ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କନ୍ଧମାଳ ସାଂସଦଙ୍କ କୃତଜ୍ଞତା

SHARE NOW :
କନ୍ଧମାଳ (ଲାଇଭ ଓଡିଶା ନ୍ୟୁଜ୍) : କନ୍ଧମାଳ ରେ ୪ଜି ମୋବାଇଲ ଟାୱାର । ଓଡିଶାର କନ୍ଧମାଳ ଜିଲ୍ଲାରେ ମୋବାଇଲ ଯୋଗାଯୋଗ ସୁବିଧା ହେବା ନେଇ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି । ୫ଟି ରାଜ୍ୟର ୪୪ଟି ଜିଲ୍ଲାରେ ଥିବା ୭୨୮୭ଟି ଗ୍ରାମରେ ୪ଜି ମୋବାଇଲ ଟାୱାର ବସାଇବା ପାଇଁ କେନ୍ଦ୍ର କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଥିଲା । ତେବେ କନ୍ଧମାଳରେ ୧୦୯୪ ଟି ଗ୍ରାମରେ ୪ଜି ମୋବାଇଲ ଟାୱାର ବସାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଯୋଗଯୋଗ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି । ପୂର୍ବରୁ ଶ୍ରୀ ସାମନ୍ତ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଭେଟି କନ୍ଧମାଳର ସମସ୍ତ ଗ୍ରାମକୁ ମୋବାଇଲ ସେବା ଯୋଗାଇଦେବା ନେଇ ଦାବି ଉପସ୍ଥାପନ କରିଥିଲେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ଜିଲ୍ଲାର ସାଧାରଣ ଲୋକ ବହୂଳ ଭାବେ ଉପକୃତ ହେବେ ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଅନ୍ୟପଟେ ଫୁଲବାଣୀ ସହରର ବିକାଶ ପାଇଁ ରାଜ୍ୟ ସରକାର ଫୁଲବାଣୀ ପୌରସଂସ୍ଥାକୁ ୧୦ କୋଟିଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି । ଏହା ଦ୍ୱାରା ଫୁଲବାଣୀ ସହରରେ ବ୍ୟାପକ ଆଧୁନିକିକରଣ, ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ବିକାଶ ହୋଇପାରିବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।