- Home
- »
- Breaking News
- »
- ହିନ ମାନସିକତାର କରୁଣ କାହାଣୀ , ଅବୈଧ ମାତୃତ୍ୱରୁ ଶିଶୁ କନ୍ୟା ଅଲୋଡା
ହିନ ମାନସିକତାର କରୁଣ କାହାଣୀ , ଅବୈଧ ମାତୃତ୍ୱରୁ ଶିଶୁ କନ୍ୟା ଅଲୋଡା

SHARE NOW :
କେଉଁଝର(ଲାଇଭ ଓଡିଶା ନ୍ୟୁଜ): ସନ୍ତାନଟି ଜଣେ ନାରୀର ଜୀବନକୁ ସଂପୂର୍ଣ୍ଣ କରାଇଥାଏ । ତାକୁ ମାତୃତ୍ୱର ପରିଚୟ ଦେଇ ସମାଜରେ ଏକ ନୂଆ ପରିଚୟ ପ୍ରଦାନ କରିଥାଏ । ଏହି ସମୟରେ ସେ ପୁଅ ହେଉ କି ଝିଅ ଏହାର ମାନେ ନଥାଏ । କିନ୍ତୁ କିଛି ଦୁଷ୍ଟ ପ୍ରକୃତିର ମାତା ପିତା ଏହାର ଅର୍ଥ ବୁଝିପାରିନାହାନ୍ତି । ସନ୍ତାନଟିଏ ପାଇବା ପାଇଁ ପିତାମାତା କେତେ ଦିଅଁ ଦେବତା ପୂଜା କରିଥାନ୍ତି । କିନ୍ତୁ ଯଦି କୋଳରେ ଛିଅଟି ଜନ୍ମ ହୋଇଯାଏ ତାହାଲେ ଭୁଲିଯାଇଥାନ୍ତି ପୂର୍ବରୁ କରିଥିବା ବ୍ରତ ତପସ୍ୟାକୁ । ଆଜିକା ସମୟରେ ମଧ୍ୟ କନ୍ୟା ସନ୍ତାନକୁ ଘରର ବୋଝ ଭଳି ମନେ କରାଯାଉଛି । ଏହାର ଜ୍ୱଳନ୍ତ ଉଦାହରଣ ପ୍ରାୟତଃ ଡଷ୍ଟବିନ୍, ନାଳ ପୋଖରୀରେ ପଡିଥିବା ନବଜାତ କନ୍ୟା ଶିଶୁର ମୃତଦେହ ଦେଖିଲେ ଜଣାପଡୁଛି । ତେବେ ଏହାରି ଭିତରେ ଆଉ ଏକ କନ୍ୟା ସନ୍ତାନର ନାଁ ଯୋଡି ହୋଇଯାଇଛି । କେନ୍ଦୁଝର ଯୋଡା ପୌରପାଳିକା ଅନ୍ତର୍ଗତ ଯୋଡା ୱେଷ୍ଟ ଗୋଲଡେନ କ୍ୟାଂପ୍ କଲୋନୀରେ ଏକ ପରିତ୍ୟକ୍ତ ଡଷ୍ଟବୀନରେ ଦେଖିବାକୁ ମିଳିଛି ଏକ ସଦ୍ୟଜାତ ଶିଶୁ କନ୍ୟାକୁ । କେହି କଠୋର ହୃଦୟ ବ୍ୟକ୍ତି ଶିଶୁଟିକୁ ଏକ କପଡାରେ ଗୁଡାଇ ଡଷ୍ଟବିନରେ ଫଙ୍ଗିବା ସହିତ କଣ୍ଟା ଲଦି ଚାଲିଯାଇଥିବା ଜଣାପଡିଛି । ସ୍ଥାନୀୟ କିଛି ପିଲା ଉକ୍ତ ସ୍ଥାନରେ ଖେଳୁଥିବା ସମୟରେ ଶିଶୁଟିର କାନ୍ଦ ଶୁଣି ନିକଟରେ ଥିବା ଟାଟାଷ୍ଟିଲ ଡାକ୍ତର ଖାନାକୁ ଖବର ଦେଇଥିଲେ । ଖବର ପାଇ ଡିଉଟିରେ ଥିବା କାର୍ୟ୍ୟରତ ଶେବିକା ଗ୍ରେସ ଟିଗା ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ଚିକିତ୍ସା କରାଇଥିବା ଜଣାପଡିଛି । ଶିଶୁଟି ଏବେ ସୁସ୍ଥ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ । ପରେ ପରେ ଯୋଡ଼ା ଥାନାକୁ ଦିଆଯାଇଥିଲା । ଯୋଡ଼ା ଥାନା ଅଧିକାରିଣୀ ଚମ୍ପୁଆ ସ୍ଥିତ ଚାଇଡ଼ଲାଇଙ୍କୁ ଖବର ଦେବାପରେ ଚାଇଲଡ଼ ଲାଇନ ଅଧିକାରିଣୀ ହେମାଦ୍ରୀ ନାଏକ ଟାଟା ଡାକ୍ତରଖାନାରେ ପହଞ୍ଚି ଶିଶୁଟିକୁ ନିଜ ହେପାଯତକୁ ନେଇଥିବା ଜଣାପଡିଛି । ଖଣି ଅଂଚଳରେ ଏଭଳି ଅନେକ ଘଟଣା ନଜରକୁ ଆସୁଥିଲେ ମଧ୍ୟ ଏହାକୁ ତଦନ୍ତ ପରିସରକୁ ନିଆନଯିବା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କେହି କେହି ଏହାକୁ ପ୍ରେମ ଜନିତ ଘଟଣା ବୋଲି କହୁଥିବା ବେଳେ ଆଉ କେହି ଏହାକୁ ଅନିଛାକୃତ ମାତୃତ୍ୱ ବୋଲି କହୁଥିବା ଶୁଣିବାକୁ ମିଳୁଛି ।