କିଟ୍ରେ ୮୧ତମ ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡକୁଦ ମହିଳା ଚାମ୍ପିୟନସିପ୍ ଆରମ୍ଭ

SHARE NOW :
ଭୁବନେଶ୍ୱର (ଲାଇଭ୍ ଓଡ଼ିଶା): ପ୍ରଥମଥର ଲାଗି ଓଡ଼ିଶାରେ ୮୧ତମ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡକୁଦ ମହିଳା ଚାମ୍ପିୟନସିପ୍ କିଟ୍ ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହୋଇଯାଇଛି । ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ପ୍ରତ୍ୟକ୍ଷ ତତ୍ୱାବଧାନରେ କିସ୍ ବିଶ୍ୱବିଦ୍ୟାଳୟ ସହଯୋଗରେ କିଟ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ହେଉଛି । ଫେବୃଆରୀ ୨୪ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଚାଲିବାକୁ ଏହି ଚାମ୍ପିୟନସିପରେ ୨୦୦ରୁ ଊର୍ଦ୍ଧ ବିଶ୍ୱବିଦ୍ୟାଳୟରୁ ୨୦୦୦ରୁ ଉର୍ଦ୍ଧ୍ୱ ଖେଳାଳି, କୋଚ୍ ଓ ଅଫିସିଆଲ ଯୋଗଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ଖେଳାଳି ଏବଂ ପ୍ରତିଷ୍ଠିତ କୋଚ୍ ରହିଛନ୍ତି । ଏହି ଚାମ୍ପିୟନସିପକୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦଘାଟନ କରିଥିଲେ । ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଅର୍ଜୁନ ପୁରସ୍କାରପ୍ରାପ୍ତ, ଅଲିମ୍ପିଆନ୍ ଦୌଡ଼ରାଣୀ ତଥା କିଟ୍ ଛାତ୍ରୀ ଦୂତି ଚାନ୍ଦ କହିଲେ କ୍ରୀଡ଼ାରେ ମଧ୍ୟ ଭବିଷ୍ୟତ ଉଜ୍ଜ୍ୱଳ ।
ଦୂତି କହିଲେ ଛାତ୍ରଛାତ୍ରୀମାନେ କ୍ରୀଡ଼ାକୁ ମଧ୍ୟ କ୍ୟାରିଅର୍ କରି ଭବିଷ୍ୟତ ଗଢ଼ି ପାରିବେ । ତେଣୁ ବାପା-ମାଆମାନେ ସେମାନଙ୍କ ପିଲାଙ୍କୁ କ୍ରୀଡା଼ ପାଇଁ ଉତ୍ସାହିତ କରିବା ଉଚିତ୍ । ଏହି ଚମ୍ପିୟନସିପ୍ରେ ୧୦୦, ୨୦୦, ୪୦୦, ୮୦୦, ୧୫୦୦, ୫୦୦୦ ଏବଂ ୧୦୦୦୦ ମିଟର ଦୌଡ, ୧୦୦ ଏବଂ ୪୦୦ ମିଟର ବାଧାଦୌଡ଼, ହାଫ୍ ମାରାଥାନ, ୨୦ କିଲୋମିଟର ରେସ୍ ୱାକ୍, ଲଙ୍ଗ୍ ଜମ୍ପ୍, ଟ୍ରିପଲ୍ ଜମ୍ପ୍, ହାଇ ଜମ୍ପ୍, ପୋଲ୍ ଭଲ୍ଟ, ସଟ୍ପୁଟ୍, ଡିସକସ୍ ଥ୍ରୋ, ଜାଭେଲିନ୍ ଥ୍ରୋ, ହାମର୍ ଥ୍ରୋ, ହେପ୍ଟାଥଲନ୍, ୩୦୦୦ମିଟର ଷ୍ଟିପଲ୍ ଚେଜ୍, ୪ x ୧୦୦, ୪ x ୪୦୦ ମିଟର ରିଲେ ଏବଂ ୪ x ୪୦୦ମିଟର ମିକଡ୍ସ ରିଲେ ଆଦି ୨୪ଟି ବିଭାଗର ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଏହି ଚାମ୍ପିଅନ୍ସପିର୍ ଚୀନ୍ର ଚେଙ୍ଗଡୁ ଠାରେ ଅନୁଷ୍ଠତି ହେବାକୁ ଥିବା ବିଶ୍ୱବିଦ୍ୟାଳୟ କ୍ରୀଡ଼ା-୨୦୨୨ ପାଇଁ ଖେଳାଳି ଚୟନ କରାଯିବ ।
ଏହି ଚାମ୍ପିୟନସିପରେ ପ୍ରତ୍ୟେକ ବିଭାଗରେ ଶ୍ରେଷ୍ଠ ୮ କ୍ରୀଡା଼ବିତ୍ ବାଙ୍ଗାଲୋର ଠାରେ ଅନୁଷ୍ଠିତ ହେବାକୁ ଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା଼-୨୦୨୨ ପାଇଁ ଯୋଗ୍ୟ ବିବେଚିତ ହେବେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାଲାମାରୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏଲ୍.ବି. ଲକ୍ଷ୍ମୀକାନ୍ତ, କୋଟାୟାମ୍ ମହାତ୍ମାଗାନ୍ଧୀ ବିଶ୍ୱବିଦ୍ୟାଳୟ ଶାରୀରିକ ଶିକ୍ଷା ନିର୍ଦ୍ଦେଶକ ତଥା ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡା଼-୨୦୨୨ ଚୟନ କମିଟି ଅଧ୍ୟକ୍ଷ ଡ. ବିନୁ ଜର୍ଜ ଭର୍ଗିସ୍, ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ସାଇର ବରିଷ୍ଠ କୋଚ୍ ନାଗପୁରି ରମେଶ, ଓସମାନିଆ ବିଶ୍ୱବିଦ୍ୟାଳୟ ଶାରୀରକି ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଜେଶ କୁମାର, ଭାରତୀୟ ବିଶ୍ୱବିଦ୍ୟାଳୟ ଆଥ୍ଲେଟିକ୍ ଟିମ୍ ଚୟନ କମିଟି ସଦସ୍ୟ ସଞ୍ଜୟ ଗଡନାୟକ, କିଟ୍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଏବଂ କିଟ୍ ବିଶ୍ୱବିଦ୍ୟାଳୟ କ୍ରୀଡା଼ ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।