- Home
- »
- Breaking News
- »
- ଅପରାଧୀ ଆଖିରେ ଦୁନିଆ ଦେଖିବେ ୨ବ୍ୟକ୍ତି, ମୋଷ୍ଟ ୱାଣ୍ଟେଡ୍ ଦିଲ୍ଲୀପଙ୍କ ଚକ୍ଷୁ ଦାନ
ଅପରାଧୀ ଆଖିରେ ଦୁନିଆ ଦେଖିବେ ୨ବ୍ୟକ୍ତି, ମୋଷ୍ଟ ୱାଣ୍ଟେଡ୍ ଦିଲ୍ଲୀପଙ୍କ ଚକ୍ଷୁ ଦାନ

SHARE NOW :
ବ୍ରହ୍ମପୁର(ଲାଇଭ ଓଡିଶା ନ୍ୟୁଜ): ଅସୁର ମଧ୍ୟ ସମୟ ବଳରେ ପାଲଟେ ଦେବତା । ପୁରାଣରେ ରାବଣ ଅସୁର ଥିଲେ ମଧ୍ୟ ସେ ଥିଲା ମହାନ୍ । ତେବେ କଳିଯୁଗରେ ଏମିତି ଏକ ଅସୁର ମୃତ୍ୟୁବରଣ କରିଥିଲେ ମଧ୍ୟ ସେ ପାଲଟିଛି ଦେବତା । ଏଭଳି ବିଚିତ୍ର ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ । ଦୁର୍ଦ୍ଦାନ୍ତ ଖଳନାୟକ ଭାବେ ସେ ବେଶ ପରିଚିତ । କ୍ରାଇମ ଦୁନିଆରେ ଏକ ପରିଚିତ ନାଁ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଏମିତି ଅପରାଧୀ ଯାହାର ନାଁ ଶୁଣିଲେ ଥରି ଉଠୁଥିଲା ଗଞ୍ଜାମ । ପୋଲିସ ରେକର୍ଡରେ ରହିଛି ଅନେକ ମାମଲା । ସେ ହେଉଛି ଦୁର୍ଦ୍ଦାନ୍ତ ଅପରାଧୀ ଦିଲ୍ଲୀପ ନାଏକ । ୧୯୯୬ ମସିହାରୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀ ଜୀବନ କାଟୁଥିଲା ଦିଲୀପ । ଗତ ମେ’ମାସ ୨୬ ତାରିଖରେ ସେ ପାରୋଲରେ ଆସିଥିଲା । ଡିସେମ୍ବର ମାସ ୨୨ ତାରିଖରେ ଜେଲକୁ ଫେରିଥାନ୍ତା ଦିଲୀପ ହେଲେ ଗୁରୁବାର ସନ୍ଧ୍ୟାରେ ବାଇକ୍ରେ ଯିବା ବେଳେ ବ୍ରହ୍ମପୁର ଆଙ୍କୁଲି ନିକଟରେ ସଡ଼କ ଦୁର୍ଘଟଣାରେ ଦିଲୀପର ମୃତ୍ୟୁ ହୋଇଛି । ଦିଲୀପର ଦେହାନ୍ତ ସହ ଅପରାଧ ଦୁନିଆର ଏକ ଯୁଗ ଶେଷ ହୋଇଛି । ଦୁନିଆ ଛାଡ଼ିବା ସହ ସମାଜ ପାଇଁ ଛାପ ଛାଡ଼ି ଯାଇଛନ୍ତି ଦିଲୀପ । ଜୀବିତ ଥିବା ବେଳେ ଅନ୍ୟର କ୍ଷତି କରୁଥିବା ଦିଲୀପ ମୃତ୍ୟୁ ପରେ କରିଛନ୍ତି ଚକ୍ଷୁଦାନ । ଦୁନିଆ ପାଇଁ ଦିଲୀପ ସାଜିଛନ୍ତି ନୂଆ ଉଦାହରଣ । ମୃତ୍ୟୁ ପରେ ପରିବାର ଲୋକ ଦିଲୀପଙ୍କ ୨ଟି ଯାକ ଆଖିକୁ ଦାନ କରିଛନ୍ତି । ଏବେ ଦିଲୀପଙ୍କ ଆଖିରେ ଦୁନିଆ ଦେଖିବେ ଆଉ ୨ ଜଣ । ଅପରାଧ ପାଇଁ ଜୀବନ ସାରା ଲୋକଙ୍କ ଅଭିଶାପ ପାଇଥିବା ଦିଲୀପ ମୃତ୍ୟୁ ପରେ ଆଖି ଦାନ କରି ସମାଜକୁ ପ୍ରେରଣା ଦେଇଛନ୍ତି । ଜଣେ ଅପରାଧୀ ବି ମୃତ୍ୟୁ ପରେ ଅନ୍ୟ କାହାରିକୁ ଦୁନିଆ ଦେଖିବାରେ ସମର୍ଥ କରାଇପାରେ ତାହା ଦେଖିବାକୁ ମିଳିଛି ବ୍ରହ୍ମପୁରରେ । ୯୦ ଦଶକରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲ୍ଲୀପ ନାୟକ ପୋଲିସ ପାଇଁ ପାଲଟି ଥିଲା ଚ୍ୟାଲେଞ୍ଜ । ଦିଲୀପ ନାଁ ଶୁଣିଲେ ଛାନିଆ ହୋଇ ଯାଉଥିଲେ ଲୋକେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ହତ୍ୟା, ଡକାୟତି, ଲୁଟ୍, ରାହାଜାନି, ଦାଦାଗିରି ଭଳି ଏକାଧିକ ମାମଲା ରହିଛି ଦିଲୀପ ନାଁରେ । ଯୁବାବସ୍ଥାରେ ଜେଲ୍, ପୋଲିସ ସହ ଛକାପଞ୍ଝା ଭିତରେ ଜଣେ ଯୁବତୀଙ୍କୁ ଭଲ ପାଇ ବସିଥିଲା ଦିଲୀପ । ଫେରାର୍ ଦିଲୀପକୁ ପୋଲିସ ଖୋଜୁଥିଲା । ଆତ୍ମଗୋପନ କରିଥିବା ଦିଲୀପ ସେତେବେଳେ ପ୍ରେମରେ ମସଗୁଲ୍ ହେଉଥିଲା । ଶେଷରେ ପୋଲିସ ହାତରେ ଧରାପଡ଼ି ପୁଣି ଜେଲ୍ ଯିବା ପରେ କାରାଗାରରେ ହୋଇଥିଲା ଦିଲୀପର ବାହାଘର । ୯୦ ଦଶକରେ ଗଞ୍ଜାମ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ଦିଲୀପ ଜେଲରେ ଯିବା ପରେ ବଦଳି ଯାଇଥିଲା । ଜେଲରେ ଥିବାବେଳେ ଅନ୍ତେବାସୀଙ୍କୁ ପ୍ରବଚନ ଦେଉଥିଲା । ଅପରାଧ ଦୁନିଆରୁ ଆଧ୍ୟାତ୍ମିକ ଦୁନିଆରେ ପ୍ରବେଶ କରିଥଲା ।