ସୁବର୍ଣ୍ଣପୁରରେ ଖୋଲିଥିବା ନୂଆ ଫରେଷ୍ଟ ପାର୍କରେ ଜମୁଛି ଲୋକଙ୍କ ଭିଡ

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ଶୀତ ଆସିଛି ।କାକରଭିଜା ପାର୍କରେ ପାହାନ୍ତିଆରୁ ଲୋକମାନଙ୍କର ବେଶ୍ ଭିଡ ଜମୁଛି । ଶୀରିରିକ ବ୍ୟାୟାମ ତଥା ମର୍ଣ୍ଣିଂ ଓ ଇଭିନିଂ ୱାକ ପାଇଁ ଲୋକେ ବେଶ ଆଗ୍ରହ ଦେଖାଉଥିବା ଅନୁମାନ ହେଉଛି ।ପାର୍କ ଭିତରେ ମନୋରଂଜନ କରିବା ସହିତ ନିଜ ଶୀରୀରିକ ସୁସ୍ଥତା ପାଇଁ ଲୋକେ ବ୍ୟାୟାମ କରୁଛନ୍ତି । ତେବେ ସୁବର୍ଣ୍ଣପୁର ସହରରେ ତିଆରି ହୋଇଥିବା ନୂତନ ଫରେଷ୍ଟ ପାର୍କରେ ମନୋରମ ସଂଧ୍ୟାରେ ବି ଲୋକଙ୍କ ଭିଡ ଦେଖିବାକୁ ମିଳୁଛି ।ଛୋଟ ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି କୁସ୍ତି କସରତରେ ଆଗ୍ରହ ରଖିଥିବା ଖେଳାଳୀ ମାନଙ୍କ ପାଇଁ ବି ଆବଶ୍ୟକ ବ୍ୟବସ୍ଥା କରାଯାଇ ପାରିଛି ଏହି ପାର୍କରେ । ଆମୋଦ ପ୍ରମୋଦ ସହିତ ଶାରୀରିକ ବ୍ୟାୟାମ ପାଇଁ ପାର୍କ ଭିତରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ସଦର ପୌର ପରିଷଦ ଅଧିନରେ ଥିବା ଏହି ପାର୍କ ସାଢେ ପାଂଚ ଏକର ପରିମିତ ଯାଗାରେ ତିଆରି ହୋଇଛି ।ବିଶ୍ରାମ ପାଇଁ ସିମେଣ୍ଟ ଚୌକି ଠାରୁ ଆରମ୍ଭ କରି ପିଇବା ପାଣି ,ସାଇକେଲ ଷ୍ଟାଣ୍ଡ ,ଛୋଟ ପୁଅଝିଅଙ୍କ ଖେଳକୁଦ ପାଇଁ ଅନେକ ଖେଳ ସରଂଜାମର ବ୍ୟବସ୍ଥା କରାଯାଇଛି ।ପାର୍କ ବାହାରେ ଛୋଟ ଛୋଟ ବ୍ୟବସାୟୀମାନେ ଚା ଜଳଖିଆ ବି ବିକ୍ରୀ କରୁଛନ୍ତି ।
ତେବେ ପାର୍କ ଭିତରକୁ ଯିବା ପାଇଁ ଟିକେଟ ବ୍ୟବସ୍ଥା କରାଯାଇଛି ।ଜଣପିଛା ଦଶଟଂକା ଟିକଟ ଆଦାୟ କରାଯାଉଛି ।ଯେଉଁ ଅର୍ଥରେ ପାର୍କ ପରିଚାଳନା କରିବା ସହିତ ପାର୍କରେ ନିୟୋଜିତ କରାଯାଇଥିବା କର୍ମଚାରୀଙ୍କ ଦରମା ଦେବା ପାଇଁ ପୌର ପରିଷଦ ନିଷ୍ପତ୍ତି ନେଇଛି । ହେଲେ ସହରବାସୀ ପାର୍କ ପାଇଁ ପ୍ରବେଶ ଶୁଳ୍କ ଆଦାୟ ନ କରିବା ପାଇଁ ଦାବୀ କରିଛନ୍ତି । ସୁବର୍ଣ୍ଣପୁର ପରି ଏକ ଛୋଟିଆ ସହରରେ ପୌର ପରିଷଦ ପକ୍ଷରୁ ନିର୍ମିତ ହୋଇଥିବା ଏହି ପାର୍କ ଲୋକଙ୍କୁ ମନୋରଂଜନ ଯୋଗାଇ ଦେଉଥିବାାରୁ ଲୋକେ ବେଶ ଆନନ୍ଦିତ ଥିବା କହିଛନ୍ତି ।