ଭଦ୍ରକ ଜିଲ୍ଲାରେ ପ୍ରାଚୀନ କଳାକୃତି ଉଦ୍ଧାର

SHARE NOW :
ଭଦ୍ରକ (ଲାଇଭଓଡିଶା ବ୍ୟୁରୋ) : ଭଦ୍ରକ ଜିଲ୍ଲା ରେ ମିଳିଲା ପ୍ରାଚୀନ କଳାକୃତ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଠାରେ ମିଳିଛି ପ୍ରାଚୀନ ବୌଦ୍ଧ ଅର୍ଘ ସ୍ତୁପ ସମେତ ୫୦ରୁ ଊର୍ଦ୍ଧ୍ୱ ମାଟି ପାତ୍ର ଉଦ୍ଧାର । ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତର ମଣିନାଥପୁର ଗ୍ରାମ ନିକଟ ବୈତରଣୀ ନଦୀ କୂଳରୁ ଏହି ସାମଗ୍ରୀ ଉଦ୍ଧାର ହୋଇଛି । ଏହା ଅଷ୍ଟମ- ନବମ ଶତାବ୍ଦୀ ର ବୋଲି ଅନୁମାନ କରାଯାଉଛି । ଉଦ୍ଧାର ସାମଗ୍ରୀ ଏବଂ ସ୍ତୁପକୁ ସ୍ଥାନୀୟ ଗବେଷକ ବିଶ୍ୱମ୍ଭର ରାଉତଙ୍କ ଉଦ୍ୟମ କ୍ରମେ ଷୋଳମପୁର ବୌଦ୍ଧ ବିହାର ସଂଗ୍ରହାଳୟକୁ ସ୍ଥାନାନ୍ତର କରାଯାଇଛି।ମଣିନାଥପୁର ଗ୍ରାମର ସମାଜସେବୀ ସୁଧାଂଶୁ ବେହୁରିଆ ସକାଳେ ନଦୀ ପଠାକୁ ବୁଲିବାକୁ ଯାଇଥିବା ବେଳେ ଏକ ମୂର୍ତ୍ତି ଥିବା ପଥର ଦେଖି ସ୍ଥାନୀୟ ଗବେଷକ ବିଶ୍ୱମ୍ୱର ରାଉତଙ୍କୁ ସୂଚନା ଦେଇଥିଲେ। ଇନଟାକ ସଦସ୍ୟ ଶ୍ରୀ ରାଉତ ଉକ୍ତ ସ୍ଥାନରେ ପହଞ୍ଚି ଅନୁଧ୍ୟାନ କରି ୮ ଟି ବୌଦ୍ଧ ଅର୍ଘ୍ୟ ସ୍ତୁପ ସମେତ ୫୦ ରୁ ଉର୍ଦ୍ଧ୍ୱ ପ୍ରାଚୀନ ପୋଡ଼ା ମାଟିରେ ତିଆରି ମାଟି ପାତ୍ର ଉଦ୍ଧାର କରିବା ସହିତ ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ ଷୋଳମପୁର ବୌଦ୍ଧ ବିହାର ସଂଗ୍ରହାଳୟକୁ ଅଣାଯାଇ ସୁରକ୍ଷିତ ଭାବେ ରଖାଯାଇଥିଲା।ତେବେ ଏହି ବିରଳ କୀର୍ତ୍ତିରାଜିଗୁଡ଼ିକୁ ଦେଖିବାକୁ ଷୋଳମପୁର ବୌଦ୍ଧ ବିହାରକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।