ଡାଲମିଆ ସିମେଣ୍ଟ ନିଜ କର୍ମଚାରୀଙ୍କ ପାଇଁ ଆରମ୍ଭ କଲା ଭର୍ଚୁଆଲ ଓପିଡ଼ି କ୍ଲିନିକ

SHARE NOW :
ରାଜଗାଙ୍ଗପୁର(ବିକାଶ ରଞ୍ଜନ ନାୟକ): ସମଗ୍ର ରାଷ୍ଟ୍ରରେ ସଂପ୍ରତି ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ସେବାଗତ ଜରୁରୀ ପରିସ୍ଥିତି ପରିପ୍ରେକ୍ଷୀରେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ (ଡିସିବିଏଲ) ପକ୍ଷରୁ ଏହାର କର୍ମଚାରୀଙ୍କ ପାଇଁ ଏକ ଭର୍ଚୁଆଲ ବର୍ହିଃରୋଗ ବିଭାଗ (ଓପିଡ଼ି) ଶୁଭାରମ୍ଭ କରାଯାଇଛି । ଅନ୍ଲାଇନ ଓପିଡ଼ି ସେବା ମହାମାରୀରେ ପ୍ରଭାବିତ କର୍ମଚାରୀଙ୍କୁ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛି । କୋଭିଡ ଆକ୍ରାନ୍ତ ରୋଗୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ଯୋଗାଯୋଗ କରିପାରିବେ ଏବଂ ତାଙ୍କ ନିକଟରୁ ଡାକ୍ତରୀ ଚିକିତ୍ସା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ପାଇଁ ପରାମର୍ଶ ପାଇପାରିବେ । ପୂର୍ବରୁ ଡିସିବିଏଲ୍ ରାଜଗାଙ୍ଗପୁର କାରଖାନାର ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଲିନିକ ସ୍ପନ୍ଦନ ପକ୍ଷରୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ସେବା ସହିତ ଏହି ଭର୍ଚୁଆଲ ଓପିଡ଼ି ସେବା ଉପଲବ୍ଧ ହେଉଛି । କାରଖାନା ପକ୍ଷରୁ ଏହାର କର୍ମଚାରୀଙ୍କୁ ସଚେତନତା ଆଧାରିତ ଯୋଗ ଅଭିଯାନ ଜରିଆରେ ସେମାନଙ୍କର ରୋଗ ପ୍ରତିରୋଧ ସ୍ତର ବୃଦ୍ଧି ଘଟାଇବରେ ମଧ୍ୟ ସହାୟତା କରାଯାଉଛି । କର୍ମଚାରୀମାନେ ସେମାନଙ୍କର ରୋଗ ପ୍ରତିରୋଧ ଶକ୍ତି ଏବଂ ମାନସିକ ସୁସ୍ଥତାରେ ବୃଦ୍ଧି ଘଟାଇବାକୁ ଦିନକୁ ଦୁଇଥର ଆୟୋଜନ କରାଯାଉଥିବା କାରଖାନାର ଭର୍ଚୁଆଲ ଯୋଗ ଅଧିବେଶନରେ ସାମିଲ ହୋଇପାରିବେ ।
ଏ ସମ୍ପର୍କରେ ପ୍ରକାଶ କରି ଚେତନ ଶ୍ରୀବାସ୍ତବ, କାର୍ୟ୍ୟନିର୍ବାହୀ ନିର୍ଦେଶକ, ଡିସିବିଏଲ୍ ଓ ୟୁନିଟ୍ ମୁଖ୍ୟ, ରାଜଗାଙ୍ଗପୁର କହିଛନ୍ତି ଯେ,“ ମହାମାରୀର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ପୂର୍ବାନୁମାନ କରି ଆମେ ସମ୍ମିଳିତ ଭାବରେ କାର୍ୟ୍ୟ କରିବାକୁ ଦୃଢ ଭାବରେ ନିଷ୍ପତ୍ତି ନେଲୁ, ଯଦ୍ଦ୍ୱାରା ଆମର କାର୍ୟ୍ୟଶୈଳୀ ଏବଂ ନିରନ୍ତର ବ୍ୟବସାୟଧାରା ସହିତ ସାଲିସ ନକରି କର୍ମଚାରୀଙ୍କ କଲ୍ୟାଣକୁ ଅଗ୍ରାଧିକାର ଦିଆଯାଇପାରିବ । ଆମର ସମ୍ପୂର୍ଣ୍ଣ ନୂତନ ଏବଂ ନାଗରିକ କୈନ୍ଦ୍ରିକ ପ୍ରୟାସ ସମୂହ ଦ୍ୱାରା ଆମେ କାର୍ୟ୍ୟସ୍ଥଳ ଏବଂ ଆମ ଚତୁର୍ପାଶ୍ୱର୍କୁ ଏକ ନିରାପଦ ସ୍ଥଳରେ ପରିଣତ କରିବା ନେଇ ପ୍ରତିବଦ୍ଧ ରହିଛୁ ।”
