ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ବଜାୟ ରଖିଲା କିଟ୍

SHARE NOW :
ଭୁବନେଶ୍ୱର (ଲାଇଭ ଓଡ଼ିଶା): ଦି ଟାଇମ୍ସ ହାଇଅର ଏଜୁକେସନ୍ ଏସିଆ ୟୁନିଭର୍ସିଟି ର୍ୟାକିଂ- ୨୦୨୨ରେ କିଟ୍ ବିଶ୍ୱବିଦ୍ୟାଳୟ ଉତ୍ତମ ପ୍ରଦର୍ଶନ କରିଛି । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ‘ଦି ଟାଇମ୍ସ ହାଇଅର ଏଜୁକେସନ୍’ପକ୍ଷରୁ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍ସିଟି ର୍ୟାକିଂ ଫଳଫଳ ପ୍ରକାଶ ପାଇଛି । ଏଥିରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ଶ୍ରେଷ୍ଠ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରେ କିଟ୍ ୭ଟି ସ୍ଥାନ ଉପରକୁ ଉଠି ୨୪ତମ ସ୍ଥାନରେ ରହିଛି । କିଟ୍ର ଓଭରାଲ୍ ସ୍କୋର ୩୨+ ରହିଥିବା ବେଳେ ସମଗ୍ର ଏସିଆ ମହାଦେଶରେ କିଟ୍ ୨୦୧+ ର୍ୟାକିଂ ବଜାୟ ରଖିଛି । ଭାରତର ଅଳ୍ପ କେତେକ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟ ଏହି ର୍ୟାକିଂରେ ରହିଛନ୍ତି । ଜେନେରାଲ୍ ଇଂଜିନିୟରିଂର ଓଭରାଲ୍ ବର୍ଗରେ ଶ୍ରେଷ୍ଠ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍ ୧୨ତମ ସ୍ଥାନକୁ ଉନ୍ନୀତ ହୋଇ କିଟ୍ଦେଶର ବିଭିନ୍ନ ଆଇଆଇଟି, ଏନ୍ଆଇଟିଓ ଖ୍ୟାତି ସମ୍ପନ୍ନ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜର ଟେକ ବଜାୟ ରଖିଛି । ଟାଇମ୍ସ ହାଇଅର ଏଜୁକେସନ୍ ପକ୍ଷରୁ ସାଇଟେସନ୍, ଗବେଷଣା, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଓ ଇଣ୍ଡଷ୍ଟ୍ରି ଇନ୍କମ୍ ଆଦି ବିଭିନ୍ନ ମାନଦଣ୍ଡକୁ ନେଇ ବିଶ୍ୱବିଦ୍ୟାଳୟଗୁଡ଼ିକର ର୍ୟାକିଂ କରାଯାଇଛି ।
ଟାଇମ୍ସ ହାଇଅର୍ ଏଜୁକେସନ୍ ପକ୍ଷରୁ ୫୦ବର୍ଷ ମଧ୍ୟରେ ପ୍ରତିଷ୍ଠା ଲାଭ କରିଥିବା ଏସିଆର ଲବ୍ଧ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଏହି ଚୟନ ପ୍ରକ୍ରିୟାରେ ସାମିଲ୍ କରାଯାଇଛି । ସୂଚନାଯୋଗ୍ୟ, କିଟ୍ ୨୫ ବର୍ଷର ଅନୁଷ୍ଠାନ ଓ ମାତ୍ର ୧୮ବର୍ଷର ବିଶ୍ୱବିଦ୍ୟାଳୟ ଭାବେ ଉପରୋକ୍ତ ସମସ୍ତ ମାନଦଣ୍ଡକୁ ପୂରଣ କରି ସମଗ୍ର ଏସିଆରେ ୨୦୧+ ର୍ୟାକିଂ ରହିଛି । ଟାଇମ୍ସ ହାଇଅର ଏଜୁକେସନ୍ ପକ୍ଷରୁ ଚଳିତବର୍ଷ କରାଯାଇଥିବା ଏସିଆ ୟୁନିଭର୍ସିଟି ର୍ୟାକିଂ ହେଉଛି ଏକ ବିଶ୍ୱସ୍ତରୀୟ ପ୍ରଦର୍ଶନ ତାଲିକା । ଏହା ପୂର୍ବରୁ କିଟ୍ ଅନ୍ତର୍ଜାତୀୟସ୍ତରରେ ହେଉଥିବା ବିଭିନ୍ନ ର୍ୟାକିଂରେ ଲଗାତାର ନିଜର ଉତ୍ତମ ପ୍ରଦର୍ଶନ କରିଆସୁଛି । ଏହି ସଫଳତା ପାଇଁ କିଟ୍ ଓ କିସ୍ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଶୁଭେଚ୍ଛୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ତାଙ୍କର ଉତ୍ତମ ଦୂରଦୃଷ୍ଟି ଓ ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ପ୍ରତିବର୍ଷ ଦେଶର ପ୍ରତିଷ୍ଠିତ ଆଇଆଇଟି ଓ ଏନ୍ଆଇଟି ଆଦି ସରକାରୀ ବିଶ୍ୱବିଦ୍ୟାଳୟ ଓ ଘରୋଇ ଲବ୍ଧ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ସହ ସମକକ୍ଷ ହୋଇ କିଟ୍ ଉତ୍ତମ ପ୍ରଦର୍ଶନ ଜାରି ରଖିଛି । ଏହା ହିଁ ହେଉଛି କିଟ୍ର ସଫଳତା ବୋଲି ପ୍ରତିଷ୍ଠାତା ଶ୍ରୀ ସାମନ୍ତ କହିଛନ୍ତି ।