟିଣ ବାକ୍ସଟେ ବ୍ୟତୀତ ଆଉ କିଛି ନଥିଲା । ଯାହା ସମସ୍ତଙ୍କୁ ଏକ ଶିକ୍ଷା ଦେଇଥିଲା । ତାଙ୍କର ଅତୁଳନୀୟ କାର୍ୟ୍ୟ ପାଇଁ ତାଙ୍କୁ ୧୯୯୭ରେ ଭାରତ ରତ୍ୱ ସମ୍ମାନରେ ସମ୍ମାନିତ କରାଗଲା । ଏହାପରେ ୧୯୮୧ ତାଙ୍କୁ ପଦ୍ମଭୂଷଣ ଓ ୧୯୯୦ରେ ପଦ୍ମବିଭୂଷଣ ସମ୍ମାନ ଓ ଅହୁରି ଅନେକ । ୨୦୧୫ ଜୁଲାଇ ୨୭ ତରିଖରେ ସିଲଂର ଆଇଆଇଏମ ଇନଷ୍ଟିଚ୍ୟୁଟ୍ରେ ଭାଷଣ ଦେଉଥିବାବେଳେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ କଲାମ । ଆଉ ସଭିଙ୍କ ଆଖିରେ ଅଶ୍ରୁ ଓ ହୃଦୟରେ ଅକୁଣ୍ଠ ବେଦନା ଭର୍ତ୍ତି କରିଦେଇଗଲେ । ଆଜି ତାଙ୍କର ପାର୍ଥିବ ଶରୀର ନାହିଁ ସତ ହେଲେ ପ୍ରତ୍ୟେକଙ୍କ ହୃଦୟରେ ସେ ସବୁବେଳେ ଜୀବନ୍ତ । ଶିକ୍ଷାକୁ ଜୀବନର ପୁଞ୍ଚି ଏବଂ ଉଚ୍ଚ ଅଭିଳାଷର ଆହ୍ୱାନ ନେଇଥିବା କଲାମଙ୍କ ଜନ୍ମ ଦିନକୁ ବିଶ୍ୱ ଛାତ୍ର ଦିବସ ଭାବେ ପାଳିତ ହୋଇ ଆସୁଛି । ଭାରତର ଏହି ସ୍ୱର୍ଗୀୟ ସନ୍ତାନ, ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ସ୍ୱର୍ଗତ ଅବଦୁଲ କଲାମଙ୍କ ୯୦ ତମ ଜୟନ୍ତୀରେ ଭକ୍ତି ଶ୍ରଦ୍ଧାଞ୍ଜଳି ।