କିମ୍ସରେ ବିଶ୍ୱ ଲୁପସ୍ ଦିବସ

SHARE NOW :
ଭୁବନେଶ୍ୱର : କିମ୍ସ-ଭୁବନେଶ୍ୱରରେ ବୁଧବାର ବିଶ୍ୱ ଲୁପସ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କିମ୍ସ କ୍ଲିନିକାଲ୍ ଇମ୍ୟୁନୋଲୋଜି ଏବଂ ର୍ୟୁମାଟୋଲୋଜି ବିଭାଗ ପକ୍ଷରୁ “ସୁସ୍ଥ ଜୀବନ ପାଇଁ ଯୋଗ’ ବିଷୟବସ୍ତୁ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗାଭ୍ୟାସ ଓ ପ୍ରାଣାୟମ ସହ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସୂଚନାଯୋଗ୍ୟ, ପ୍ରତିବର୍ଷ ମେ ୧୦ ତାରିଖରେ ବିଶ୍ୱ ଲୁପସ୍ ଦିବସ ବିଭିନ୍ନ ବିଷୟବସ୍ତୁକୁ ନେଇ ପାଳିତ ହୋଇଥାଏ । ଚଳିତବର୍ଷର ବିଷୟବସ୍ତୁ ଥିଲା ‘ମେକ୍ ଲୁପସ୍ ଭିଜିବଲ’ । ସମାଜରେ ଏହିରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଲୁପସ୍ରୋଗୀମାନଙ୍କୁ ଶାରୀରିକ ଓ ମାନସିକ ଭାବେ ସୁଦୃଢ଼ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ‘ଲୁପସ୍’ ରୋଗ ଶରୀରର ରୋଗ ପ୍ରତିରୋଧକାରୀ ଶକ୍ତି ମଣିଷକୁ ସୁରକ୍ଷାଦେବା ପରିବର୍ତ୍ତେ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇଥାଏ । ଏହା ଚର୍ମଠାରୁ ଆରମ୍ଭ କରି ବୃକ୍କ, ମସ୍ତିଷ୍କ, ସ୍ନାୟୁ, ଅନ୍ତଃନଳୀ ଓ ହୃତପିଣ୍ଡ ଆଦିକୁ ପ୍ରଭାବିତ କରି ବିଭିନ୍ନ ଅଙ୍ଗକୁ ଅଚଳ କରିବାର ସମ୍ଭାବନା ଥାଏ । ଏହି ଅବସରରେ କିମ୍ସ କ୍ଲିନିକାଲ ଇମ୍ୟୁନୋଲୋଜି ଏବଂ ର୍ୟୁମାଟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ରାମନାଥ ମିଶ୍ର କହିଲେ, ଲୁପସ୍ ଓ ଅନ୍ୟାନ୍ୟ ସ୍ୱପ୍ରତିରୋଧୀ ରୋଗର ବିଭିନ୍ନ ରୋଗୀଙ୍କ କ୍ଷେତ୍ରରେ ଅଲଗା ଅଲଗା ଚିକିତ୍ସା ହୋଇଥାଏ । ତେବେ ଡାକ୍ତରଙ୍କ ଉପରେ ଭରସା ଓ ବିଶ୍ୱାସ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ । କିମ୍ସର ବିଶିଷ୍ଟ ର୍ୟୁମାଟୋଲୋଜିଷ୍ଟ ଡା. ପ୍ରଶାନ୍ତ ପଧାନ ଲୁପସ୍ ରୋଗ ନେଇ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ଏ କ୍ଷେତ୍ରରେ ରୋଗୀମାନେ ନିଜେ ନିଜର ଚିକିତ୍ସା ନିଷ୍ପତ୍ତି ନ ନେଇ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଉଚିତ ବୋଲି ସେ କହିଥିଲେ । କୌଣସି ପୁରାତନ ରୋଗ ଥିଲେ ରୋଗୀ ବିନା ଦ୍ୱିଧାରେ ଡାକ୍ତରଙ୍କ ସହ ରୋଗ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିବାକୁ କିମ୍ସ ସହକାରୀ ପ୍ରଫେସର ସକିର ଅହ୧ଦ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେତେକ ଲୁପସ୍ ରୋଗୀ କିମ୍ସରେ ସେମାନଙ୍କ ସଫଳ ଚିକିତ୍ସା ନେଇ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିମ୍ସ ସହକାରୀ ପ୍ରଫେସର ଦେବାଶିଷ ମଇକାପ ଓ ସ୍ନାତକୋତ୍ତର ରେସିଡେଣ୍ଟ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।