FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ସରକାରୀ ସହାୟତା ଅପେକ୍ଷାରେ ମା ଭଗବତୀ ସ୍ୱାବଲମ୍ବୀ ଆଶ୍ରମ

ସରକାରୀ ସହାୟତା ଅପେକ୍ଷାରେ ମା ଭଗବତୀ ସ୍ୱାବଲମ୍ବୀ ଆଶ୍ରମ

ସରକାରୀ ସହାୟତା ଅପେକ୍ଷାରେ ମା ଭଗବତୀ ସ୍ୱାବଲମ୍ବୀ ଆଶ୍ରମ
SHARE NOW :

ନୂଆପଡା(ଲାଇଭ ଓଡିଶା ନ୍ୟୁଜ): ଅସହାୟକୁ କରୁଛନ୍ତି ସହାୟତା । ପ୍ରଶିକ୍ଷଣ ଦେଇ କରାଉଛନ୍ତି ସ୍ୱାବଲମ୍ବୀ । ନିଜ ପରିବାରକୁ ଭୁଲି ସମାଜସେବାରେ ଲାଗିପଡିଛନ୍ତି ମହିଳା ଦ୍ୱୟ । ଅସହାୟ ଓ ଅସୁବିଧାରେ ପଡିଥିବା ଗରିବ ମହିଳାଙ୍କ ପାଇଁ ସେ ନିଜ ପ୍ରଚେଷ୍ଟାରେ ଖୋଲିଛନ୍ତି ମା ଭଗବତୀ ମହିଳା ସ୍ୱାବଲମ୍ବୀ ଆଶ୍ରମ । ଆଶ୍ରମଟି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତିବିନ୍ଧା ଠାରେ ଅବସ୍ଥିତ । ସ୍ଥାନୀୟ ଅଂଚଳରେ ବାସ କରୁଥିବା ମହିଳା ଦ୍ୱୟ ଗାୟତ୍ରୀ କୁମାରୀ ସାହୁ ଓ ଜୟନ୍ତୀ ମେହେର ନିଜ ଦାୟିତ୍ୱକୁ ପଛରେ ପକାଇ ଆଗକୁ ଚାଲିଆସିଛନ୍ତି ଅସହାୟ ନାରୀ ମାନଙ୍କୁ ସହାୟତା କରିବା ପାଇଁ । ଏହି ଆଶ୍ରମରେ ଅସହାୟ ମହିଳା ମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ଦେଇ ସ୍ୱାବଲମ୍ବୀ କରିବା ପାଇଁ ଅନେକ ଯୋଜନା ହାତକୁ ନିଆଯାଇଥିବା ଜଣାପଡ଼ିଛି। ଅନୁଷ୍ଠାନରେ ଅନେକ ଅଭିଜ୍ଞ ପ୍ରଶିକ୍ଷିକା ମାନେ ଅଛନ୍ତି। କିନ୍ତୁ ପ୍ରଶିକ୍ଷଣ ପାଇଁ ଆବଶ୍ୟକୀୟ ଆନୁସଙ୍ଗିକ ବ୍ୟବସ୍ଥା ର ଅଭାବ ଯୋଗୁଁ ବର୍ତ୍ତମାନ ସରକାରୀ ସହାୟତା ତଥା ଅନୁଦାନ ଅପେକ୍ଷା ରେ ଅନୁଷ୍ଠାନ ରହିଥିବା କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଖବର ଅନୁଯାୟୀ ସଭାନେତ୍ରୀ ଗାୟତ୍ରୀ କୁମାରୀ ସାହୁ ଓ ସମ୍ପାଦିକା ଜୟନ୍ତୀ ମେହେର ଅଞ୍ଚଳର ଅସହାୟ ବିଧବା ତଥା ପରିତ୍ୟକ୍ତ ଝିଅ ,ବୋହୂ ମହିଳାଙ୍କୁ ସ୍ୱାବଲମ୍ବୀ କରି ଗଢିତୋଳିବା ଉଦ୍ଦେଶ୍ୟରେ ଏହି ଅନୁଷ୍ଠାନ କରିଛନ୍ତି । ଏହି ଅନୁଷ୍ଠାନକୁ ସରକାରଙ୍କ ପାଖରେ ପଞ୍ଜିକୃତ ମଧ୍ୟ କରିସାରିଛନ୍ତି।ପୂର୍ବରୁ ଏହି ମହିଳାଦ୍ବୟ ନିଜ ଘର ଛାଡ଼ିବା ପରେ ପ୍ରଥମେ ବୀରମହରାଜପୁର ଆଶ୍ରମରେ ଅନ୍ତେବାସୀଙ୍କ ସହ ରହୁଥିଲେ। ଆଶ୍ରମର ଆଧ୍ୟାତ୍ମିକ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଭିନ୍ନ ମଠ ମନ୍ଦିର ରେ ରହିବା ପରେ ହାତିବନ୍ଧା ଓ ସିନାପାଲି ଗାୟତ୍ରୀ ମନ୍ଦିରରେ ରହି ଆସୁଥିଲେ। ଆଶ୍ରମର ନୀତି ଆଦର୍ଶରେ ପ୍ରଭାବିତ ହୋଇ ପରବର୍ତ୍ତୀ ସମୟରେ ନିଜସ୍ୱ ଉଦ୍ୟମରେ ଏକ ଆଶ୍ରମ ଗଠନ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ସ୍ୱାବଲମ୍ବୀ କରିବା ପାଇଁ ଏହି ଅନୁଷ୍ଠାନ ଗଠନ କରିଥିଲେ। ଏହି ଆଶ୍ରମରେ ସିଲେଇ କାମ,ଲଗେଜ ବ୍ୟାଗ ତିଆରି, ଝୁଣା ଅଗରବତୀ,ପଇତା,ଆୟୁର୍ବେଦିକ ତେଲ,ସେମ୍ପୁ ପ୍ରଭୃତି ତିଆରି କରିବା ସହ ଅସହାୟ ମହିଳା ମାନଙ୍କୁ ଏ ବିଷୟରେ ମାଗଣା ପ୍ରଶିକ୍ଷଣ ଦେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଅନେକ ମହିଳାଙ୍କୁ ପ୍ରଶିକ୍ଷଣ ଦେଇସାରିଲେଣି। ହେଲେ ଏଠାରେ ପ୍ରଶିକ୍ଷଣ ପାଇଁ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ର ଅଭାବ ଯୋଗୁଁ ଏକାସାଙ୍ଗରେ ଅନେକ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଇ ପାରୁନାହିଁ। କିଛି ସହୃଦୟ ବ୍ୟକ୍ତିଙ୍କୁ ସହଯୋଗ ମାଗି ଦୁଇ କୋଠରୀ ବିଶିଷ୍ଟ ଏକ ଆଜବେଷ୍ଟର ଘର ତିଆରି କରିଛନ୍ତି। ସେହି କୋଠରୀରେ ନିଜେ ରହିବା ସହ ବିଭିନ୍ନ ସାମଗ୍ରୀ ତିଆରି ଓ ଅନ୍ୟ ମାନଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି। ଆଗ୍ରହ,ଉଦ୍ୟମ ତଥା ଅଭିଜ୍ଞତା ଥିବା ସତ୍ତ୍ୱେ ପୁଞ୍ଜି ଅଭାବରୁ ସେମାନେ ତାଙ୍କ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇପାରୁ ନାହାନ୍ତି। ଯାହା କିଛି ସାମଗ୍ରୀ ତିଆରି କରି ବିକ୍ରି କରି ରୋଜଗାର କରନ୍ତି ସେଥିରେ ନିଜେ ଚଳିବା ସହିତ ବାହାର ରାଜ୍ୟରୁ ସାମଗ୍ରୀ ତିଆରି ପାଇଁ ଆବଶ୍ୟକ ଜିନିଷପତ୍ର ମଗାନ୍ତି । ଏବଂ ସେଥିରେ ବ୍ୟାଗ,ଅଗରବତୀ,ସେମ୍ପୁ ପ୍ରଭୃତି ତିଆରି କରି ନିକଟସ୍ଥ ଦୋକାନ ମାନଙ୍କରେ ଦେଇଥାନ୍ତି। ଯାହା ଆୟ କରନ୍ତି ସେଥିରେ ଅନୁଷ୍ଠାନ ଚଳାନ୍ତି । ବର୍ତ୍ତମାନ ଆଶ୍ରମରେ ଚାରି ଜଣ ଥିବା ବେଳେ ଅନେକ ପ୍ରଶିକ୍ଷଣ ନେଇ ଯାଇ ସାରିଲେଣି। ପୁଣି ଅସହାୟ ମହିଳା ମାନଙ୍କୁ ଏଠାରେ ରହି ମାଗଣାରେ ପ୍ରଶିକ୍ଷଣ ନେବାକୁ ଆହ୍ୱାନ କରୁଥିବା ସେମାନେ ପ୍ରକାଶ କରିଛନ୍ତି। ଅଭିଜ୍ଞ ପ୍ରଶିକ୍ଷିକା ମାନେ ଥିଲେ ମଧ୍ୟ ପୁଞ୍ଜିର ଅଭାବ ଯୋଗୁଁ ବିକାଶ ହୋଇପାରୁ ନଥିବା କ୍ଷୋଭର ସହ ପ୍ରକାଶ କରଛନ୍ତି। ଏତେ ଅଭାବ ଅନାଟନ ମଧ୍ୟରେ ନିଜେ ସ୍ୱାବଲମ୍ବୀ ହେବା ସହ ଅସହାୟ ନାରୀ ସମାଜକୁ ସ୍ୱାବଲମ୍ବୀ କରିବାର ପଦକ୍ଷେପ ତଥା ପ୍ରୟାସ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଉକ୍ତ ଅନୁଷ୍ଠାନକୁ କିଛି ସରକାରୀ ସହାୟତା ତଥା ଅନୁଦାନ ମିଳିପାରିଲେ ଅଞ୍ଚଳର ଅନେକ ଗରିବ, ଅସହାୟ ବିଧବା ତଥା ପରିତ୍ୟକ୍ତ ମହିଳା ମାନେ ସ୍ୱାବଲମ୍ବୀ ହୋଇ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *

Related Posts