ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଦେଓଝର ବାସିନ୍ଦାଙ୍କ ପ୍ରତି ଡିସ୍ପେନ୍ସେରିକୁ ଉତ୍ସର୍ଗ କରାଯାଇଛି

SHARE NOW :
ଦେଓଝର (ଲାଇଭଓଡ଼ିଶା ବ୍ୟୁରୋ ): ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଦେଓଝର ପଞ୍ଚାୟତର ବାସିନ୍ଦାଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍ରସିଏସ୍ଆର୍ ଶାଖା ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ରବିବାର ଦିନ ପଞ୍ଚାୟତ ବାସିନ୍ଦାଙ୍କ ପାଇଁ ଏକ ଡିସ୍ପେନ୍ସେରିକୁ ଉତ୍ସର୍ଗ କରାଯାଇଛି । ଦେଓଝର ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ମଙ୍ଗଳ ମୁଣ୍ଡା, ସମିତି ସଦସ୍ୟ ଶ୍ରୀଯୁକ୍ତ ଯୁଧୀଷ୍ଟିର ପଲେଇ, ଟାଟା ଷ୍ଟିଲ୍ର ମହାପ୍ରବନ୍ଧକ (ଓଏମ୍କ୍ୟୁ) ଶ୍ରୀଯୁକ୍ତ ଅତୁଲ ଭଟ୍ଟନାଗର, ଯୋଡ଼ାରେ ଥିବା ଟାଟା ଷ୍ଟିଲ୍ ହସ୍ପିଟାଲ୍ର ଚିଫ୍ ମେଡିକାଲ୍ ଅଫିସର ଡକ୍ଟର ସୁଚିସ୍ମିତା ଦାସ ଓ ଟାଟା ଷ୍ଟିଲ୍ର ମୁଖ୍ୟ ସିଏସ୍ଆର୍ (ଓଏମ୍କ୍ୟୁ ଡିଭିଜନ୍) ଶ୍ରୀଯୁକ୍ତ ଅନିଲ ଓରାଓଁଙ୍କ ଉପସ୍ଥିତିରେ ଚମ୍ପୁଆର ମାନ୍ୟବର ବିଧାୟକ ଶ୍ରୀମତୀ ମିନାକ୍ଷୀ ମହନ୍ତ ଏହି ବ୍ୟବସ୍ଥାକୁ ଉଦ୍ଘାଟନ କରିଛନ୍ତି ।
୨,୨୦୦ ବର୍ଗଫୁଟରୁ ଅଧିକ ସ୍ଥାନରେ ନିର୍ମାଣ କରାଯାଇଥିବା ଏହି ଡିସ୍ପେନ୍ସେରି ଦେଓଝର ପଞ୍ଚାୟତ ଅଧୀନରେ ଥିବା ସାତଟି ଗ୍ରାମ ଯଥା ଦେଓଝର, ମହାଦେବନାସ, କୁଲ୍ଦୁମ୍, ଠାକୁରାଣୀ, ସିୟାଲିଯୋଡ଼ା, ଗୋବର୍ଦ୍ଧନପୁର ଓ କିଟାବେଡାରେ ବାସ କରୁଥିବା ପ୍ରାୟ ୬୦୦୦ବାସିନ୍ଦାଙ୍କୁ ସ୍ୱାସ୍ଥ୍ୟ ସେବା ସୁବିଧା ପ୍ରଦାନ କରିବ । ଡାକ୍ତରୀ ପରାମର୍ଶ ବ୍ୟତୀତ ଏହି ଡିସ୍ପେନ୍ସେରିରେ ରୋଗୀମାନଙ୍କୁ ମାଗଣାରେ ଔଷଧ ମଧ୍ୟ ପ୍ରଦାନ କରାଯିବ ।
ଏହି ଅବସରରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ବୀର ନାଏକ, ଅବକାରୀ ବିଭାଗର ଅବସରପ୍ରାପ୍ତ ଡେପୁଟି କମିସନର୍ ଶ୍ରୀଯୁକ୍ତ ବେଣୁ ମାଧବ ନାଏକ, ଅଣଶେଇକଳା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ନାଏକ, ସାମାଜିକ କର୍ମୀ ଶ୍ରୀଯୁକ୍ତ ତ୍ରିଲୋଚନ ପଲେଇ ଓ ସମାଜର ଅନ୍ୟ ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ ।