ଆଜି ଟି୨୦ ବିଶ୍ୱକପ ଫାଇନାଲ ମ୍ୟାଚ

SHARE NOW :
ଲାଇଭ ଓଡିଶା ବ୍ୟୁରୋ : ଆଜି ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ । ଟାଇଟଲ ପାଇଁ ହେବ ଜୋରଦାର ଟକ୍କର । ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ । ସନ୍ଧ୍ୟା ୭ଟା ୩୦ ରେ ମଇଦାନକୁ ଓହ୍ଲାଇବେ ଉଭୟ ଦଳ । ନ୍ୟୁଜିଲାଣ୍ଡ ୫ମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଂଟ ଫାଇନାଲରେ ପ୍ରବେଶ କରିଛି । ଏଥର କେନ ୱିଲିୟମସନ ନେତୃତ୍ୱାଧୀନ ଦଳ ନିଶ୍ଚିତ ଭାବେ ଚାମ୍ପିୟନ ମୁକୁଟ ପିନ୍ଧିବାକୁ ଚାହିଁବେ ।
ଅପରପକ୍ଷରେ ବିଶ୍ୱର ସର୍ବଶ୍ରେଷ୍ଠ ଏବଂ ସଫଳ ଟିମ୍ ଅଷ୍ଟ୍ରେଲିଆ ପ୍ରଥମ ଟି୨୦ ଟାଇଟଲ ଲକ୍ଷ୍ୟରେ ରହିବ । ଶାରଜା ମ୍ୟାଚଗୁଡିକ ବ୍ୟତୀତ ସୁପର ୧୨ରେ ଖେଳା ଯାଇଥିବା ୧୪ ମ୍ୟାଚରୁ କେବଳ ଥରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଛି । ଏହା ବିଚାରକୁ ନେଲେ ଟସର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ।
ପୂର୍ବରୁ ଖେଳା ଯାଇଥିବା ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆକୁ ହରାଇ ସାରିଛି ନ୍ୟୁଜିଲାଣ୍ଡ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୋଟ ୧୪ଟି ଟି-୨୦ ମ୍ୟାଚ୍ ଖେଳା ଯାଇଛି । ଏଥି ମଧ୍ୟରୁ ଅଷ୍ଟ୍ରେଲିଆ ୯ଟିରେ ବିଜୟ ହାସଲ କରିଥିବା ବେଳେ ନ୍ୟୁଜିଲାଣ୍ଡ ୫ଟିରେ ବାଜିମାତ୍ କରିଛି । ଉଭୟ ଟିମ ଏ ପର୍ୟ୍ୟନ୍ତ ଟି-୨୦ ବିଶ୍ୱକପ୍ ଟାଇଟଲ ହାତେଇ ନଥିବାରୁ ଏଥର ନୂତନ ବିଜେତା ଦେଖିବାକୁ ମିଳିବ ।
ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଏବଂ ନ୍ୟୁଜିଲାଣ୍ଡ ବୋଲରଙ୍କ ମଧ୍ୟରେ କଡା ମୁକାବିଲା ନିଶ୍ଚିତ ଭାବେ ପ୍ରଶଂସକମାନେ ଦେଖିବାକୁ ପାଇବେ । ତେବେ ଟି୨୦ରେ ଓଭରାଲ ପ୍ରଦର୍ଶନ ବିଚାରକୁ ନେଲେ ଆରୋନ ଫିଂଚ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ପଲା ଭାରୀ ରହିଛି । ସେହିପରି ଆଇସିସି ନକଆଉଟ ମୁକାବିଲାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ରେକର୍ଡ ୧୦୦ ପ୍ରତିଶତ ରହିଛି ।