ପାରିପାର୍ଶ୍ଵିକ ଗ୍ରାମଗୁଡିକରେ ବାସ କରୁଥିବା ଏହାର ୫୦୦୦ରୁ ଅଧିକ କର୍ମଚାରୀ ଏବଂ ପରିବାର ବର୍ଗଙ୍କର ନିରାପତ୍ତା ସୁନିଶ୍ଚିତ କରିବାକୁ ଡିସିବିଏଲ୍ ରାଜଗାଙ୍ଗପୁର କାରଖାନାର କୋଭିଡ କାର୍ୟ୍ୟାନ୍ୱୟନ ଗୋଷ୍ଠୀ (ଟାସ୍କଫୋର୍ସ) ଏବଂ ସାମାଜିକ ଗଣମାଧ୍ୟମ ଗୋଷ୍ଠୀ ଅଧିକ ନିବିଡ ଭାବରେ ମହାମାରୀ ସମ୍ପର୍କିତ କାର୍ୟ୍ୟକଳାପକୁ ନିରୀକ୍ଷଣ କରୁଛନ୍ତି । ଡିସିବିଏଲ୍ ମଧ୍ୟ ରାଜଗାଙ୍ଗପୁରରେ ଥିବା ତାହାର ସମସ୍ତ ୟୁନିଟ, ଆବାସିକ ସହରାଞ୍ଚଳ, ପରିବହନ କାର୍ୟ୍ୟାଳୟ ଏବଂ ପାରିପାର୍ଶ୍ଵିକ ଅଞ୍ଚଳ ସମେତ ତତ୍ ସଂଲଗ୍ନ ପରିସର ଗୁଡିକୁ ବ୍ୟବସ୍ଥିତ ଭାବରେ ଏହାର ଦମକଳ ଗାଡ଼ି ଯୋଗେ ବିଶୋଧନ କରୁଛି ।
ଶ୍ରୀବାସ୍ତବ ଆଉ ମଧ୍ୟ କହିଛନ୍ତି ଯେ, “ଆମର ପ୍ରୟାସ ଜରିଆରେ ଡାଲମିଆ ସିମେଣ୍ଟର ରାଜଗାଙ୍ଗପୁର ପରିବାର ଏବଂ ତାହାସହିତ ଆମର ପଡୋଶୀ ଜନସାଧାରଣ ଏହି ଆହ୍ୱାନମୂଳକ ସମୟର ସଫଳ ମୁକାବିଲା କରି ଅଧିକ ମଜଭୁତ ଏବଂ ସୁସଂହତ ଭାବରେ ଛିଡାହେବା ନେଇ ଆମେ ଦୃଢ ନିଶ୍ଚିତ ଅଛୁ ।”
ମହାମାରୀର ମୁକାବିଲା ନିମନ୍ତେ ଡିସିବିଏଲ୍ ରାଜଗାଙ୍ଗପୁର କାରଖାନା ପକ୍ଷରୁ ନିଆଯାଉଥିବା ବହୁବିଧ ପ୍ରୟାସ ମଧ୍ୟରେ ରହିଛି । ମାସ୍କ ସବୁ ସମୟରେ ପରିଧାନ କରିବା, ସାମାଜିକ ଦୂରତା ବଜାୟ ରଖିବା ନିମନ୍ତେ ସଚେତନତା ସୃଷ୍ଟି, ଏକାନ୍ତବାସ ଓ ସଂଗରୋଧ ନିୟମାବଳୀ ଅନୁପାଳନ ସହିତ ସ୍ଥାନୀୟ ପ୍ରଶାସନ ସହିତ ପରାମର୍ଶ କରିବା ପରେ ଗୁରୁତର ଲକ୍ଷଣ ଥିବା କର୍ମଚାରୀଙ୍କୁ ସୁନ୍ଦରଗଡ ଓ ରାଉରକେଲା ସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରଣରେ ସହାୟତା କରିବା ।
ଅତ୍ୟାବଶ୍ୟକ ସାମଗ୍ରୀ ଘରକୁ ଘର ପହଞ୍ଚାଯିବା ସେବା ଯୋଗାଇବା ଏବଂ ତଦ୍ଦ୍ୱାରା ପରିବହନଜନିତ ସମସ୍ୟାକୁ ଏଡାଇ କର୍ମଚାରୀଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କୋଭିଭ-୧୯ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା । ହଠାତ ତାଲାବନ୍ଦ ଘୋଷଣା କ୍ଷେତ୍ରରେ କଲୋନିରେ ସେଥିପାଇଁ ପ୍ରସ୍ତୁତି ଏବଂ ଆପାତକାଳୀନ ଯୋଜନା । ପରିବହନକାରୀ, ସୁପରଭାଇଜର ଏବଂ କାରଖାନା ଭିତରେ କାର୍ୟ୍ୟ କରୁଥିବା କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଦୈନନ୍ଦିନ ଭିତ୍ତିରେ ନଜର ରଖିବା । କାରଖାନା ପରିସରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇବାକୁ ଫାଟକରେ ସତର୍କ ବ୍ୟବସ୍ଥା । ପାର୍କିଂ ସ୍ଥଳରୁ ନେଇ ୱେବ୍ରିଜ କ୍ରସିଂ ପର୍ୟ୍ୟନ୍ତ ଯାନବାହନ ଗୁଡିକର ସଂସର୍ଗ ବିହୀନ ଏବଂ କାଗଜ ବିହୀନ ଚଳପ୍ରଚଳ ଆରମ୍ଭ ହୋଇସାରିଛି । ଟିମ୍ଗୁଡିକର ନୈତିକ ମନୋବଳ ବୃଦ୍ଧି କରିବା ଏବଂ ସମସ୍ତ ସ୍ଥାନରେ ନିୟମାବଳୀ ଅନୁପାଳନ କରି ଭୟଭାବ ବ୍ୟାପିବା ହ୍ରାସ କରିବା ସକାଶେ ସେମାନଙ୍କ ସହିତ ଭାବ ଆଦାନ ପ୍ରଦାନ ସୁନିଶ୍ଚିତ କରିବାକୁ କାରଖାନାର ସେକ୍ସନ ଇନଚାର୍ଜମାନଙ୍କୁ ଦାୟିତ୍ୱ ନ୍ୟସ୍ତ ।