FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିସ୍‌-କଳାହାଣ୍ଡି ଉଦ୍‌ଘାଟିତ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିସ୍‌-କଳାହାଣ୍ଡି ଉଦ୍‌ଘାଟିତ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିସ୍‌-କଳାହାଣ୍ଡି ଉଦ୍‌ଘାଟିତ
SHARE NOW :

ଭୁବନେଶ୍ୱର (ଲାଇଭ ଓଡ଼ିଶା): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅନ୍ତର୍ଗତ ବାଦିଲିଠାରେ ୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍‍ର ନୂତନ ଶାଖା କିସ୍‍- କଳାହାଣ୍ଡିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡ଼ିଓ କନ୍‌ଫରେନ୍‌ସିଂ ଜରିଆରେ ଉଦ୍‍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଲେ, ଗରିବ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ ପାଇଁ କିସ୍ ସମଗ୍ର ରାଜ୍ୟରେ ସ୍କୁଲ୍‌ମାନ ଖୋଲି ଚାଲିଛି। ଏହା ସହିତ କିସ୍‌ର ପିଲାମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରୁଛନ୍ତି। ଏହା ଅତ୍ୟନ୍ତ ଆନନ୍ଦର ବିଷୟ। କଳାହାଣ୍ଡିରେ କିସ୍‌ର ନୂତନ ଶାଖା ଖୋଲିବା ଆନନ୍ଦ ପ୍ରକାଶ କରିବା ସହ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଲେ, ଶିକ୍ଷାକ କ୍ଷେତ୍ରରେ କଳାହାଣ୍ଡିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି।  ଶିକ୍ଷା ହିଁ ରୂପାନ୍ତରଣର ମାଧ୍ୟମ। ଶିକ୍ଷା ଜୀବନରେ ବଡ଼ ପରିବର୍ତନ ଆଣିଥାଏ। ରାଜ୍ୟ ସରକାର ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟ ସରକାରଙ୍କ ୫ଟି ପ୍ରୟାସରେ ସମଗ୍ର ରାଜ୍ୟରେ ପ୍ରାୟ ୪ହଜାର ଉଚ୍ଚ ବିଦ୍ୟାଳୟର ରୂପାନ୍ତର ହୋଇଛି। ରାଜ୍ୟର ସମସ୍ତ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ କିସ୍‌ର ଏହି ପ୍ରୟାସ ଅଧିକ ଶକ୍ତିଶାଳୀ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗଦେଇ କହିଲେ, କଳାହାଣ୍ଡି ଜିଲ୍ଲାରେ କିସ୍‌ର ଏକ ଶାଖା ଖୋଲାଯାଇଥିବାରୁ ମୁଁ ଅନନ୍ୟ ପ୍ରତିଭାର ଅଧିକାରୀ, ଜନଜାତି ସମାଜକୁ ଅଗ୍ରଣୀ ଭୂମିକାରେ ଆଗେଇ ନେଇ ଚାଲୁଥିବା ଅଚ୍ୟୁତ ସାମନ୍ତଙ୍କୁ ସାଧୁବାଦ ଜଣାଉଛି। ନର ସେବା ହିଁ ନାରାୟଣ ସେବା। ତାହା ସେ କାମରେ ପ୍ରତିପାଦିତ କରି ଦେଖାଇଛନ୍ତି। ଓଡ଼ିଶାର ଗର୍ବ ଓ ଗୌରବ ଶ୍ରୀ ସାମନ୍ତଙ୍କୁ ଓଡ଼ିଶାବାସୀ ଏ କ୍ଷେତ୍ରରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ଉଚିତ ବୋଲି ସେ କହିଥିଲେ।

ରାଜ୍ୟସଭା ସାଂସଦ ସୁଜିତ୍‍ କୁମାର କହିଲେ, କଳାହାଣ୍ଡି ପାଇଁ ଆଜିର ଦିନ ଏକ ଐତିହାସିକ ଦିନ। କିସ୍ ଶିକ୍ଷା ମାଧ୍ୟମରେ ଜନଜାତିଙ୍କ ମଧ୍ୟରେ ପରିବର୍ତନଶୀଳ ବିକାଶ ଆଣି ପାରିଛି। ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିସାରୀ କହିଲେ, ଏହା ହେଉଛି ଏକ ଐତିହାସିକ ପଦକ୍ଷେପ। କଳାହାଣ୍ଡି ଜିଲ୍ଲାର ଜନଜାତି ପିଲାଙ୍କୁ ପାଠ ପଢ଼ିବା ପାଇଁ ଆଉ ୫ ଶହ କିଲୋମିଟର କିସ୍‌-ଭୁବନେଶ୍ୱର ପର୍ଯ୍ୟନ୍ତ ଯିବାକୁ ପଡ଼ିବ ନାହିଁ । ଏଣିକି ସେମାନେ କିସ୍‌-କଳାହାଣ୍ଡିରେ ଉଚ୍ଚଶିକ୍ଷାର ସୁବିଧା ପାଇ ପାରିବେ ବୋଲି ଶ୍ରୀ ଦିସାରୀ କହିଥିଲେ।

