FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କିପରି ପାଳନ କରାଯାଏ ନୁଆଁଖାଇ

କିପରି ପାଳନ କରାଯାଏ ନୁଆଁଖାଇ

କିପରି ପାଳନ କରାଯାଏ ନୁଆଁଖାଇ
SHARE NOW :

ସୋନପୁର(ପିତାମ୍ବର ମହାପାତ୍ର/ଲାଇଭ ଓଡ଼ିଶା ନ୍ୟୁଜ୍‌): ଏକତାର ପର୍ବ ନୁଆଁଖାଇ । ବିଭିନ୍ନ ଧର୍ମର ଲୋକେ ଭିନ୍ନ ଭିନ୍ନ ଭାବରେ ପାଳନ କରିଥାନ୍ତି ଏହି ପର୍ବକୁ । ପ୍ରକୃତି ଓ ପିତୃ ପୁରୁଷକୁ ସ୍ମରଣ କରି ମହିମା ଧର୍ମି ମାନେ ନୁଆଁଖାଇ ପର୍ବ ପାଳନ କରିଥାନ୍ତି ଏକ ନିଆରା ଢଙ୍ଗରେ । ପ୍ରଥମେ ଶୁନ୍ୟ ବ୍ରହ୍ମଙ୍କୁ ଅନ୍ନ ଟେକିଦେବାପରେ ସେମାନେ ନବାର୍ଣ୍ଣ ଭକ୍ଷଣ କରିଥାନ୍ତି । ବିଶ୍ୱର ସମସ୍ତ ଜୀବଜଗତ କୁ ବର୍ଷସାରା ଅନ୍ନପ୍ରାପ୍ତି ପାଇଁ ପ୍ରାର୍ଥନା କରିଥାନ୍ତି ଶୂନ୍ୟବ୍ରହ୍ମଙ୍କ ଠାରେ ।


ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ଠାରେ ଥିବା ଭୀମଭୋଇ ସମାଧି ପୀଠରେ ମହାସମାରୋହରେ ପାଳନ କରାଯାଏ ନୁଆଁଖାଇ ପର୍ବ । ନିର୍ଦ୍ଧାରିତ ଲଗ୍ନରେ ସମାଧିପୀଠର ରୀତି ନୀତି ଅନୁଯାଇ ନବାର୍ଣ୍ଣ ପ୍ରସ୍ତୁତ କରି ଅର୍ପଣ କରାଯାଇଥାଏ ଶୂନ୍ୟବ୍ରହ୍ମଙ୍କ ପାଖରେ । ବର୍ଷର ପହିଲି ଧାନକୁ ପଞ୍ଚାମୃତରେ ମିଶାଇ ନୁଆଁ ହାଣ୍ଡିରେ ରଖି ଅଣାଯାଇଥାଏ ସମାଧି ପୀଠକୁ । ଅଲେଖ ମହିମା ଶୂନ୍ୟବ୍ରହ୍ମଙ୍କୁ ସ୍ମରଣ କରି ଅନ୍ନକୁ ଟେକି ଅର୍ପଣ କରାଯାଏ ବିଶ୍ୱ ନିୟନ୍ତାଙ୍କ ପାଖରେ । ନୁଆଁଖାଇ ସାରିଲା ପରେ ଏକତ୍ରୀତ ହୋଇ ଭଜନ ମଣ୍ଡପରେ ମହିମା ଗୋସାଇଁଙ୍କ ଭଜନ କୀର୍ତ୍ତନ୍ୟ ଆଦି ଗାନକରିଥାନ୍ତି ।


ପ୍ରତିବର୍ଷ ମହିମା ଧର୍ମୀ ମାନେ ନୁଆଁଖାଇ ପର୍ବ ପାଳନ କରିଥାନ୍ତି ବଡ ଧୁମ ଧାମରେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ମହିମା ସାଧୁ ସନ୍ୟାସୀ ଯୋଗଦେଇଥାନ୍ତି ଭୀମଭୋଇଙ୍କ ଏହି ସମାଧି ପୀଠରେ ।ନୁଆଁଖାଇରେ ସମସ୍ତେ ବର୍ଷର ପହିଲି ଶସ୍ୟ କୁ ନିଜର ଦେବା ଦେବୀ ଙ୍କ ପାଖରେ ଅର୍ପଣ କରିଥାନ୍ତି । ହେଲେ ମହିମା ଧର୍ମି ମାନେ ଶୂନ୍ୟବ୍ରହ୍ମ ଙ୍କୁ ନୁତନ ଶସ୍ୟ ସହିତ ପଞ୍ଚାମୃତ ଅର୍ପଣ କରି ସାରା ବିଶ୍ୱର ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରିଥାନ୍ତି । ସେମାନେ ବିଶ୍ୱର ସମସ୍ତ ଜୀବଜଗତ କୁ ଅନ୍ନପ୍ରାପ୍ତି ପାଇଁ ଗୁହାରି କରିଥାନ୍ତି । ଏହି ନୁଆଁଖାଇ ଅବସରରେ ବହୁ ଦୁରଦୁରାନ୍ତରୁ ଭକ୍ତମାନଙ୍କ ସୁଅ ଛୁଟେ ଏହି ପିଠକୁ ।

Leave a Reply

Your email address will not be published. Required fields are marked *

Related Posts