ସଂପୂର୍ଣ୍ଣ ହେଲା ସ୍ବାସ୍ଥ୍ୟ ସେବାରେ ଓଡ଼ିଶାର ସ୍ବର୍ଣ୍ଣିମ ଅଧ୍ୟାୟ

SHARE NOW :
ଯାଜପୁର( ଲାଇଭ ଓଡିଶା ବ୍ୟୁରୋ): ସଂପୂର୍ଣ୍ଣ ହେଲା ସ୍ବାସ୍ଥ୍ୟ ସେବାରେ ଓଡ଼ିଶାର ସ୍ବର୍ଣ୍ଣିମ ଅଧ୍ୟାୟ । ଆଜି ସବୁ ଜିଲ୍ଲାକୁ ଛୁଇଁଛି ସ୍ବାସ୍ଥ୍ୟ ବିପ୍ଳବ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ଛୁଇଁଛି ମାଇଲଖୁଣ୍ଟ । ବିଏସକେଓ୍ବାଇ ଯୋଜନାରେ ମାଲକାନଗିରିରୁ ଆରମ୍ଭ ହୋଇଥିବା ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ ଯାଜପୁର ଜିଲ୍ଲାରେ ଶେଷ ହୋଇଛି । ସ୍ବାସ୍ଥ୍ୟ ବିପ୍ଲବର ମହାଅଧ୍ୟାୟରେ ଆଜି ସାମିଲ ହେଲା ଯାଜପୁର ଜିଲ୍ଲା । ବିରଜା କ୍ଷେତ୍ରରେ ଲେଖା ହେଇଛି ସେବା ଆଉ ବିକାଶର ନୂଆ କାହାଣୀ । ଅପରାହ୍ନରେ ଜିଲ୍ଲାବାସୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ଜିଲ୍ଲାରେ ୪ ଲକ୍ଷ ପରିବାର ଉପକୃତ ହୋଇ ଛନ୍ତି । ଏହାସହ ଯାଜପୁରରେ ଉଇଁଛି ବିକାଶର ନବୀନ ସୂର୍ଯ୍ୟ। ବିକାଶ ପାଇଁ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ୨ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରାଯାଇଛି । ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଓ ବିକାଶର ନୂଆ ବ୍ଲୁପ୍ରିଣ୍ଟ ପାଇଁ ପ୍ରସ୍ତୁତ ହୋଇଛି ଯାଜପୁର । ଏଥିପାଇଁ ନରସିଂହ ଚୌଧୁରୀ କଲେଜ ପଡିଆରେ ଏକ ବିଶାଳ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । । ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ବାବଧାନରେ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ଅନେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ ଜଣାଇଥିଲେ ।