ସ୍ୱାଗତ ଭାଷଣ ଦେଇ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ କହିଲେ, ୧୦ଏକର ଜମିରେ ନିର୍ମିତ ଏହି ବିଦ୍ୟାଳୟ ପାଇଁ ଜମି କ୍ରୟଠାରୁ ଆରମ୍ଭ କରି ୧ଲକ୍ଷ ୨୦ ହଜାର ବର୍ଗଫୁଟ ଅଂଚଳରେ ଭିତ୍ତିଭୂମି ନିର୍ମାଣ, ସବୁଜ ବଳୟ ସୃଷ୍ଟି, ପାଚେରୀ ନିର୍ମାଣ, ମେକାନାଇଜ୍‍ଡ ରୋଷଶାଳା, ୨୫ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ଆସବାବପତ୍ର ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସମେତ ଭିତ୍ତିଭୂମି ନିର୍ମାଣରେ ମୋଟ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସମସ୍ତ ଅର୍ଥ କିଟ୍‍ ପକ୍ଷରୁ ଯୋଗାଇ ଦିଆଯାଇଛି। ଏହା କଳାହାଣ୍ଡିବାସୀଙ୍କ ସଂପତି ହୋଇ ରହିବ ବୋଲି ଶ୍ରୀ ସାମନ୍ତ କହିଥିଲେ। ଜୁଲାଇ ପ୍ରଥମ ସପ୍ତାହ ପରେ ଏଠାରେ ପାଠପଢ଼ା ଆରମ୍ଭ କରାଯିବ ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଥିଲେ। ଏହି ଅବସରରେ କଳାହାଣ୍ଡିରେ କିମ୍‌ସ ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ହସପିଟାଲ୍ ଖୋଲିବା ନେଇ ଶ୍ରୀ ସାମନ୍ତ ଘୋଷଣା କରିଥିଲେ। ଶେଷରେ କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ସ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ, କିସ୍‍-କଳାହାଣ୍ଡି ଆବାସିକ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ କଳାହାଣ୍ଡି ଜିଲ୍ଲାର ୧୨ଶହ ଗରିବ ଓ ଅବହେଳିତ ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରାଯିବ। ପାଠ ପଢ଼ା ବ୍ୟତୀତ ଏଠାରେ ଛାତ୍ରଛାତ୍ରୀଙ୍କୁ ଅନ୍ୟାନ୍ୟ କ୍ଷେତ୍ର ବିଶେଷ କରି ଉନ୍ନତ ମାନର କ୍ରୀଡ଼ା ତାଲିମ ପ୍ରଦାନ କରାଯିବ। ଏଠାରୁ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ ଭୁବନେଶ୍ୱରସ୍ଥିତ କିସ୍‍ କିମ୍ବା କିଟ୍‍ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିପାରିବେ। ଭୁବନେଶ୍ୱର କିସ୍‍ ଏଠାରେ ମଧ୍ୟ ସମ୍ପୂର୍ଣ୍ଣ ଆବାସିକ ଓ ବିନା ଦେୟରେ କଳାହାଣ୍ଡି ଜିଲ୍ଲାର ଗରିବ ଓ ଅବହେଳିତ ଜନଜାତି ପିଲାମାନେ ପାଠ ପଢିପାରିବେ। ସମ୍ପୂର୍ଣ୍ଣ ସବୁଜ, ଇକୋ-ଫ୍ରେଣ୍ଡଲି ଓ ଟେକ୍ନୋଲୋଜି ଉପଯୋଗରେ ଏହି କ୍ୟାମ୍ପସ ପରିଚାଳିତ ହେବ।

Leave a Reply

Your email address will not be published. Required fields are marked *

Related Posts