ତିନି ମାସର ଶିଶୁ ଉପରେ ରେଟିନା ସର୍ଜରୀ କଲେ କିମ୍ସ ଡାକ୍ତର

SHARE NOW :
ଭୁବନେଶ୍ୱର : କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (କିମ୍ସ)ର ଡାକ୍ତରମାନେ ତିନି ମାସର ଶିଶୁଟିର ଏକ ଜଟିଳ ଚକ୍ଷୁ ଅସ୍ତ୍ରୋପଚାର କରି ଶିଶୁଟିକୁ ଦୃଷ୍ଟିଶକ୍ତି ହରାଇବାରୁ ବଞ୍ଚାଇଛନ୍ତି। ଓଡ଼ିଶାର କୌଣସି ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରଥମ ଥର ପାଇଁ ଏହି ଅସ୍ତ୍ରୋପଚାର କରାଯାଇଥିଲା। ମାତ୍ର ତିନି ମାସ ଏଗାର ଦିନର ଶିଶୁଟିର ଜୀବନ ପ୍ରତି ବିପଦ ରହିଥିଲା , କିନ୍ତୁ କନସଲଟାଣ୍ଟ ରେଟିନା ସର୍ଜନ ଡା, ମନ୍ମଥ କୁମାର ଦାସଙ୍କ ନେତୃତ୍ୱରେ ଡାକ୍ତରଙ୍କ ଦଳ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଶିଶୁଟିର ଅସ୍ତ୍ରୋପଚାର କରିଥିଲେ। ଶିଶୁଟିର ଓଜନ ପାଖାପାଖି 1200 ଗ୍ରାମ୍ ଥିଲା। ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କ କ୍ଷେତ୍ରରେ ସାଧାରଣତଃ ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟି (ROP) ସ୍କ୍ରିନିଂ କରାୟାଇ ROP ର ଲକ୍ଷଣ ନିର୍ଣ୍ଣୟ କରାୟାଏ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଯାହା ସେମାନେ ବଡ ହେବା ପରେ ଅନ୍ଧତ୍ୱକୁ ରୋକିବା ପାଇଁ କରାୟାଏ। ଏହି ସ୍କ୍ରିନିଂ ସମୟରେ ହିଁ ସେହି ଶିଶୁ ଆରଓପିରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ବୋଲି ଡାକ୍ତର ଦାସ କହିଛନ୍ତି। ସାଧାରଣତଃ ଅକାଳରେ ଜନ୍ମ ହେଉଥିବା ଶିଶୁଙ୍କ ମଧ୍ୟରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ। ଏ କ୍ଷେତ୍ରରେ ମଧ୍ୟ ଉଭୟ ଶିଶୁଙ୍କ ଆଖିକୁ ‘ଆରଓପି’ ଚିହ୍ନଟ କରାୟାଇଥିଲା। ଡାହାଣ ଆଖିକୁ ଇଞ୍ଜେକସନ୍ ଦେବା ଏବଂ ପରେ ଲେଜର୍ ପଦ୍ଧତିରେ ଚିକିତ୍ସା କରାୟାଇଥିଲା, କିନ୍ତୁ ବାମ ଆଖିକୁ ଆରୋଗ୍ୟ କରିବା ଅଧିକ ଜଟିଳ ପ୍ରମାଣିତ ହୋଇଥିଲା। ତେଣୁ ଶିଶୁଟିର ରିସ୍କି ରେଟିନୋପାଥି ଅସ୍ତ୍ରୋପଚାର କରାୟାଇଥିଲା। ଶିଶୁଟି ଉଭୟ ଆଖିରେ ସାଧାରଣ ଦର୍ଶନର ମଜା ନେବ ବୋଲି ଡାକ୍ତର ଦାସ କହିଛନ୍ତି। ସନ୍ତୋଷ ପଣ୍ଡା ଓ ତାଙ୍କ ଟିମ୍ ସହିତ ଏନ୍ଆଇସିୟୁର ଆସୋସିଏଟ୍ ପ୍ରଫେସର ତଥା ଏନେସ୍ଥେସିଆ ବିଭାଗର ପ୍ରଫେସର ଡ. ଶାସ୍ୱତୀ ଦାସ ପ୍ରମୁଖ ଏହି ଟିମ୍ ରେ ସାମିଲ ଥିଲେ। ଡାକ୍ତର ଦାସ କହିଛନ୍ତି ଯେ ଓଡ଼ିଶାରେ ପ୍ରଥମ ଥର ପାଇଁ କୌଣସି ମେଡିକାଲ କଲେଜ ଓ ହସ୍ପିଟାଲ ଦ୍ୱାରା ଏଭଳି ଅସ୍ତ୍ରୋପଚାର କରାୟାଇଛି କାରଣ ଏହା ସହ ଜଡିତ ବିପଦ ରହିଛି। ଅପରେସନ ପାଇଁ କିମ୍ସରେ ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି ବୋଲି ସେ କହିଛନ୍ତି। ମୋ ଶିଶୁକୁ ନୂଆ ଜୀବନ ମିଳିଛି। ଡାକ୍ତର ଓ କିମ୍ସକୁ କୃତଜ୍ଞତା ଜଣାଇବା ପାଇଁ ମୋ ପାଖରେ ଶବ୍ଦ ନାହିଁ ବୋଲି ଶିଶୁଟିର ମା’ କହିଛନ୍ତି। ସେମାନେ କିମ୍ସରେ ଚିକିତ୍ସା ପାଇବା ପୂର୍ବରୁ ବିଭିନ୍ନ ହସ୍ପିଟାଲରେ ଚକ୍କର କାଟିଥିଲେ। କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏହି ସଫଳ ଅସ୍ତ୍ରୋପଚାର ପାଇଁ ଡାକ୍ତରୀ ଦଳକୁ ପ୍ରଶଂସା କରିବା ସହ ଶିଶୁଟିର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।