ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ

SHARE NOW :
ଭୁବନେଶ୍ୱର(ଲାଇଭ୍ ଓଡ଼ିଶା ନ୍ୟୁଜ୍): ଉଭୟ ଆଇନ୍ ଶିକ୍ଷା ଓ ବୃତ୍ତିର ପ୍ରୋତ୍ସାହନ, ଆଇନ କ୍ଷେତ୍ରରେ ସଂସ୍କାର ଏବଂ ଗବେଷଣା ଓ ସାମାଜିକ ତାଲିମର ବିକାଶ ପାଇଁ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ଟ୍ରଷ୍ଟ ପକ୍ଷରୁ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଭାରତର ଅନ୍ୟତମ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍) ସହଯୋଗରେ ଆଇଆଇଏଲ୍ ପ୍ରତିଷ୍ଠା ହେବ । ବର୍ତ୍ତମାନ ସୁଦ୍ଧା ଆଇନ୍ ଶିକ୍ଷକ ଓ ଅଧ୍ୟାପକ ତଥା ଆଇନଜୀବୀଙ୍କ ଦକ୍ଷତା ବିକାଶର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଇନରେ କୌଣସି ତାଲିମ୍ ଅନୁଷ୍ଠାନ ନାହିଁ । ଆଇଆଇଏଲ୍ ପ୍ରତିଷ୍ଠା ହେଲେ ଭାରତରେ ଥିବା ଆଇନ୍ ସ୍କୁଲ୍ଗୁଡ଼ିକର ଯୁବ ଅଧ୍ୟାପକ ଓ ଯୁବ ଆଇନ୍ଜୀବିମାନେ ଏଠାରେ ସେମାନଙ୍କ ପାରଦର୍ଶିତା, ବୃତ୍ତିଗତ ଦକ୍ଷତା ଓ ବିଚକ୍ଷଣତା ବିକାଶ କରିପାରିବେ ।
ନୂଆଦିଲ୍ଲୀ ସ୍ଥିତ କନ୍ଷ୍ଟିଚ୍ୟୁସନ୍ କ୍ଳବରେ ଏ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବାର୍ କାଉନ୍ସିଲ୍ର ଅଧ୍ୟକ୍ଷ ମନନ କୁମାର ମିଶ୍ର, ସଭାପତି ଶ୍ରୀମନ୍ତୋ ସେନ୍ଙ୍କଠାରୁ ଆରମ୍ଭ କରି ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ମିଳନୀରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗ ଦେଇ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ କିଟ୍ ଓ ବିସିଆଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇ ପରସ୍ପର ମଧ୍ୟରେ ହସ୍ତାନ୍ତର ହୋଇଥିଲା । ଏହି ବୁଝାମଣାପତ୍ର ଅନୁସାରେ ଭୁବନେଶ୍ୱରରେ କିଟ୍ ଆବଶ୍ୟକ ଜମି ଯୋଗାଇ ଦେବା ସହ ୧.୫ ଲକ୍ଷ ବର୍ଗଫୁଟ ଜମିରେ ପ୍ରସ୍ତାବିତ ଆଇଆଇଏଲ୍ ଭିତ୍ତିଭୂମି ନିର୍ମାଣର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବ ।