FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କିଟ୍‌ରେ ଆଇଆଇଏଲ୍‍ର ଭିତ୍ତିପ୍ରସ୍ତର ସ୍ଥାପନ

କିଟ୍‌ରେ ଆଇଆଇଏଲ୍‍ର ଭିତ୍ତିପ୍ରସ୍ତର ସ୍ଥାପନ

କିଟ୍‌ରେ ଆଇଆଇଏଲ୍‍ର ଭିତ୍ତିପ୍ରସ୍ତର ସ୍ଥାପନ
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ (ଆଇଆଇଏଲ୍‍) ନିରନ୍ତର ଆଇନ୍‍ ଶିକ୍ଷାର ଧାରା ସୃଷ୍ଟି କରିବ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‍ ଉଦୟ ଉମେଶ ଲଲିତ କହିଛନ୍ତି । କିଟ୍‍ ପରିସରରେ ଆଇଆଇଏଲ୍‍ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଷ୍ଟିସ୍‍ ଲଲିତ କହିଲେ, ଜ୍ଞାନ ଆହରଣ କେବେ ବି ବନ୍ଦ ହେବା ଉଚିତ ନୁହେଁ ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‍ ଭୂଷଣ ରାମକୃଷ୍ଣ ଗଭାଇ ଏହି ଅନନ୍ୟ ପଦକ୍ଷେପ ପାଇଁ ବିସିଆଇ ଓ କିଟ୍‍ ବିଶ୍ୱବିଦ୍ୟାଳୟକୁ ଅଭିନନ୍ଦନ ଜଣାଇଥିଲେ । ସେ କହିଲେ, ୧୯୮୮ ମସିହାରେ ବିସିଆଇ ବାଙ୍ଗାଲୋରରେ ପ୍ରଥମ ଜାତୀୟ ଆଇନ୍‍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ଆଇନ୍‍ ଶିକ୍ଷା ଏବଂ ଆଇନ୍‍ଜୀବି ମାନରେ ଆଖିଦୃଶିଆ ପରିବର୍ତ୍ତନ ଆଣିଥିଲା । ସେହିପରି ଆଇଆଇଏଲ୍‍ ପ୍ରତିଷ୍ଠା ବାର କାଉନ୍‍ସିଲ୍‍ ଇତିହାସରେ ଏକ ମାଇଲ୍‍ଖୁଣ୍ଟ ହୋଇ ରହିବ ବୋଲି ଜଷ୍ଟିସ୍‍ ଗଭାଇ କହିବା ସହ ଆଇଆଇଏଲ୍‍ ମାଧ୍ୟମରେ ଦେଶରେ ଗୁଣାତ୍ମକ ଆଇନ୍‍ ଶିକ୍ଷକ ସୃଷ୍ଟି ହୋଇପାରିବେ ବୋଲି ସେ ଆଶା ପୋଷଣ କରିଥିଲେ । ଅନ୍ୟତମ ଅତିଥି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‍ ଭି ରାମସୁବ୍ରମଣ୍ୟମ୍‍ କହିଲେ, ବର୍ତ୍ତମାନ ଦେଶରେ ହଜାରେରୁ ଊର୍ଦ୍ଧ୍ୱ ଆଇନ୍‍ କଲେଜ ରହିଥିବା ବେଳେ ପ୍ରତିବର୍ଷ ୨ଲକ୍ଷ ୫୦ ହଜାର ଆଇନ୍‍ ସ୍ନାତକ ଉତ୍ତୀର୍ଣ୍ଣ ହେଉଛନ୍ତି । ଆଇଆଇଏଲ୍‍ ଆଇନ୍‍ ଶିକ୍ଷାବିତ୍‍ ଓ ଆଇନ୍‍ଜୀବିଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନର ସେତୁ ପାଲଟିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତର ବିଶିଷ୍ଟ ଆଇନ୍‍ ଶିକ୍ଷାବିତ୍‍ ପ୍ରଫେସର ଏନ୍‍ ଏଲ୍‍ ମିତ୍ର, ଆଇଆଇଏଲ୍‍ ପ୍ରତିଷ୍ଠାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

କିଟ୍‍ ଓ କିସ୍‌ ପ୍ରତଷ୍ଠି।ତା ଅଚ୍ୟୁତ ସାମନ୍ତ କହିଲେ, ଭୁବନେଶ୍ୱରରେ ଆଇଆଇଏଲ୍‍ ପ୍ରତିଷ୍ଠା ହେବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ବିସିଆଇ କିଟ୍‍ ବିଶ୍ୱବିଦ୍ୟାଳୟକୁ ଏଥିପାଇଁ ନିଜର ସହଯୋଗୀ ଭାବେ ଗ୍ରହଣ କରିଥିବାରୁ କିଟ୍‍ ନିଜକୁ ଧନ୍ୟ ମନେକରୁଛି ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶାର ଆଡ୍‍ଭୋକେଟ୍‍ ଜେନେରାଲ ତଥା ଓଡ଼ିଶା ବାର୍‍ କାଉନ୍‍ସିଲ୍‍ ସ୍ୱତବ କମିଟି ଅଧ୍ୟକ୍ଷ ଅଶୋକ ପରିଜା ଯୋଗଦେଇ କହିଲେ, ଦୀର୍ଘ ୩ ଦଶନ୍ଧୀ ମଧ୍ୟରେ ଆଇନ୍‍ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି । ଆଜିର ଦିନରେ ଇଂଜିନିୟରିଂ, ମେଡ଼ିକାଲ୍‍ ଓ ମ୍ୟାନେଜମେଣ୍ଟ ଭଳି ଆଇନ୍‍ ଶିକ୍ଷା ମଧ୍ୟ ଛାତ୍ରଛାତ୍ରୀଙ୍କ ପସନ୍ଦ ପାଲଟିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିସିଆଇ ତଥା ବିସିଆଇ ଟ୍ରଷ୍ଟର ଅଧ୍ୟକ୍ଷ ମନନ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓଡ଼ିଶା ଷ୍ଟେଟ୍‍ ବାର୍‍ କାଉନ୍‍ସିଲ୍‍ ସ୍ପେସିଆଲ୍‍ କମିଟି ସଦସ୍ୟ ତଥା ବରିଷ୍ଠ ଅଧିବକ୍ତା ମାନସ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ବହୁ ବିଚାରପତି ଓ ପୂର୍ବତନ ବିଚାରପତିଙ୍କ ସମେତ ବିସିଆଇ ତଥା ବିସିଆଇ ଟ୍ରଷ୍ଟର କର୍ମକର୍ତ୍ତା ଓ ସଦସ୍ୟଙ୍କ ସମେତ ଭାରତର ବହୁ ବିଶିଷ୍ଟ ଆଇନଜ୍ଞ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ନିରନ୍ତର ଆଇନ୍‍ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଇଆଇଏଲ୍‍ ଏକ ମଡେଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ‘ଲ ଟିଚର୍ସ ଟ୍ରେନିଂ ଓ ରିସର୍ଚ୍ଚ’ ଭାବେ କାର୍ଯ୍ୟ କରିବ ।

Leave a Reply

Your email address will not be published. Required fields are marked *

Related Posts