FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କିସ୍‌ରୁ ମାଟ୍ରିକ ପାଶ କଲେ ଦାନ ମାଝୀଙ୍କ ଝିଅ

କିସ୍‌ରୁ ମାଟ୍ରିକ ପାଶ କଲେ ଦାନ ମାଝୀଙ୍କ ଝିଅ

କିସ୍‌ରୁ ମାଟ୍ରିକ ପାଶ କଲେ ଦାନ ମାଝୀଙ୍କ ଝିଅ
SHARE NOW :


ଭୁବନେଶ୍ୱର(ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଓଡ଼ିଶା ମାଧ୍ୟମିକ ଶିକ୍ଷାବୋର୍ଡ ଦ୍ୱାରା ପରିଚାଳତି ଚଳିତ ବର୍ଷ ମାଟ୍ରକ ପରୀକ୍ଷାରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ପ୍ରକାଶତି ହୋଇଛି । ସ୍କୁଲର ୬୨୯ ଛାତ୍ରଛାତ୍ରୀ ୭୦ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ରାଜ୍ୟ ଫଳାଫଳ ୯୭.୮୯ ପ୍ରତିଶତ ହୋଇଥିବା ବେଳେ କିସ୍‌ର ପାସ୍ ହାର ଶତ ପ୍ରତିଶତ ହୋଇଛି । ଚଳିତବର୍ଷ କିସ୍‌ର ମୋଟ ୧୯୦୦ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ଗଜପତି ଜିଲ୍ଲା ସଉରା ସଂପ୍ରଦାୟର ମୋହନ ଚରଣ ରଇତ ସର୍ବାଧିକ ୫୪୦ ନମ୍ବର ରଖି କିସ ଟପ୍ପର ହୋଇଛନ୍ତି । ଚଳିତ ବର୍ଷ ଡିଡାଇ, ଜୁଆଙ୍ଗ, ଖଡିଆ, କୁଟିଆ କନ୍ଧ, ଲୋଧା, ଲାଞ୍ଜିଆ ସଉରା ଓ ବଣ୍ଡା ଆଦି ଆଦିମ ଜନଜାତିର ୫୭୩ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ବହୁ ଚର୍ଚ୍ଚିତ ଦାନ ମାଝୀଙ୍କ ବଡ଼ ଝିଅ ଚାନ୍ଦିନୀ ମାଝୀ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେ ଓ ତାଙ୍କର ଅନ୍ୟ ଦୁଇ ସାନ ଭଉଣୀ କିସ୍‌ରେ ରହି ପାଠ ପଢୁଛନ୍ତି । ୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅର୍ନ୍ତଗତ ମେଲଘର ଗାଆଁର ଦାନ ମାଝି, ନିଜ ପତ୍ନୀଙ୍କ ଶବକୁ ଦୀର୍ଘ ୧୦ କିଲୋମିଟର କାନ୍ଧରେ ବୋହି ଚାଲି ଚାଲି ଆସିବା ଘଟଣା ଚର୍ଚ୍ଚାକୁ ଆସିଥିଲା । ସେତେବେଳେ ଏହି ଘଟଣା କିସ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିବା ପରେ ସେ ଦାନଙ୍କ ୩ ଝିଅଙ୍କୁ କିସରେ ରଖି ପାଠ ପଢ଼ାଇବାର ବନ୍ଦୋବସ୍ତ କରିଥଲେ । ଦାନଙ୍କ ଝିଅ ମାଟ୍ରିକ ପାଶ କରିବା ପରେ କଳାହାଣ୍ଡି ଜିଲ୍ଲା ଜନଜାତି ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଅସମୟରେ କିସ ସାହାଯ୍ୟର ହାତ ବଢାଇବାରୁ ଆଜି ତାଙ୍କ ବଡ଼ ଝିଅ ମାଟ୍ରିକ ପାଶ କରିପାରିଛି ଏବଂ ଅନ୍ୟ ଦୁଇ ଝିଅ କିସରେ ଭଲରେ ରହି ପାଠପଢି ପାରୁଛନ୍ତି ବୋଲି ସେମାନେ କହିଛନ୍ତି । କିସ ଫଳାଫଳ ନେଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts