- Home
- »
- Breaking News
- »
- ସିନାପାଲି ରେ ୨୧ ମାସର ଶିଶୁ କରୋନାରେ ଆକ୍ରାନ୍ତ, ସମ୍ପୃକ୍ତ ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ
ସିନାପାଲି ରେ ୨୧ ମାସର ଶିଶୁ କରୋନାରେ ଆକ୍ରାନ୍ତ, ସମ୍ପୃକ୍ତ ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ

SHARE NOW :
ସିନାପାଲି(ଲାଇଭ ଓଡିଶା ନ୍ୟୁଜ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଦ ପଞ୍ଚାୟତ ମାଲପଡା ଗ୍ରାମର ଜଣେ ୨୧ ମାସର ଶିଶୁ କରୋନାରେ ଆକ୍ରାନ୍ତ ଚିହ୍ନଟ ହେବାପରେ ଅଞ୍ଚଳରେ କରୋନା ର ପୁନଃ ପ୍ରବେଶ କୁ ନେଇ ଆତଙ୍କ ଦେଖାଦେଇଛି। ଏନେଇ ଶୁକ୍ରବାର ଏକ ଡାକ୍ତରୀ ଦଳ ସମ୍ପୃକ୍ତ ଗାଁକୁ ଯାଇ ଲୋକଙ୍କ କରୋନା ପରୀକ୍ଷା କରିଥିବା ଜଣାପଡ଼ିଛି। ହେଲେ ସମସ୍ତେ ନେଗେଟିଭି ଆସିଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ସୂଚନାନୁସାରେ ଗୁରୁବାର ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅସୁସ୍ଥ ଶିଶୁଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ସେତେବେଳେ ଶିଶୁଟି କରୋନା ଆକ୍ରାନ୍ତ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ। ଏନେଇ ସିନାପାଲି ପ୍ରଶାସନିକ ତତ୍ପରତା ଦେଖାଦେଇଥିଲା। ଆଜି ପୂର୍ବାହ୍ଣ ରେ ଡାକ୍ତର ଭୈରବ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ ସମ୍ପୃକ୍ତ ଗ୍ରାମକୁ ଯାଇ ୪୨ ଜଣଙ୍କ ନମୁନା ସଂଗ୍ରହ କରିଥିଲେ ,ହେଲେ ସମସ୍ତେ ନେଗେଟିଭି ଚିହ୍ନଟ ହୋଇଥିବା ଜଣାପଡିଛି। ଏମିତିକି ଶିଶୁର ମାଁ ଓ ବାପାଙ୍କ ମଧ୍ୟ ନେଗେଟିଭି ଥିବା ସୂଚନା ମିଳିଛି। ହେଲେ କିପରି ଭାବରେ ଜଣେ ୨୧ ମାସର ଶିଶୁ କରୋନା ଆକ୍ରାନ୍ତ ହୋଇଛି,ସେନେଇ ସ୍ପଷ୍ଟ ଭାବରେ କିଛି ଜଣାପଡି ନାହିଁ। ସମ୍ପୃକ୍ତ ଗାଁକୁ ଯାଇଥିବା ଡାକ୍ତରୀ ଦଳ ରେ ବିଭାଗୀୟ ଅଧିକାରୀ କର୍ମଚାରୀଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ,ଆଶା, ଅଙ୍ଗନବାଡି କର୍ମୀ ସାମିଲ ଥିଲେ। କରୋନାକୁ ହାଲୁକା ନନେଇ ସମସ୍ତ କଟକଣା ପାଳନ କରିବା କୁ ବିଭାଗୀୟ ଅଧିକାରୀ ସମସ୍ତଙ୍କୁ ସୂଚନା ଦେଇଛନ୍ତି।