ବିଧାୟକରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ

SHARE NOW :
ନୂଆଦିଲ୍ଲୀ(ଲାଇଭ୍ ଓଡିଶା ନ୍ୟୁଜ୍): ୨୦୦୧ ମସିହାରେ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ସେଠାରେ ବିଜେପିର ରାଜ ଚାଲି ଆସୁଛି। ମୋଦୀ ଲଗାତାର ୩ ଥର ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ହେବାପରେ ରାଜ୍ୟର ଦାୟିତ୍ଵ ବା ମୁଖ୍ୟମନ୍ତ୍ରୀ ପଦ ଆନନ୍ଦୀବେନ ପଟେଲଙ୍କୁ ଦିଆଯାଇଥିଲା । ତାଙ୍କ ପରେ ବିଜୟ ରୂପାଣୀ ଏହି ପଦକୁ ସମ୍ଭାଳିଥିଲେ ।
ଗତ ଶନିବାର ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ରୁପାଣୀ ଇସ୍ତଫା ଦେଲାପରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ସେନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛି ବିଜେପି। ରବିବାର ଅନୁଷ୍ଠିତ ହୋଇଥିବା ବୈଠକରେ ଦଳ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ଜଣାଶୁଣା ନେତାଙ୍କ ନାଁ ଚର୍ଚ୍ଚାରେ ରହିଥିବାବେଳେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କୁ ଚୟନ କରାଯାଇଛି।
୨୦୧୭ ମସିହା ବିଧାନସଭା ନିର୍ବାଚନରେ ଘଟଲୋଡ଼ିଆ ଆସନରୁ ନିର୍ବାଚିତ ହୋଇଥିବା ଭୁପେନ୍ଦ୍ର ପଟେଲ ତାଙ୍କ ବିପକ୍ଷରେ ଲଢ଼ୁଥିବା କଂଗ୍ରେସ ଦଳର ନେତା ଶଶିକାନ୍ତ ପଟେଲଙ୍କୁ ପରାସ୍ତ କରି ବିଧାୟକ ହୋଇଥିଲେ। ଏହା ଥିଲା ତାଙ୍କର ରାଜନୀତିରେ ସବୁଠାରୁ ବଡ଼ ସଫଳତା। ବିଧାୟକଭାବରେ ନିର୍ବାଚିତ ହେବାପରେ ଏବେ ଦଳ ତାଙ୍କୁ ସିଧାସଳଖ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପାଇଁ ଚୟନ କରିଛି। ସୋମବାର ଅପରାହ୍ନ ୨.୩୦ ସମୟରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ଅହମ୍ମଦାବାଦର ଶିଲାଜ ଅଞ୍ଚଳରେ ଭୂପେନ୍ଦ୍ରଙ୍କ ଜନ୍ମ। ବିଧାୟକ ହେବା ପୂର୍ବରୁ ସେ ସିଭିଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ଏଥିସହ ଅହମ୍ମଦାବାଦ ନଗର ନିଗମ ଏବଂ ସହରାଞ୍ଚଳ ଉନ୍ନୟନ କମିଟିର ମଧ୍ୟ ଅଧ୍ୟକ୍ଷ ଥିଲେ।