ବନ୍ଧାହେଲେ ଫେକ୍ ଆକାଉଣ୍ଟ ଧାରୀ ଫେସ୍ବୁକ୍ ସୁନ୍ଦରୀ

SHARE NOW :
ଭୁବନେଶ୍ୱର( ଲାଇଭ୍ ଓଡିଶା ନ୍ୟୁଜ୍): ସୋସିଆଲ ମିଡିଆ ସ୍ତରରେ ଫେସ୍ବୁକ୍ ଏବେ ପ୍ରଥମ ସ୍ଥାନରେ ରହିଛି । ପ୍ରତି ୧୦ ଜଣରେ ୯ଜଣ ଫେସ୍ବୁକ୍ ବ୍ୟବହାର କରୁଛନ୍ତି । ଏହାଭିତରେ ଫେକ୍ ଆକାଉଣ୍ଟ ଧାରୀ ମାନଙ୍କ ଲାଗି ବ୍ୟବହାରକାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ଏଭଳି ଏକ ଫେକ୍ ଆକାଉଣ୍ଟ ଧାରୀ ମହିଳାଙ୍କୁ ଗିରଫ କରିିଛି ସହିଦନଗର ଥାନା ପୁଲିସ ।
ମହିଳା ଜଣଙ୍କ ହେଉଛନ୍ତି, ସେ ବାଲୁଗାଁ ନାଚୁଣୀ ଅଂଚଳର ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡା । ପ୍ରିୟଙ୍କା ଜଣେ ଯୁବକଙ୍କଠାରୁ ସାଢ଼େ ୬ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହେ।।ଇଛି । କଅଁଳ କଥା କହି, ଫେସବୁକରେ ବନ୍ଧୁତା କରୁଥିଲେ । କାହାକୁ ଡାକ୍ତର କହି ତ ଆଉ କାହାକୁ ବ୍ୟୁଟିସିଆନର ପରିଚୟ ଦେଉଥିଲେ । ପୁଣି କାହାକୁ ଶିକ୍ଷୟତ୍ରୀ କହି ସମ୍ପର୍କ ବଢ଼ାଉଥିଲେ । ଏମିତି ସୋସିଆଲ ମିଡିଆରେ ରୂପ ଓ ପରିଚୟ ବଦଳାଇ ଲକ୍ଷ ଲକ୍ଷ ଟଙ୍କା, ଠକୁଥିବା ଅଭିଯୋଗ ହୋଇଛି ଏହି ମହିଳାଙ୍କ ନାଁରେ । ତାଙ୍କ ନିକଟରୁ ୧ ଲକ୍ଷ ୩୩ ହଜାର ଟଙ୍କା, ୩ଟି ପାସ୍ବୁକ୍ ଓ ୨ଟି ମୋବାଇଲ ଜବତ ହୋଇଛି ।
ପୁଲିସ ସୂଚନା ମୁତାବକ, କିଛିମାସ ହେବ ପ୍ରିୟଙ୍କା ଫେସ୍ବୁକ୍ ଓ ହ୍ବାଟ୍ସଆପ୍ରେ ଏକାଧିକ ଆକାଉଣ୍ଟ ଖୋଲି ଡିପିରେ ଭିନ୍ନଭିନ୍ନ ଯୁବତୀଙ୍କ ଫଟୋ ଛାଡ଼ୁଥିଲେ ଏବଂ ଅଜଣା ଲୋକଙ୍କୁ ମେସେଜ୍ ପଠାଇ ସଂପର୍କ ଯୋଡ଼ୁଥିଲେ। ଯେଉଁ ଲୋକଙ୍କୁ ସେ ଯେଉଁ ଯୁବତୀଙ୍କ ଫଟୋ ପଠାଇ ଯେଉଁ ବୃତ୍ତି କଥା କହୁଥିଲେ, ସେହିଭଳି ବେଶଭୁଷାରେ ସଜାଇ ଯୁବତୀମାନଙ୍କୁ ସେମାନଙ୍କ ପାଖକୁ ପଠାଉଥିଲେ । ଆଉ ଏହି ଯୁବତୀମାନେ ଖୁବ୍ କମ୍ ସମୟରେ ସମ୍ପର୍କ ଗଢ଼ି ଲୋକଙ୍କୁ ଜାଲରେ ଫସାଉଥିଲେ। ଲୋକମାନଙ୍କର ବିଶ୍ୱାସ ଜିତିବା ପରେ ଯୁବତୀମାନେ ସେମାନଙ୍କଠାରୁ ଟଙ୍କା ମାଗୁଥିଲେ ଓ ପରେ ଫେରାଇ ଦେବେ ବୋଲି କହି ଆଉ ଫେରାଉ ନଥିଲେ ।
ଏହି ରାକେଟ କବଳରେ ପଡ଼ିଥିବା ୟୁନିଟ୍-୧ ଅଞ୍ଚଳର ଶକ୍ତି ସୌରଭ ମହାପାତ୍ର ସହିଦନଗର ଥାନାରେ ଏଭଳି ଅଭିଯୋଗ କରିବା ପରେ ଏହି ରାକେଟ ଠକାମିର ଗୁମର ଖୋଲିଛି। ପ୍ରିୟଙ୍କା ସୌରଭଙ୍କୁ ନିଜ ଜାଲରେ ଫସାଇ ତାଙ୍କ ଠାରୁ ସାଢ଼େ ୬ ଲକ୍ଷ ଟଙ୍କା ଠକି ନେଇଯାଇଥିବା ଅଭିଯୋଗ କରିଛନ୍ତି ସୌରଭ । ପୋଲିସ୍ ଏକ ମାମଲା ରୁଜୁ କରି ପ୍ରିୟଙ୍କାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।