FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଆର୍ଟ ଅଫ୍‍ ଗିଭିଂର ୯ମ ପ୍ରତିଷ୍ଠା ଦିବସ

ଆର୍ଟ ଅଫ୍‍ ଗିଭିଂର ୯ମ ପ୍ରତିଷ୍ଠା ଦିବସ

ଆର୍ଟ ଅଫ୍‍ ଗିଭିଂର ୯ମ ପ୍ରତିଷ୍ଠା ଦିବସ
SHARE NOW :

ଭୁବନେଶ୍ୱର (ଲାଇଭ ଓଡ଼ିଶା): ଆର୍ଟ ଅଫ ଗିଭିଂର ୯ମ ପ୍ରତିଷ୍ଠା ଦିବସ ସମଗ୍ର ବିଶ୍ୱରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱରରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ, ଆମ ଭିତରେ ଥିବା ମାନବବୋଧକୁ ଜାଗ୍ରତ କରିବାକୁ ପଡ଼ିବ । ଏବେ ବିଶ୍ୱରେ ସବୁଆଡ଼େ ହିଂସା, ଦ୍ୱେଷ, ଅସହିଷ୍ଣୁତା ବଢ଼ିଚାଲିଛି । ଆମ ଭିତରୁ ମାନବିକ ମୂଲ୍ୟବୋଧ ଧୀରେ ଧୀରେ ଲୋପ ପାଇଯାଉଛି । ବିଶ୍ୱରେ ଲୋକଙ୍କ ମଧ୍ୟରେ ମାନବବାଦକୁ ଭାରତ ହିଁ କେବଳ ଜାଗ୍ରତ କରାଇପାରିବ । ଆର୍ଟ ଅଫ ଗିଭିଂ ଲୋକଙ୍କ ମଧ୍ୟରେ ମାନବବୋଧକୁ ଜାଗ୍ରତ କରାଉଛି । ସାଧାରଣ ଓ ବ୍ରହ୍ମାଣ୍ଡ କୌଣସି ଅନ୍ତର ନ ରହିବା ହେଉଛି ଆର୍ଟ ଅଫ୍‍ ଗିଭିଂ । ସ୍ୱର୍ଗକୁ ଭୂପୃଷ୍ଠକୁ ଆଣିବା ହେଉଛି ଆର୍ଟ ଅଫ୍‍ ଗିଭିଂ । ଅନ୍ୟକୁ ନିଜ ମଧ୍ୟରେ ଦେଖି ଅନ୍ୟକୁ ଖୁସି ଦେଇ ପାରିଲେ ତାହା ହିଁ ବାସ୍ତବରେ ଆର୍ଟ ଅଫ୍‍ ଗିଭିଂ ବୋଲି ରାଜ୍ୟପାଳ କହିଥିଲେ ।

ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଲୋକ ସେବକ ମଣ୍ଡଳ ଓଡ଼ିଶା ଶାଖାର ସଭାପତି ତଥା ଦୈନିକ ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ କହିଲେ, ବର୍ତ୍ତମାନର ବସ୍ତୁବାଦୀ ଦୁନିଆରେ ଦେବା ବଦଳରେ ନେବା ସମସ୍ତଙ୍କର ଏକ ଅଭ୍ୟାସରେ ପରିଣତ ହୋଇଛି । ଦେବାର ଗୁଣ ହେଉଛି ଈଶ୍ୱରପ୍ରଦତ୍ତ । ଆମେ ଏହି ଦେବାର ଗୁଣକୁ ଅଭ୍ୟାସ ପରିଣତ କରିବାକୁ ହେଲେ ଆମକୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ । ତେବେ ଆମ ସମସ୍ତଙ୍କୁ ଦେବାର ଗୁଣକୁ ଆପଣାଇବା ପାଇଁ ଉଦ୍ୟମ କରିବା ଆବଶ୍ୟକ । ଅନ୍ୟତମ ଅତିଥି ଶିବ ଚିଦାନନ୍ଦ ସରସ୍ୱତୀ ଯୋଗଦେଇ କହିଲେ ମନ୍ୟୁଷ ଶରୀର କେବଳ ପରୋପକାର ପାଇଁ ଉଦ୍ଦିଷ୍ଟ । ଯାହା ଶାସ୍ତ୍ରରେ ପଢା ଯାଉଥିଲା ତାହା ଅଚ୍ୟୁତ ସାମନ୍ତ କରି ଦେଖାଇଛନ୍ତି । ଅଚ୍ୟୁତ ସାମନ୍ତଙ୍କ ମଧ୍ୟରେ ମୁଁ ସ୍ୱାମୀ ଶିବାନନ୍ଦଙ୍କୁ ଦେଖିପାରୁଛି ବୋଲି ସେ କହିଥିଲେ । ଦେବା କଳା ସମସ୍ତଙ୍କ ନିକଟରେ ରହିଥାଏ ବୋଲି ଭୁବନେଶ୍ୱର ୟୁନିଟ୍‍-୧ସ୍ଥିତ ଶ୍ରୀରାମ ମନ୍ଦିର ସଭାପତି ବାବା ରାମନାରାୟଣ ଦାସ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ କହିଥିଲେ । ସୃଷ୍ଟି ଆରମ୍ଭରୁ ଦେବା ପ୍ରଥା ରହିଆସିଛି । କଳି ଯୁଗରେ ମଧ୍ୟ ଦେବା ପାଇଁ କୁହାଯାଇଛି । ଦେବାର ଅର୍ଥ ନୁହେଁ କେବଳ ଟଙ୍କା କିମ୍ବା ବସ୍ତୁ ଦାନ । କାହାକୁ ପଦେ ହସି କଥା କହିବା, ଶାନ୍ତ୍ୱନା ଦେଇ କାହାର ଦୁଃଖ ଲାଘବ କରିପାରିଲେ ତାହା ମଧ୍ୟ ଦାନର ଅନ୍ତର୍ଭୁକ୍ତ । ଦେବାରେ ଯେତିକି ଆନନ୍ଦ ରହିଛି, ସେତିକି ମଧ୍ୟ ଆମର କଲ୍ୟାଣ ହୋଇଥାଏ ବୋଲି ରାମ ନାରାୟଣ ଦାସ କହିଥିଲେ ।

ଏହି ଅବସରରେ ଆର୍ଟ ଅଫ୍‍ ଗିଭିଂର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇ କହିଲେ, ୨୦୧୩ ମସିହାରୁ ଆରମ୍ଭ କରାଯାଇଥିବା ଏହି ଅଭିଯାନ ଆଜି ଏକ ଜନଆନ୍ଦୋଳନରେ ପରିଣତ ହୋଇଛି । ଚଳିତବର୍ଷର ବିଷୟବସ୍ତୁ ରହିଛି ଆଶା-ଆନନ୍ଦ-ସମ୍ପ୍ରିତି । ଖୁସି ବାଣ୍ଟିଲେ ଅଧିକ ଖୁସି ଲାଗିଥାଏ ବୋଲି ଶ୍ରୀ ସାମନ୍ତ କହିଥିଲେ । ଆର୍ଟ ଅଫ୍‍ ଗିଭିଂ ଦିବସକୁ ଜାତିସଂଘ ପକ୍ଷରୁ ମାନ୍ୟତା ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଥିଲେ । ଏହି ଅବସରରେ ସମାଜସେବା ଜରିଆରେ ଆର୍ଟ ଅଫ୍‍ ଗିଭିଂର ଉଦ୍ଦେଶ୍ୟ ପୂରଣ କରୁଥିବା ବିଶିଷ୍ଟ ସ୍ୱେଚ୍ଛାସେବୀ ଋତୁରାଣୀ ସାସମଲ, ଯୁବ ପରିବେଶପ୍ରେମୀ ଶୁଭ୍ରାଂଶୁ ଶତପଥୀ, ସ୍ୱେଚ୍ଛାସେବୀ ସିଲୁ ନାୟକ, ମୟୂରଭଞ୍ଜର ସବାଇଘାସ ଡିଜାଇନର ଊଷାରାଣୀ ନାୟକ ପ୍ରମୁଖଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ସମ୍ବର୍ଦ୍ଧିତ କରିଥିଲେ । ଅତିଥିମାନଙ୍କ ଦ୍ୱାରା ଆର୍ଟ ଅଫ୍‍ ଗିଭିଂର ମୁଖପତ୍ର ଉନ୍ମୋଚନ ହୋଇଥିଲା । ଆଜି ଓଡ଼ିଶାର ୩୦ଟି ଜିଲ୍ଲା ସମେତ ଦେଶର ବିଭିନ୍ନ ରାଜ୍ୟ ଓ ପ୍ରମୁଖ ସହର ଏବଂ ବିଭିନ୍ନ ଦେଶରେ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *

Related Posts