FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ୬ କୋଟିର ରାସ୍ତା ମରମତି ପାଇଁ ୧୧ କୋଟିର ବ୍ୟୟ ବରାଦ

୬ କୋଟିର ରାସ୍ତା ମରମତି ପାଇଁ ୧୧ କୋଟିର ବ୍ୟୟ ବରାଦ

SHARE NOW :

କେନ୍ଦୁଝର (ଲାଇଭଓଡ଼ିଶା ନ୍ୟୁଜ): କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଲଇଡାପଦା ପଞ୍ଚାୟତର ରୁଗୁଡି ଛକ ଠାରୁ କଳମଙ୍ଗ ପର‌୍ୟ୍ୟନ୍ତ ଏକ କଂକ୍ରିଟ ରାସ୍ତା ବହୁଦିନରୁ ତିଆରି ହୋଇଛି । ପୂର୍ବରୁ ଏହି ରାସ୍ତା ପଂଚାୟତ ଅଧୀନରେ ଥିଲା । ପରବର୍ତ୍ତୀ ସମୟରେ ଖଣି କମ୍ପାନୀ ଗୁଡିକର ଖଣିଜ ପରିବହନ ନିମନ୍ତେ ଏହି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତକୁ ନେଇଛି । ପୂର୍ବରୁ ଏହି ରାସ୍ତାଦେଇ ଗାଡି ଚଳାଚଳ କରିବା ସମ୍ଭବ ହେଉନଥିବା ବେଳେ ତିନୋଟି ମୁଖ୍ୟ ଖଣିକମ୍ପାନୀ ନିଜସ୍ୱ ଖର୍ଚରେ ଏହି ରାସ୍ତାକୁ ୬ କୋଟି ବ୍ୟୟରେ କଂକ୍ରିଟ ରାସ୍ତା ନିର୍ମାଣ କରିଥିଲେ । ଏବେ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ହୋଇଥିବା ହେତୁ ଏହାକୁ ନବୀକରଣ ନିମନ୍ତେ ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଆଶ୍ଚର‌୍ୟ୍ୟ ଲାଗୁଥିଲେ କଥାଟି ସତ । ଯେଉଁ ରାସ୍ତା ୬ କୋଟି ଟଙ୍କାରେ ତିଆରି ହୋଇଥିଲା ସେହି ରାସ୍ତା ନବୀକରଣ ନିମନ୍ତେ ଖର୍ଚ୍ଚ ହେବ ୧୧ କୋଟି । ଏଥିରୁ ସ୍ପଷ୍ଟ ବାରିହେଉଛି ଜିଲ୍ଲା ଖଣିଜ ପାଣ୍ଠି କିଭଳି ବାଟମାରଣା କରାଯାଉଛି । ଏହି ରାସ୍ତା ନିର୍ମାଣ କାର‌୍ୟ୍ୟ ଆରମ୍ଭ କରାଯାଇଥିବା ବେଳେ ଗ୍ରାମସଭା ନକରି ଏହି ରାସ୍ତା ନିର୍ମାଣକୁ ସ୍ଥାନୀୟ ଗ୍ରାମବାସୀମାନେ ବିରୋଧ କରିବା ସହ ଏହି ନିର୍ମାଣ କାର‌୍ୟ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ସେମାନଙ୍କ ଅଭିଯୋଗ ମୁତାବକ ଏହି ପୁରୁଣା ଢଳେଇ ରାସ୍ତାରୁ ବାହାରୁଥିବା ବର୍ଜ୍ୟବସ୍ତୁ ଭାବେ ସିମେଣ୍ଟ କଂକ୍ରିଟକୁ ବାହାର କରାଯାଇ ରାସ୍ତା କଡରେ ଥିବା ଲୋକଙ୍କ ପଟ୍ଟାଭୁକ୍ତ ଚାଷ ଜମି ଉପରେ ଢାଳି ଦିଆଯାଉଛି । ରାସ୍ତା ଖରାପ ସାଙ୍ଗକୁ ପ୍ରଚୁର ଲୁହାପଥର ବୋଝେଇ ଭାରିଯାନ ଚଳାଚଳ ଯୋଗୁଁ ଧୂଳି, ଧୁଆଁରେ ସେମାନେ ଅତିଷ୍ଟ ହୋଇପଡୁଥିବା ବେଳେ ପ୍ରଥମେ ଟ୍ରକ ଚଳାଚଳ ବନ୍ଦ କରି ରାସ୍ତା ନିର୍ମାଣ କରାଯିବାକୁ ସେମାନେ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ଏହି ରାସ୍ତା ନିର୍ମାଣ କାର‌୍ୟ୍ୟ ପାଇଁ କୌଣସି ସୂଚନା ଫଳକ ଲଗାଯାଇନଥିବା ବେଳେ କାର‌୍ୟ୍ୟ ଆରମ୍ଭ ପୂର୍ବରୁ ସରକାରଙ୍କ ପକ୍ଷରୁ ଡକାଯାଉଥିବା ଗ୍ରାମସଭା ମଧ୍ୟ ଡକାଯାଇନାହିଁ । ଫଳରେ ଗତ ଡିସେମ୍ବର ମାସ ୨ ତାରିଖରେ ଗ୍ରାମବାସୀମାନେ ଏହି ରାସ୍ତା ତିଆରି କାର‌୍ୟ୍ୟକୁ ବନ୍ଦ କରିଦେଇଥିଲେ । ଗ୍ରାମାଞ୍ଚଳ ଉନ୍ନୟନ ସଂସ୍ଥା (ଆର.ଡି) ପକ୍ଷରୁ ଯୋଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗ୍ରାମବାସୀ ଓ ଲୋକପ୍ରତିନିଧିମାନଙ୍କୁ ନେଇ ଏକ ଗ୍ରାମସଭା ଡାକିଥିବା ବେଳେ ଧାର‌୍ୟ୍ୟଦିନ ଏହି ଗ୍ରାମସଭାରେ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ମଧ୍ୟ କୌଣସି ଗ୍ରାମବାସୀ ଯୋଗଦେଇନଥିଲେ । ଫଳରେ ଏହାକୁ ଚଳିତ ମାସ ୧୩ ତାରିଖକୁ ଘୁଞ୍ଚାଇଦିଆଯାଇଥିଲା । ସୋମବାର ପୂର୍ବାହ୍ନରେ ଗ୍ରାମସଭା ଆରମ୍ଭ ହେବା ପୂର୍ବରୁ ଗ୍ରାମବାସୀ, ଗ୍ରାମାଞ୍ଚଳ ଉନ୍ନୟନ ବିଭାଗର କର୍ମକର୍ତ୍ତା, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ନାଏବ ସରପଞ୍ଚ ମଧ୍ୟରେ ପ୍ରବଳ ହଟ୍ଟଗୋଳ ହେବା ଦେଖିବାକୁ ମିଳିଥିଲା । ଫଳରେ ପୁନଃର୍ବାର ଏହି ଗ୍ରାମସଭାକୁ ବାତିଲ କରିବାକୁ ପଡିଛି । ଗ୍ରାମବାସୀମାନେ ତାଙ୍କ ଜିଦ୍ ରେ ଅଟଳ ରହିଥିବା ଜଣାପଡିଛି । ଜିଲା ଖଣିଜ ପାଣ୍ଠିର କିଭଳି ସଦୁପଯୋଗ କରାଯାଉଛି ଏହା ତାହାର ଏକ ଦୃଷ୍ଟାନ୍ତ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts