ଅଜଣା ଗାଡି ଧକାରେ ବାପ ମୃତ୍ୟୁ ପୁଅ ସୁରକ୍ଷିତ

SHARE NOW :
କେନ୍ଦୁଝର(ଦୀପକ କୁମାର ନାୟକ/ ଲାଇଭ୍ ଓଡିଶା ନ୍ୟୁଜ୍): ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ବାଇପାସ ନିକଟରେ ଗତ ରାତି ଏକ ଅଜଣା ଗାଡି ଧକାରେ ଜଣକର ମୃତ୍ୟୁ ଘଟିଛି । ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବାସୁଦେବପୁର ଗ୍ରାମର ମହେଶ୍ୱର ଧୀବର । ମିଳିଥିବା ଖବର ଅନୁସାରେ ଗତକାଲି ରାତି ପ୍ରାୟ ନଅଟା ବେଳେ ମହେଶ୍ୱର ସାଇକେଲ ଗଡ଼ାଇ ଗଡ଼ାଇ ନିଜର ଆଠ ବର୍ଷର ପୁଅକୁ ସାଙ୍ଗରେ ନେଇ ଚାଲିଚାଲି ପର୍ଶଲାରୁ ନିଜ ଗ୍ରାମକୁ ଫେରୁଥିଲେ।
ଏହି ସମୟରେ ରିମୁଳି ବାଇପାସ ନିକଟରେ ଏକ ଗାଡି ତାଙ୍କୁ ଧକ୍କା ଦେବା ସହ ପ୍ରାୟ ପାଞ୍ଚଶହ ମିଟର ଘୋଷାଡ଼ି ନେଇ ଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ସାଙ୍ଗରେ ଥିବା ଆଠ ବର୍ଷର ପୁଅର କୌଣସି କ୍ଷତି ହୋଇନଥିଲା । ଖବର ପାଇଁ ରିମୁଳି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରି ଶବ ବ୍ୟବଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଡାକ୍ତର ଖାନାକୁ ପଠାଇଥିବା ଜଣାଯାଇଛି ।